ଆଉ ୫ ଅଞ୍ଚଳକୁ ମାଡ଼ିଲା ଡେଙ୍ଗୁ

ନୂଆପଲ୍ଲୀ, ସାଲିଆସାହି ହଟ୍‌ସ୍ପଟ୍‌ ସୁନ୍ଦରପଦାରୁ ଚିହ୍ନଟ ହେଲେ ଆକ୍ରାନ୍ତ

ଭୁବନେଶ୍ବର: ଭୁବନେଶ୍ବରରେ ଡେଙ୍ଗୁ ମାଡ଼ିବା ଆରମ୍ଭ କରିଛି। ଗତକାଲି ପର୍ଯ୍ୟନ୍ତ ନୂଆପଲ୍ଲୀ ଅଞ୍ଚଳରେ ସୀମିତ ଥିବା ଡେଙ୍ଗୁ ଆଜି ଆଉ ୫ଟି ଅଞ୍ଚଳକୁ ମାଡ଼ିଛି। ନୂଆପଲ୍ଲୀ ସମେତ ଜୟଦେବବିହାର, ସାଲିଆସାହି, ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ନୂଆପଲ୍ଲୀ ଅଞ୍ଚଳରେ ସର୍ବାଧିକ ୨୦ଜଣ ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲ ସମେତ ବିଭିନ୍ନ ଘରୋଇ ହସ୍ପିଟାଲରେ ଏହି ଆକ୍ରାନ୍ତଙ୍କ ନମୁନା ପଜିଟିଭ୍‌ ଆସିଛି। ଅନ୍ୟପଟେ ସୁନ୍ଦରପଦାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହିଭଳି ଭାବେ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଅତିକ୍ରମ କରିଛି। ନୂଆପଲ୍ଲୀରୁ ଅଧିକ ଆକ୍ରାନ୍ତ ବାହାରୁ ଥିବାରୁ ବିଏମ୍‌ସି ଏହି ଅଞ୍ଚଳକୁ ବେଶି ଗୁରୁତ୍ବ ଦେଇଥିଲା। ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ କରି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିଲା। କିନ୍ତୁ ବିଭିନ୍ନ ଅଞ୍ଚଳକୁ ଡେଙ୍ଗୁ ମାଡ଼ି ଯାଉଥିବାରୁ ବିଏମ୍‌ସିକୁ ଚିନ୍ତା ଘାରିଛି।

ବିଏମ୍‌ସିର ସଚେତନତା ଅଭିଯାନ ଆରମ୍ଭ

ରାସ୍ତାକଡ଼ରୁ ଉଠାଇନେଲେ ଟାୟାର

ଡେଙ୍ଗୁ ବ୍ୟାପିବାର ଖବର ପ୍ରକାଶ ପାଇବା ପରେ ଗତକାଲି ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଅଧିକାରୀମାନଙ୍କୁ ଡାକି ଆଲୋଚନା କରିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ଆଧାରରେ ଆଜି ବିଏମ୍‌ସି ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ଡେଙ୍ଗୁ ମଶା ବଂଶ ନଷ୍ଟ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ବେଚ୍ଛାସେବୀଙ୍କ ଜରିଆରେ ୱାର୍ଡରେ ବୁଲି ସଚେତନତା କରାଯାଇଛି। ପ୍ରତି ୱାର୍ଡରେ ଏଭଳି କରିବାକୁ କୁହାଯାଇଥିଲେ ମଧ୍ୟ ଆଜି ମାତ୍ର ୭ଟି ୱାର୍ଡରେ ହୋଇଥିବା ଖବର ମିଳିଛି।

ସେହିଭଳି ଏକାଧିକ ୱାର୍ଡରେ ମଶା ଧୂଆଁ ଛଡ଼ା ଯାଇଛି। ଦୁଇଟି ଟ୍ରାକ୍ଟର ଓ ୧୦ଟି ଛୋଟ ଟିଫା ମେସିନ୍‌ ଜରିଆରେ ଆଜି ୧୧ଟି ୱାର୍ଡରେ ମଶା ଧୂଆଁ ସ୍ପ୍ରେ’ କରାଯାଇଥିବା ସୂଚନା ମିଳିଛି। ଗାଡ଼ି ପଶି ପାରୁ ନଥିବା ବିଭିନ୍ନ ଗଳିରେ ଛୋଟ ମେସିନ୍‌ଗୁଡ଼ିକୁ ହାତରେ ଧରି କର୍ମଚାରୀ ସ୍ପ୍ରେ’ କରିଛନ୍ତି। ବିଏମ୍‌ସି ୨୦ଟି ଇ-ରିକ୍ସା ଫଗିଙ୍ଗ୍‌ ମେସିନ୍‌ କିଣିବାକୁ ଟେଣ୍ଡର କରିଛି। ଜୁଲାଇ ସୁଦ୍ଧା ଏହି ମେସିନ୍‌ ସବୁ ଆସିଗଲେ ଅପହଞ୍ଚ ଗଳିରେ ମଶା ଧୂଆଁ ସ୍ପ୍ରେ’ କରାଯାଇ ପାରିବ ବୋଲି କୁହାଯାଉଛି।

ବିଏମ୍‌ସି କର୍ମଚାରୀଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଘରକୁ ଘର ବୁଲି ସଚେତନ କରାଇଛନ୍ତି। ଘରେ ଓ ବାହାରେ ଥିବା ଅବ୍ୟବହୃତ ପାଣି ପାତ୍ରକୁ ଓଲଟାଇ ପାଣି ଶୁଖାଇଛନ୍ତି। ‌ଯେଉଁମାନଙ୍କର ଲକ୍ଷଣ ଅଛି, ସେମାନେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କଲେ ସ୍ବାସ୍ଥ୍ୟକର୍ମୀଙ୍କ ଜରିଆରେ ତାଙ୍କର ନମୁନା ପରୀକ୍ଷା ହେବା ସହ ଅନ୍ୟାନ୍ୟ ସମସ୍ତ ସହଯୋଗ ଯୋଗାଇ ଦିଆଯିବ‌ ବୋଲି କର୍ମଚାରୀମାନେ ସଚେତନ କରାଇଛନ୍ତି। ଅନ୍ୟପଟେ ରାସ୍ତାକଡ଼ରେ ଥିବା ଗ୍ୟାରେଜ୍‌ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଟାୟାର ସବୁକୁ ହଟାଯାଇଛି। ୫ଟି ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଆଜି ସହରସାରା ବୁଲି ଏଭଳି ଶହ ଶହ ଟାୟାର ଜବତ କରିଛନ୍ତି। ଅଧିକାଂଶ ଟାୟାରରେ ପାଣି ଜମି ରହିଥିବା ଜବତ ବେ‌ଳେ ଦେଖାଯାଇଛି। ଏଣୁ ଏଗୁଡ଼ିକ ମଶାଙ୍କ ବଂଶ ବୃଦ୍ଧି କରିବାରେ ସହାୟକ ହୋଇଥା’ନ୍ତେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି ନଳା ସଫାକୁ ମଧ୍ୟ ଗୁରୁତ୍ବ ଦେଇଛି।

ସମ୍ବନ୍ଧିତ ଖବର