ଆକସ୍ମିକ ବିସ୍ଫୋରଣ: ଦୁଇ ବାଇକ୍‌ ସହ ଜଳିଗଲା କାର୍‌

ଯଶିପୁର/ପଦ୍ମପୁର: ଆକସ୍ମିକ ବିସ୍ଫୋରଣ ଆଉ ତା’ ପରେ ଭୟାବହ ଅଗ୍ନିକାଣ୍ଡ। ଘର ବାରଣ୍ଡାରେ ମରାମତି ହୋଇ ଆସିଥିବା ଏକ ବାଇକ୍‌ ଛିଡ଼ା ହୋଇଥିଲା। ହଠାତ୍‌ ବାଇକ୍‌ରେ ବିସ୍ଫୋରଣ ହେବା ସହ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିକଟରେ ଥିବା ଅନ୍ୟ ଏକ ବାଇକ୍‌ ଓ ଗୋଟିଏ କାର୍‌ ବି ଜଳିଯାଇଥିଲା। ସେହିପରି ଘର ଭିତରେ ଥିବା ପରିବାରର ସଦସ୍ୟମାନେ ଉତ୍ତାପ ଓ ଧୂଆଁରେ ଅଣନିଶ୍ବାସୀ ହୋଇଯାଇଥିବା ବ‌େଳେ ଅ‌ଳ୍ପକେ ବର୍ତିଯାଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳରେ।

ଯଶିପୁର ବଜାର ନିକଟ ପଦ୍ମପୁରର ଗଙ୍ଗାଧର ରାମ ଆଜି ନିଜର ହୋଣ୍ଡା ସିବିଜେଡ୍‌ ବାଇକ୍‌ ମରାମତି କରାଇଥିଲେ। ବାଇକ୍‌ଟିକୁ ଆଣି ସେ ଘର ବାରଣ୍ଡାରେ ରଖିଥିଲେ। ତେବେ କିଛି ସମୟ ପ‌ରେ ସେଥିରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ବାଇକ୍‌ଟି ହୁତୁହୁତୁ ହୋଇ ଜଳିବା ସହ ଛିଟିକି ପଡ଼ିଥିବା ନିଆଁ ଯୋଗୁ ପାଖରେ ଥିବା ଅନ୍ୟ ଏକ ସିଡି-୧୦୦ ବାଇକ୍‌ ଓ ଗୋଟିଏ ସୁଇଫ୍‌ଟ ଡିଜାୟାର କାର୍‌ ମଧ୍ୟ ଜଳିବାକୁ ଲାଗିଥିଲା। ଉତ୍ତାପ ଓ ଧୂଆଁ ଯୋଗୁ ଉପର ମହଲାରେ ଥିବା ଗଙ୍ଗାରାମ ଓ ତାଙ୍କ ପତ୍ନୀ ଶକୁନ୍ତଳା ଅଣନିଶ୍ବାସୀ ହୋଇଯାଇଥିଲେ। ନିଆଁର ପ୍ରକୋପ ଏତେ ଥିଲା ଯେ ସେମାନଙ୍କୁ ଉଦ୍ଧାର କରିବାକୁ କେହି ସାହସ ଜୁଟାଇ ପାରି ନଥିଲେ। କିଛି ଉପାୟ ନପାଇ ଗଙ୍ଗାରାମ ଓ ତାଙ୍କ ପତ୍ନୀ ଶକୁନ୍ତଳା ନିଜ ଘର ଛାତରୁ ପଡ଼ୋଶୀଙ୍କ ଘର ଛାତକୁ ଡେଇଁ ଜୀବନ ବଞ୍ଚାଇଥିଲେ। ଖବର ପାଇ ରରୁଆଁ ଓ ବାଦାମପାହାଡ଼ ଅଗ୍ନିଶମ ବାହିନୀ ପହଞ୍ଚିଥିଲା ଏବଂ ନିଆଁକୁ ଆୟତ୍ତ କରିଥିଲା। ଏହି ଦୁର୍ଘଟଣାରେ ଦୁଇଟି ବାଇକ୍‌ ସହ ଗୋଟିଏ କାର୍‌ ଏବଂ ଉପର ମହଲରେ ଥିବା କୁଲର, ଫ୍ୟାନ୍‌ ତଥା ଅନ୍ୟାନ୍ୟ ସାମଗ୍ରୀ; ମୋଟ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ କେଉଁ ପରିସ୍ଥିତିରେ ବାଇକ୍‌ଟିରେ ବିସ୍ଫୋରଣ ହେଲା, ସେନେଇ ଏଯାଏ କିଛି ଠିକ୍‌ ତଥ୍ୟ ସାମ୍ନାକୁ ଆସିପାରିନି।

ସମ୍ବନ୍ଧିତ ଖବର