ବାଇଜୁସ୍‌ ବେତନର ନୂଆ ଫର୍ମୁଲା ଆଣିଲା: ରୋଜଗାର ଭିତ୍ତିରେ ସାପ୍ତାହିକ ଦିଆଯିବ

ସେଲ୍‌ସ ବିଭାଗର କର୍ମଚାରୀଙ୍କ ପାଇଁ ଲାଗୁ

ବେଙ୍ଗାଲୁରୁ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ବାଇଜୁସ୍‌ ଏହାର କର୍ମଚାରୀମାନଙ୍କୁ ଏପ୍ରିଲ ମାସର ଦରମା ଠିକ୍‌ ସମୟରେ ଦେଇଛି। ପ୍ରାୟ ୪ ମାସ ପରେ କର୍ମଚାରୀମାନେ ଠିକ୍‌ ସମୟରେ ବେତନ ପାଇଛନ୍ତି। କିନ୍ତୁ ଦରମା ପାଇଁ କମ୍ପାନି ନୂଆ ଫର୍ମୁଲା ଲାଗୁ କରିଦେଇଛି। ଏଥିରେ ସେଲ୍‌ସ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଦରମାକୁ ସେମାନଙ୍କ ରୋଜଗାର ସହିତ ଯୋଡ଼ି ଦିଆଯାଇଛି। ବାଇଜୁସ୍‌ରେ ବର୍ତ୍ତମାନ ପ୍ରାୟ ୧୨ ହଜାର କର୍ମଚାରୀ କାମ କରୁଛନ୍ତି। ସେମାନଙ୍କ ପକ୍ଷରୁ ପ୍ରାୟ ୪ ହଜାର କର୍ମଚାରୀ ସେଲ୍‌ସ ବିଭାଗରେ ଅଛନ୍ତି। ଗତମାସରେ ବାଇଜୁସ୍‌ର ପ୍ରତି‌ଷ୍ଠାତା ବାଇଜୁ ରବୀନ୍ଦ୍ରନ କର୍ମଚାରୀମାନଙ୍କୁ ମାସର ଦରମା ଦେବାଲାଗି ପ୍ରାୟ ୩୦ କୋଟି ଟଙ୍କା ଋଣ କରିଥିଲେ। ଆର୍ଥିକ ସଂକଟରେ ଫସିଥିବା କମ୍ପାନି ଗତ କିଛିମାସ ହେଲା କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ଦରମା ଦେଇପାରିନାହିଁ। ଗତମାସରେ କମ୍ପାନି କିଛି କର୍ମଚାରୀଙ୍କୁ ଛଟେଇ ମଧ୍ୟ କରିଥିଲା।

ବିଜନେସ୍‌ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟ ଅନୁଯାୟୀ, ବାଇଜୁସର ମ୍ୟାନେଜମେଣ୍ଟ ସେଲ୍‌ସ କର୍ମଚାରୀଙ୍କ ପାଇଁ ନୂଆ ଦରମା ନୀତି ଲାଗୁ କରିଦେଇଛି। ଏମାନଙ୍କୁ କମ୍ପାନି ପ୍ରତି ସପ୍ତାହରେ ଦରମା ଦେବ। କିନ୍ତୁ ସେମାନଙ୍କ ଦରମା ରୋଜଗାର ଉପରେ ନିର୍ଭର କରିବ। ରାଜସ୍ବର କିଛି ଅଂଶ ସେମାନଙ୍କୁ ଦରମା ବାବଦରେ ଦିଆଯିବ। ଏହି ନୀତି ଏପ୍ରିଲ ୨୪ରୁ ଲାଗୁ ହୋଇଛି ଏବଂ ମେ ୨୧ ପର୍ଯ୍ୟନ୍ତ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହେବ। ବାଇଜୁସ୍‌ ରାଇଟ୍‌ସ ଜାରି କରି ଅର୍ଥ ସଂଗ୍ରହ କରିଥିଲେ ମଧ୍ୟ ତାହାକୁ ବ୍ୟବହାର କରିପାରୁନାହିଁ। ନିବେଶକମାନଙ୍କ ସହିତ ବିବାଦ ଚାଲିଥିବା କାରଣରୁ ସେହି ଅର୍ଥକୁ ଏକ ପୃଥକ୍ ଆକାଉଣ୍ଟରେ ରଖାଯାଇଛି। ସୂଚନା ଅନୁଯାୟୀ, କମ୍ପାନିକୁ ପ୍ରତିମାସରେ କର୍ମଚାରୀଙ୍କ ଦରମା ବାବଦରେ ପ୍ରାୟ ୪୦ରୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର