ଶବରଖି ରାସ୍ତା ଅବରୋଧ, ଟାଟାଏସି ଧକ୍କାରେ ୧ ମୃତ, ଜଣେ ଗୁରୁତର

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ଯଶୁଆପୁର ଗ୍ରାମ ସ୍କୁଲ ନିକଟରେ ଆଜି ମଧ୍ୟାହ୍ନରେ ଏକ ଟାଟାଏସି ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ବାଲିଅନ୍ତା ଥାନା ଅଧୀନ ଟଙ୍କପାଣି ଗ୍ରାମର ସ୍ୱର୍ଗତ ଲକ୍ଷ୍ମୀଧର ସାହୁଙ୍କ ପୁଅ ଜାପାନୀ ଓରଫ ଲିଙ୍ଗରାଜ ସାହୁ (୧୯)। ଗୁରୁତର ଆହତ ହେଲେ ଉକ୍ତ ଗ୍ରାମର ନନ୍ଦୁ ଓରଫ ରାହୁଲ କୁମାର ସାହୁ (୧୮)। ସ୍ଥାନୀୟ ଲୋକ ତୁରନ୍ତ ଚିକିତ୍ସା ଲାଗି ଉଭୟ ଜାପାନୀ ଓ ନନ୍ଦୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ହେଲେ ଡାକ୍ତର ଜାପାନୀଙ୍କୁ ମୃତ ଘୋଷଣା କରିଥଲେ। ଜାପାନୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହୋଇଯିବା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଜାପାନୀଙ୍କ ସମ୍ପର୍କୀୟ ମାନେ ଦୁର୍ଘଟଣା ଘଟାଇଥିବା ଟାଟାଏସି ମାଲିକଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ। ଶତାଧିକ ଗ୍ରାମବାସୀ ଅପରାହ୍ଣରେ ପ୍ରଥମେ ଟଙ୍କପାଣି ମୁଖ୍ୟ ରାସ୍ତାରେ ସନ୍ଧ୍ୟାରେ ଟଙ୍କପାଣି ବ୍ରିଜ୍‌ ନିକଟରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ସମାଜସେବୀ ଚନ୍ଦନ ପାତ୍ରଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚୌଧୁରୀ ଦ୍ୱାରିକା ନାଥ ଦାଶ ଓ ପୁଲିସ କର୍ତୃପକ୍ଷ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ ଜାପାନୀଙ୍କ ମୃତ୍ୟୁ ନୁହେଁ ବରଂ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ତାଙ୍କ ମା’ ସୁଷମା ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୁଷମାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଗାଡ଼ି ମାଲିକ ହୃଦାନନ୍ଦ ମଲିକଙ୍କ ସହିତ ଅନ୍ୟମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୁଷମାଙ୍କ ଅଭିଯୋଗ ମୁତାବକ ତାଙ୍କ ପୁଅ ଜାପାନୀ ସହ ଆଜି ପୂର୍ବାହ୍ନରେ ହୃଦାନନ୍ଦ ଓ ତାଙ୍କ ପରିବାର ମଧ୍ୟରେ ବାଲିଅନ୍ତ ପଞ୍ଚାୟତ ସମିତି ନିକଟରେ ପାଟିତୁଣ୍ଡ ହୋଇଥିଲା। ହୃଦାନନ୍ଦ ତାଙ୍କୁ ହତ୍ୟା ଧମକ ଦେଇଥିଲା। ଏହାର କିଛି ସମୟ ପରେ ଜାପାନୀ ଓ ନନ୍ଦୁ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଯଶୁଆପୁର ସ୍କୁଲ ନିକଟରେ ଟାଟାଏସି (ଓଡି-୨୨ସି-୬୫୨୩) ନେଇ ଆସୁଥିବା ହୃଦାନନ୍ଦ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଜାପାନୀର ମୃତ୍ୟୁ ହୋଇଯାଇଥିବା ବେଳେ ନନ୍ଦୁ ଗୁରୁତର ହୋଇଥିଲା। ଅନ୍ୟପକ୍ଷରେ ପୁଲିସ ବହୁ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଉଭୟ ପକ୍ଷଙ୍କ ଅଭିଯୋଗକୁ ଆଧାର କରି ପୁଲିସ ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର