ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ: ପାତରଅନ୍ତର କରୁଛି ନୂଆ ନିୟମ

ଖଣ୍ଡଗିରି: କଲେଜ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ବ୍ୟବସ୍ଥାରେ ଏବେ ନୂଆ ନିୟମ କରାଯାଇଛି। ୨୦୧୩ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ବ୍ୟବସ୍ଥାରେ ଥିବା ପୁରୁଣା ନିୟମକୁ ବଦଳାଇଦିଆଯାଇଛି। ଫଳରେ ବହୁ ଆଗ୍ରହୀ ଛାତ୍ରୀ ଏହି ତାଲିମ ନେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ନୂଆ ନିୟମ ଦ୍ବାରା କେବଳ କିଛି ହାତଗଣତି ଛାତ୍ରୀ ତାଲିମ ପାଇବା ବେଳେ ଅନେକ ଆଗ୍ରହୀ ଛାତ୍ରୀ ପାତରଅନ୍ତରର ଶିକାର ହେଉଛନ୍ତି।

୨୦୧୩ ମସିହାର ପୁରୁଣା ବ୍ୟବସ୍ଥା ଅନୁସାରେ ପ୍ରତି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଓ ଯୁକ୍ତ ତିନି ପ୍ରଥମ ବର୍ଷ ପିଲାଙ୍କୁ ୩୦ ଜଣିଆ ଗ୍ରୁପ୍‌ କରି ୧୨ ଦିନ ପାଇଁ ପ୍ରଶିକ୍ଷଣ ଦିଆଯାଉଥିଲା। ପରେ ସେମାନଙ୍କ ଭିତରୁ ଭଲ କରୁଥିବା ପିଲାଙ୍କୁ ମାଷ୍ଟର ଟ୍ରେନର୍‌ ପ୍ରଶିକ୍ଷଣ ପାଇଁ ଉତ୍କଳ କରାଟେ ସ୍କୁଲକୁ ୧୨ ଦିନିଆ ପ୍ରଶିକ୍ଷଣ ନେବାକୁ ପଠାଯାଉଥିଲା। ସେମାନେ ପରବର୍ତ୍ତୀ ସମୟରେ ନିଜ କଲେଜର ପିଲାଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ହେଲେ କରୋନା କଟକଣା ଯୋଗୁଁ ଗତ ୨ ବର୍ଷ ହେଲା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା। ଏବେ କଟକଣା କୋହଳ ହେବା ପରେ ନୂତନ ନିୟମ ଆସିଛି। ଏଥିରେ କୌଣସି ଗ୍ରୁପ୍‌ କରାଯିବାର ନିୟମ ନାହିଁ। ପ୍ରତି ଗ୍ରୁପ୍‌ରେ କେତେ ପିଲା ରହିବେ, କେତେ ଜଣ ମାଷ୍ଟର ଟ୍ରେନର୍‌ ନିୟୋଜିତ ହେବେ, ସେନେଇ କୌଣସି ବିବରଣୀ ନାହିଁ। ତେଣୁ ଅନେକ କଲେଜ ୧୦୦ରୁ ଅଧିକ ପିଲାଙ୍କ ପାଇଁ ମାତ୍ର ଜଣେ ମାଷ୍ଟର ଟ୍ରେନର୍‌ ନିୟୋଜିତ କରିଛନ୍ତି। ପୂର୍ବରୁ ନଭେମ୍ବର ଓ ଡିସେମ୍ବର ମାସରେ ତାଲିମ ଦିଆଯାଉଥିଲା। ଚଳିତ ବର୍ଷ ମାର୍ଚ୍ଚରୁ ଆରମ୍ଭ ହୋଇଛି। ପ୍ରବଳ ଖରାରେ ଏହି ପ୍ରଶିକ୍ଷଣ ସମ୍ଭବ ହେଉନଥିଲେ ହେଁ ବାଧ୍ୟବାଧକତାରେ ଆୟୋଜନ କରାଯାଉଛି। ଏବେ ପିଲାମାନେ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବାରୁ ଅନେକ ପ୍ରଶିକ୍ଷଣ ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି।

ନୂତନ ନିୟମ ଅନୁଯାୟୀ ବିଭିନ୍ନ ଜିଲ୍ଲାର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀଙ୍କୁ ଚୟନ କରାଯାଇ ଉତ୍କଳ କରାଟେ ସ୍କୁଲରେ ତାଲିମ ଦିଆଯାଉଛି। ଯେଉଁମାନେ ଶାରୀରିକ ସ୍ତରରେ ଦକ୍ଷ, ଖେଳକୁଦରେ ପାରଙ୍ଗମ ଓ ରୁଚି ରଖନ୍ତି, ଆତ୍ମରକ୍ଷା କୌଶଳ‌ ଶିଖିବ‌ାକୁ ଆଗ୍ରହୀ, ସେମାନଙ୍କୁ ହିଁ ତାଲିମ ପାଇଁ କଲେଜ ପଠାଉଛି। ଫଳରେ ବହୁ ଛାତ୍ରୀ ଏହି ପ୍ରଶିକ୍ଷଣରୁ ବଞ୍ଚିତ ହୋଇଛନ୍ତି। ଆତ୍ମରକ୍ଷା ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା ସମସ୍ତ ଛାତ୍ରୀ ନିଜର ଆତ୍ମରକ୍ଷା କୌଶଳ ଶିକ୍ଷା କରିବେ। କିନ୍ତୁ ଏବେ ନୂଆ ବ୍ୟବସ୍ଥାରେ ସୀମିତ ଛାତ୍ରୀ ତାଲିମ ନେଉଛନ୍ତି। ତେଣୁ ଏହି ବ୍ୟବସ୍ଥା ଏକ ପ୍ରହସନ ପାଲଟିଛି ବୋଲି ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ ଚଳିତ ବର୍ଷ କରାଟେ ସ୍କୁଲ୍‌ରେ ଗଜପତିରୁ ୧୨, କନ୍ଧମାଳରୁ ୨୭, କୋରାପୁଟରୁ ୨୮, ମାଲକାନଗିରିରୁ ୧୩ , ରାୟଗଡ଼ାରୁ ୨୨, ନବରଙ୍ଗପୁରରୁ ୧୪ , ଗଞ୍ଜାମରୁ ୧୩୪, ମୟୂରଭଞ୍ଜରୁ ୨୮, ସୁବର୍ଣ୍ଣପୁରରୁ ୨୪, ବୌଦ୍ଧରୁ ୧୧, ବରଗଡ଼ରୁ ୫୦, ବଲାଙ୍ଗୀରରୁ ୩୯ , ନୂଆପଡାରୁ ୧୧ ଛାତ୍ରୀ ଉତ୍କଳ କରାଟେ ସ୍କୁଲରୁ ତାଲିମ ନେବା ପାଇଁ ଆସିଛନ୍ତି। ପରେ ଆଉ ୧୭ ଜିଲ୍ଲାର ଛାତ୍ରୀମାନେ ତାଲିମ ନେବେ। ଉପରୋକ୍ତ ଅଭିଯୋଗକୁ ନେଇ ଉଚ୍ଚଶିକ୍ଷା ବିଭାଗର ଡେପୁଟି ସେକ୍ରେଟାରି ରମେଶ ଚନ୍ଦ୍ର ବେହେରାଙ୍କ କହିବା କଥା ପୂର୍ବରୁ ହୋଇଥିବା ନିୟମ ଫଳପ୍ରଦ ହୋଇନଥିଲା। ପ୍ରଶିକ୍ଷଣ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଏବଂ ଗୁଣାତ୍ମକ ପ୍ରଶିକ୍ଷଣ ଦେବାକୁ ନୂଆ ନିୟମ କରାଯାଇଛି।

ସମ୍ବନ୍ଧିତ ଖବର