‘ଗଣତନ୍ତ୍ରର ସୁରକ୍ଷା ପାଇଁ ଗଣମାଧ୍ୟମ ସତ୍ୟ ଖବର ପରିବେଷଣ କରୁ’

‘ନିର୍ଭୟ’ର ନବମ ବାର୍ଷିକ ଉତ୍ସବ

ଭୁବନେଶ୍ବର: ଏବେ ସତ୍ୟ ଖବର ପ୍ରକାଶ ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରାଯାଉଛି। କଳେବଳେ କୌଶଳେ ଗଣମାଧ୍ୟମ ଉପରେ ଚାପ ସୃଷ୍ଟି ହେଉଛି। ତଥାପି ବ୍ୟବସ୍ଥାଗତ ଦୁର୍ବଳତା ବିଷୟକୁ ଗଣମାଧ୍ୟମ ନ ଉଠାଇଲେ, କିଏ ଉଠାଇବ? ଅନୁଗ୍ରହ ଆଶା ନ ରଖି ଗଣମାଧ୍ୟମ ସତ୍ୟ ଖବର ଉପସ୍ଥାପନ କଲେ ବ୍ୟବସ୍ଥା ଦୋହଲିଯିବ। ଗଣତନ୍ତ୍ରର ସୁରକ୍ଷା ପାଇଁ ଗଣମାଧ୍ୟମ ସତ୍ୟ ଓ ନିରପେକ୍ଷ ଖବର ପ୍ରକାଶକୁ ଗୁରୁତ୍ବ ଦିଅନ୍ତୁ। ହୋଟେଲ ମେ’ ଫେୟାର୍‌ କନଭେନସନ୍‌ ସେଣ୍ଟର୍‌ରେ ଆୟୋଜିତ ଦୈନିକ ‘ନିର୍ଭୟ’ର ନବମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ଜନସଂଚାର ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର୍‌ ରାକେଶ ଉପାଧ୍ୟାୟ ଆଜି ଏହା କହିଛନ୍ତି।

ନିର୍ଭୟର ସମ୍ପାଦକ ନବୀନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଉପାଧ୍ୟାୟ ଆହୁରି କହିଲେ, ଇଂରାଜୀ ଖବରକାଗଜ କେବଳ ୭.୪ ପ୍ରତିଶତ ଭାରତୀୟ ପଢ଼ୁଛନ୍ତି। ବାକି ୯୨.୬ ପ୍ରତିଶତ ଆଞ୍ଚଳିକ ଭାଷାରେ ପ୍ରକାଶ ପାଉଥିବା ଖବର କାଗଜଗୁଡ଼ିକ ଉପରେ ପାଠକୀୟ ଶ୍ରଦ୍ଧା ରହିଛି। ଏହା ହିଁ ଭାଷାଭିତ୍ତିକ ଗଣମାଧ୍ୟମର ଶକ୍ତି। କିନ୍ତୁ ବିଜ୍ଞାପନ ଦୁନିଆ ଓ ସରକାରୀ ବ୍ୟବସ୍ଥା ଆଞ୍ଚଳିକ ଭାଷାର ଖବରକାଗଜ ଅପେକ୍ଷା ଇଂରାଜୀ ସମ୍ବାଦପତ୍ରଗୁଡ଼ିକୁ ଅଗ୍ରାଧିକାର ଦେଇ ବିଜ୍ଞାପନ ଦେଉଛନ୍ତି। ଏଥିରେ ବିଚଳିତ ନ ହୋଇ ଗଣମାଧ୍ୟମ ଆଗକୁ ବଢ଼ିବା ଜରୁରି। ସେହିପରି ଛାପା ଗଣମାଧ୍ୟମ ମହାଦ୍ରୁମ ସଦୃଶ, କେବେ ଅସ୍ତିତ୍ୱ ହରାଇବନି ବୋଲି ସେ କହିଥିଲେ।

‘ଛାପା ଗଣମାଧ୍ୟମ ମହାଦ୍ରୁମ, କେବେ ଅସ୍ତିତ୍ବ ହରାଇବନି’

ସମ୍ମାନିତ ଅତିଥି ଗୌହ୍ୱାଟୀ ବିଶ୍ୱବିଦ୍ୟାଳୟର ଭାଷା ଓ ସଂସ୍କୃତି ଶିକ୍ଷାକେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର୍‌ ଜ୍ୟୋତ୍ସ୍ନା ରାଉତ କହିଲେ, ଯଦି ସମ୍ବାଦପତ୍ର ଓ ସାମ୍ବାଦିକ ସମାଜରୁ ଦୂରେଇ ଯିବେ, ସମାଜ ଅନ୍ଧକାରମୟ ହୋଇଯିବ। ନିଜ ଜୀବନକୁ ଉର୍ତ୍ସଗ କରି ସାମ୍ବାଦିକଟିଏ ବଡ଼ କଠିନ ପରିସ୍ଥିତିରେ ଖବର ସଂଗ୍ରହ କରି ପଠାଉ ଥିବାରୁ ସେମାନେ ସଭିଁଙ୍କ ନମସ୍ୟ।

ଅନ୍ୟତମ ସମ୍ମାନିତ ଅତିଥି ପ୍ରମେୟ ଓ ନ୍ୟୁଜ୍‌-୭ ଗ୍ରୁପ୍‌ର ସମ୍ପାଦକ ଗୋପାଳ ମହାପାତ୍ର ଛାପା ଗଣମାଧ୍ୟମର ଅସ୍ତିତ୍ବ କେବେ ବି ଲିଭିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ‘ନିର୍ଭୟ’ର ନିର୍ଭୀକତାଭରା ସାମ୍ବାଦିକତାକୁ ସେ ପ୍ରଶଂସା କରି କହିଥିଲେ ଯେ ବର୍ତ୍ତମାନ ଯେଉଁ ସମୟ ଦେଇ ଆମ ଗଣମାଧ୍ୟମ ଗତି କରୁଛି, ସେଥିରେ ବେଳେବେଳେ ନିଜକୁ ପ୍ରଶ୍ନ ପଚାରିବାକୁ ପଡ଼େ, ଅନୁସନ୍ଧାନମୂଳକ ଖବର ନିର୍ଭୀକତାର ସହ ମୁଁ କରିପାରିବି କି? ଆଉ ଯଦି କରିବି ତାହା ଛପା ଯାଇପାରିବ କି? ସହଯୋଗୀ ସମ୍ପାଦକ ସମ୍ବିତ ମହାପାତ୍ର ଉତ୍ସବର ପରିଚାଳନା କରିଥିଲେ।

ସମାରୋହରେ ବିଶିଷ୍ଟ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ ଏବଂ ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର ଓ ପାଠକୀୟ ଆନ୍ଦୋଳନ ଚଳାଇଥିବା ଅଧ୍ୟାପକ କିଶୋର ମେହେରଙ୍କୁ ‘ନିର୍ଭୟ ଓଡ଼ିଶା ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା। ସାମ୍ବାଦିକ ମନୋରଞ୍ଜନ ଯୋଶୀ ଏବଂ ମିଡିଆ ସଂସ୍ଥା ଲାଇଟ୍‌ ହାଉସ୍‌କୁ ‘ନିର୍ଭୟ ସତୀର୍ଥ ସମ୍ମାନ’ ପ୍ରଦାନ କରାଯାଇଥିଲା। ଦୁଇବର୍ଷର ଶ୍ରେଷ୍ଠ ଖବରଦାତା ଭାବେ ଆଳୟ କୁମାର ସାମନ୍ତରାୟ, ମାଧବ ପାଇକ, ବୀରେନ୍ଦ୍ର ସ୍ୱାଇଁ, ସୁଶାନ୍ତ ବେହେରା ଏବଂ ଲେ-ଆଉଟ୍‌ ଡିଜାଇନର ପ୍ରଶାନ୍ତ ଦାଶଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଜ୍ୟୋତି ପ୍ରକାଶ ଘୋଷଙ୍କ ନିୟମିତ ସ୍ତମ୍ଭକୁ ନେଇ ପ୍ରକାଶ ପାଇଥିବା ପୁସ୍ତକ ‘ରୋଚକ କଥା’କୁ ଅତିଥିମାନେ ଲୋକାର୍ପଣ କରିଥିଲେ। ପ୍ରଥମ ଅଧିବେଶନରେ ‘୨୫ବର୍ଷର ଆହ୍ୱାନ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କଥାଶିଳ୍ପୀ ଦେବ ପ୍ରସାଦ ଦାଶଙ୍କ ସଂଚାଳନରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପୂର୍ବତନ ମନ୍ତ୍ରୀ ପଞ୍ଜାନନ କାନୁନଗୋ, ବରିଷ୍ଠ ସାମ୍ବାଦିକ ସଂପଦ ମହାପାତ୍ର ଏବଂ ସମାଜସେବୀ ନମ୍ରତା ଚଡ୍ଡା ସାମିଲ ହୋଇ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର