ଲାଇନ୍‌ କଟିଲେ ୟୁକୋ ବ୍ୟାଙ୍କ ସେବା ଠପ୍‌

ବାଲିପାଟଣା: ସମ୍ପ୍ରତି ଘନଘନ ବିଦ୍ୟୁତ୍ କାଟ୍‌ ହେଉଥିବାରୁ ବନମାଳୀପୁର ୟୁକୋ ବ୍ୟାଙ୍କ୍‌ ଶାଖା ସେବା ଠପ୍‌ ହୋଇଯାଉଥିବା ଅଭିଯୋଗ ହେଉଛି। ବ୍ୟାଙ୍କ୍‌ରେ ଡିଜି ସେଟ୍‌ ନଥିବା ବେଳେ ବ୍ୟାଟେରି ବେଶି ସମୟ କାମ କରୁନାହିଁ। ତେଣୁ ଜରୁରୀ କାମରେ ଏହି ବ୍ୟାଙ୍କ ଶାଖାକୁ ଆସିଥିବା ଗ୍ରାହକମାନେ ସମସ୍ୟାରେ ପଡ଼ୁଛନ୍ତି ଏବଂ ପ୍ରବଳ ଖରାରେ ବିନା ସେବାରେ ଫେରିବାକୁ ବାଧ୍ୟ ହେଉଛନ୍ତି।

ସୂଚନାନୁସାରେ ଆଜି ସକାଳୁ ଲାଇନ କଟିବ ବୋଲି ଶୁକ୍ରବାରଠାରୁ ଆଗୁଆ ସୂଚନା ଦିଆଯାଇଥିଲା। ଫିଡର୍ ମରାମତି ପାଇଁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। ତେଣୁ ସେହି ଅନୁସାରେ ବ୍ୟାଙ୍କ ଶାଖା ପ୍ରସ୍ତୁତ ରହିବା କଥା। ମାତ୍ର ଆଜି ବ୍ୟାଙ୍କ ଶାଖା ଖୋଳିବାର କିଛି ସମୟ ପରେ ବ୍ୟାଟେରି କାମ କଲା ନାହିଁ। ବ୍ୟାଙ୍କିଙ୍ଗ୍‌ ସେବା ବନ୍ଦ ହୋଇଗଲା। ତେଣୁ ଆଜି ବନମାଳୀପୁର ୟୁକୋ ବ୍ୟାଙ୍କ ଶାଖାକୁ ଆସିଥିବା ବହୁ ସଂଖ୍ୟକ ଗ୍ରାହକ ହତାଶ ହୋଇ ଖରାରେ ଛଟପଟ ହୋଇ ଫେରିଥିଲେ। ସୂଚନାଯୋଗ୍ୟ ଯେ ବର୍ଷକ ତଳୁ ଏହି ବ୍ୟାଙ୍କ୍‌ରେ ଲାଗିଥିବା ଡିଜି ସେଟ୍‌ ଓ ଜେନେରେଟରକୁ ଅନ୍ୟତ୍ର କାଢ଼ି ନିଆଯାଇଛି। ତେଣୁ ଲାଇନ୍‌ କଟିବା ସମୟରେ ବ୍ୟାଙ୍କିଙ୍ଗ୍‌ କାମ ବନ୍ଦ ହୋଇଯାଉଛି। ତେଣୁ ଏଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ, ବହୁ ଗ୍ରାହକ ଏହି ଶାଖାରୁ ମୁହଁ ଫେରାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର