ପାର୍ବଣ ପୂର୍ବରୁ ମାତିଲେଣି ଚୋରଣୀ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ରାଜଧାନୀରେ ମାତିଲେଣି ଅନ୍ୟ ରାଜ୍ୟର ଚୋରଣୀ। ଗହଳିର ସୁଯୋଗ ଦେଖି କେ‌ତେବେଳେ ମହିଳାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଉଛନ୍ତି ତ କେତେବେଳେ ପର୍ସ ଓ ମୋବାଇଲ୍‌। ପୂଜାକୁ ଆଖିରେ ରଖି ରାଜ୍ୟ ବାହାରୁ ଆସି ଏ ମହିଳାମାନେ ଏବେଠୁ ଡେରା ପକାଇଲେଣି। ଗତକାଲି ବଡ଼ଗଡ଼ ଥାନା ପୁଲିସ ମହାରାଷ୍ଟ୍ର ଅଞ୍ଚଳର ତିନି ଜଣ ମହିଳାଙ୍କୁ ଗିରଫ କରିବା ପରେ ଏଭଳି ମହିଳା ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି। ବିଭିନ୍ନ ବସ୍ତି ତଥା ରାସ୍ତାକଡ଼ରେ ଯାଯାବର ହିସାବରେ ରହି ସେମାନେ ବିଭିନ୍ନ ଜିନିଷ ବିକ୍ରି କରୁଥିବା ବେଳେ ସନ୍ଧ୍ୟା ସମୟରେ ମାର୍କେଟ, ମଲ୍‌ ଆଦି ଗହଳିପୂର୍ଣ୍ଣ ସ୍ଥାନମାନଙ୍କୁ ଯାଇ ଚୋରି କରୁଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କଟକ ରୋଡରେ ଜଣେ ମହିଳାଙ୍କ ପର୍ସରୁ ମୋବାଇଲ ଫୋନ୍ ଓ ଟଙ୍କା ଚୋରି କରିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଗତକାଲି ୩ ଜଣ ମହିଳାଙ୍କୁ ଗିରଫ କରିଛି।

ଗିରଫ ମହିଳାମାନେ ହେଲେ ମହାରାଷ୍ଟ୍ର ଗୋଣ୍ଡିଆ ଅଞ୍ଚଳର ରଞ୍ଜୁ ସେନ୍ଦେ(୩୫), ରେସମା ବିଷ୍ଣାଏ(୨୫) ଓ ପାଲୁ ବିଷ୍ଣାଏ(୫୦)। ସୂଚନାନୁସାରେ, ଅଭି‌ଯୋଗକାରିଣୀ ମହିଳା ବମିଖାଲ ଅଞ୍ଚଳରୁ ଏକ ଅଟୋ ସାହାଯ୍ୟରେ କଳ୍ପନା ଛକକୁ ଯାଉଥିଲେ। ବାଟରେ ଉକ୍ତ ଅଟୋରେ ଝାରପଡ଼ା ଛକରୁ ଉକ୍ତ ୩ ଅଭିଯୁକ୍ତ ମହିଳା ମଧ୍ୟ ଉଠିଥିଲେ। ଅଭିଯୋଗକାରିଣୀ କଳ୍ପନା ଛକରେ ଓହ୍ଲାଇ ଅନ୍ୟ ଏକ ଅଟୋ ସାହାଯ୍ୟରେ ଏକ ନମ୍ବର ମାର୍କେଟକୁ ଯାଉଥିବା ବେଳେ ବାଟରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପର୍ସରୁ ମୋବାଇଲ ଫୋନ୍‌ ଓ ୩,୨୦୦ ଟଙ୍କା ଚୋରି ହୋଇଯାଇଛି। ଅଭିଯୋଗକାରିଣୀ ଉକ୍ତ ୩ ମହିଳାଙ୍କ ଉପରେ ସନ୍ଦେହ କରିବା ସହିତ ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଗୌତମନଗର ଅଧୀନ ରେଲୱେ ଓଭରବ୍ରିଜ୍‌ ନିକଟରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ନିକଟରୁ ଏକ ମୋବାଇଲ ଫୋନ୍‌ ଓ ୧୦୦୦ ଟଙ୍କା ଜବତ କରାଯାଇଛି। ପାର୍ବଣ ସମୟରେ ବିଭିନ୍ନ ପୂଜାମଣ୍ଡପ ସହ ଗହଳି ସ୍ଥାନମାନଙ୍କରେ ରାଜ୍ୟ ବାହାରୁ ଆସିଥିବା ଏମିତି ମହିଳା ଚୋର ଗ୍ୟାଙ୍ଗଗୁଡ଼ିକ କମିସନରେଟ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ, ସେଥିରେ ସନ୍ଦେହ ନାହିଁ। ଏଭଳି ସନ୍ଦିଗ୍ଧ ମହିଳାମାନଙ୍କ ପ୍ରତି ସତର୍କ ରହିବାକୁ କମିସନରେଟ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର