ମଞ୍ଜରୀ ଦେବୀ କଲେଜରେ ଶୋକସଭା

ବାଲିଅନ୍ତା: ବାଳକାଟି ନିକଟସ୍ଥ ମଞ୍ଜରୀ ଦେବୀ ନର୍ସିଂ କଲେଜ ପରିସରରେ ଆଜି ପୂର୍ବାହ୍ନରେ ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ସମେତ ଅନୁଷ୍ଠାନର କର୍ମଚାରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଦୁଇ ମିନିଟ ନିରବ ପ୍ର‌ାର୍ଥନା କରିଥିଲେ। ଏହି ଶୋକସଭାରେ ମଞ୍ଜରୀ ଦେବୀ କଲେଜ ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ଶରତ ଚନ୍ଦ୍ର ବିଶ୍ବାଳ, ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଦାସ, ନର୍ସିଂ କଲେଜର ଉପାଧ୍ୟକ୍ଷା ଇପ୍‌ସିତା ସାହୁ, ପ୍ରଜ୍ଞା ପରମିତା ମହାପାତ୍ର, ମଞ୍ଜରୀ ଦେବୀ ହୋମିଓପାଥିକ୍‌ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ର ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଲେଙ୍କା, କ୍ୟାପିଟାଲ୍‌ ଏକାଡେମି ଅଫ୍‌ ନର୍ସିଂ କଲେଜର ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନା ପ୍ରମୁଖ ସ୍ମୃତିଚାରଣ କରିଥିଲେ।

ନବ କିଶୋର ଦାସଙ୍କ ବିୟୋଗରେ ଶୋକ

ଭୁବ‌‌ନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଆକସ୍ମିକ ଅକାଳ ବିୟୋଗରେ ଓଡ଼ିଶା ସରକାରୀ କଲେଜ ଅବସରପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ରାଜ୍ୟ ଜଣେ ଲୋକପ୍ରିୟ ରାଜନେତା ଏବଂ ଦକ୍ଷ ସଂଗଠକଙ୍କୁ ହରାଇବା ଦୁର୍ଭାଗ୍ୟଜନକ ବୋଲି ସଂଘ କହିଛି। ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ ସଂଘ ପକ୍ଷରୁ ସନ୍ତୋଷ ପ୍ରକାଶ କରାଯାଇଛି। ଦିବଂଗତ ଆତ୍ମାର ସଦ୍‌ଗତି ଏବଂ ପରିବାରବର୍ଗଙ୍କୁ ଏହି କଠିନ ସମୟରେ ଧୈର୍ଯ୍ୟ ଦେବା ପାଇଁ ଭଗବାନଙ୍କ ପାଖରେ ସଭାପତି ମିହିର ଦାସ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ଦାସ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର