ପରିଚୟହୀନଙ୍କ ଶବ ଜଳିଲା ୧୩ ଘଣ୍ଟା: ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ଅନ୍ତିମ ସଂସ୍କାର ଶେଷ

ଜଳିବାକୁ ପ୍ରତି ଶବ ନେଉଥିଲା ୪ ଘଣ୍ଟାରୁ ଅଧିକ

ଭୁବନେଶ୍ବର: ଭରତପୁର ଶ୍ମଶାନରେ ଗତକାଲି ଅପରାହ୍ନରୁ ଆଜି ସକାଳ ପର୍ଯ୍ୟନ୍ତ ୧୩ ଘଣ୍ଟା ଧରି ଲଗାତାର ଜଳିଲା ଚିହ୍ନଟ ହୋଇ ପାରିନଥିବା ବାହାନଗା ରେଳ ଦୁର୍ଘଟଣାର ୨୮ ମୃତକଙ୍କ ଶରୀର। ୧୦ ତାରିଖ ଅପରାହ୍ନ ୫.୩୦ରୁ ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇ ୧୧ ତାରିଖ ସକାଳ ୬.୩୦ରେ ସମ୍ପୂର୍ଣ୍ଣ ହୋଇଛି। ସାଧାରଣ ଶବ ପୋଡ଼ିବା ପାଇଁ ୨ରୁ ସର୍ବାଧିକ ଅଢେଇଘଣ୍ଟା ସମୟ ଲାଗିଥାଏ। କିନ୍ତୁ ସାଢେ ୪ ମାସ ଧରି କଣ୍ଟେନରରେ ବରଫ ଭିତରେ ରହିଥିବା ଏହି ଶବଗୁଡ଼ିକୁ ପୋଡ଼ିବା ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗିଥିବା କହିଛନ୍ତି ଭରତପୁର ଶ୍ମଶାନ ପରିଚାଳନା ଦାୟିତ୍ବରେ ଥିବା ପ୍ରଦୀପ ପୃଷ୍ଟି। ତା’ ଉପରକୁ ଶବକୁ ସଂରକ୍ଷିତ କରି ରଖିବା ପାଇଁ ବ୍ୟବହୃତ ରସାୟନ ମଧ୍ୟ ନିଆଁ ଧରିବାରେ ବାଧକ ସାଜିଥିଲା।

ଶବରେ ଅନେକ ଥର ନିଆଁ ଜଳାଇଲେ ମଧ୍ୟ ତାହା ଜଳୁନଥିଲା। ଏଣେ ଶବ ସମ୍ପୂର୍ଣ୍ଣ କଳା ପଡ଼ିଯାଇ ସେଥିରୁ କେବଳ ପାଣି ବାହାରୁଥିଲା। ତେଣୁ ଅଧିକରୁ ଅଧିକ କାଠ ଦିଆଯାଉଥିଲା ଏବଂ ବାଡ଼ିରେ ଶରୀରକୁ ସଫା କରାଯାଉଥିଲା। ଯେଉଁ ଅଂଶ ସଫା ହେଉଥିଲା ସେହି ଅଂଶ ଜଳୁଥିଲା। ଏଣେ ଦୁର୍ଘଟଣାରେ କ୍ଷତବିକ୍ଷତ ଶରୀର ସାଢେ ୪ ମାସ ପରେ କଣ୍ଟେନରରୁ ବାହାରିବା ପରେ ଏହା ଫୁଲି ଯାଇଥିବାରୁ ତାକୁ ଜୁଇ ପର୍ଯ୍ୟନ୍ତ ଟେକିବା ମଧ୍ୟ କଷ୍ଟକର ଥିଲା। ସେଥିରୁ ଯେଉଁଭଳି ଦୁର୍ଗନ୍ଧ ହେଉଥିଲା, ଶବ ପରିଚାଳନା ଦାୟିତ୍ବରେ ଥିବା ସାମାଜିକ କର୍ମୀଙ୍କ ଠାରୁ ଆରମ୍ଭ କରି ବିଏମ୍‌ସି ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସେଠାରେ ଛିଡ଼ା ହେବା ଅସହ୍ୟ ହେଉଥିଲା। ବାରମ୍ବାର କର୍ପୁର ଓ ଝୁଣା ଦିଆଯାଇ ପରିବେଶକୁ ସ୍ବାଭାବିକ କରିବାକୁ ଚେଷ୍ଟା କରାଯାଉଥିଲା। ସାଧାରଣ ଗୋଟିଏ ମୃତ ଶରୀରର ଅନ୍ତିମ ସଂସ୍କାର ପାଇଁ ୨ରୁ ଅଢେଇ କ୍ବିଣ୍ଟାଲ କାଠ ବ୍ୟବହୃତ ହୁଏ, କିନ୍ତୁ ଏହି ଶବଗୁଡ଼ିକର ଦାହ ପାଇଁ ଶବପିଛା ୪କ୍ବିଣ୍ଟାଲରୁ ଅଧିକ କାଠ ଦରକାର ହୋଇଥିଲା। ପ୍ରଦୀପ କହନ୍ତି, ଅସହାୟ, ଅପରିଚିତ ଓ ଦୁର୍ଗନ୍ଧଯୁକ୍ତ ଶବଙ୍କୁ ଉଦ୍ଧାର କରି ଅନ୍ତିମ ସଂସ୍କାର କରିବା ତାଙ୍କ ପାଇଁ ନୂଆ କଥା ନୁହେଁ। କିନ୍ତୁ ଏକା ସହିତ ଏତେ ସଂଖ୍ୟକ ଏବଂ ଏତେ ପୁରୁଣା କ୍ଷୟବିକ୍ଷତ ଥିବା ଦୁର୍ଘଟଣାଗ୍ରସ୍ତ ଶବଙ୍କ ଅନ୍ତିମ ସଂସ୍କାର ତାଙ୍କ ପାଇଁ ସଂପୂର୍ଣ୍ଣ ଅଭିଜ୍ଞତା ଥିଲା।

ପରିଚୟ ଚିହ୍ନଟରେ ସିବିଆଇ ବି ଫେଲ୍‌

ବାହାନଗା ରେଳ ଦୁର୍ଘଟଣା ଅପରିଚିତଙ୍କ ଅନ୍ତିମ ସଂସ୍କାର ନେଇ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମାଜିକ କର୍ମକର୍ତା ମହେନ୍ଦ୍ର ପରିଡ଼ା କହିଛନ୍ତି, ୨୮ ମୃତକଙ୍କୁ ଚିହ୍ନଟ କରିବାରେ ସିବିଆଇ ବିଫଳ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତାଙ୍କ ସମେତ ସାମାଜିକ ଗଣମାଧ୍ୟମରେ ଆହୁରି ଅନେକ ଲୋକ କହିଛନ୍ତି ଯେ ଆଧାର କାର୍ଡ ବ୍ୟବସ୍ଥା ଥାଇ ମଧ୍ୟ ଯଦି ପରିଚୟ ଚିହ୍ନଟ ହୋଇ ପାରୁନାହିଁ, ତେବେ ଏହି ପ୍ରକ୍ରିୟାକୁ ବନ୍ଦ କରି ଦିଆଯିବା ଉଚିତ। ଆଉ କିଛି ବ୍ୟକ୍ତିଙ୍କ ଅନୁସାରେ, ସେମାନେ ଗରିବ ପ୍ରବାସୀ କିମ୍ବା ବାହାର ଦେଶରୁ ଆସିଥିବା ଶରଣାର୍ଥୀ ହୋଇପାରନ୍ତି, ଯାହାଙ୍କୁ କେହି ଖୋଜିଲେ ନାହିଁ କିମ୍ବା ଯାହାଙ୍କ ମୃତ୍ୟୁ ସୂଚନା ପ୍ରିୟଜନଙ୍କ ପାଖରେ ପହଞ୍ଚିଲା ନାହିଁ। ଅବଶ୍ୟ ବର୍ତ୍ତମାନ ମଧ୍ୟ ସେମାନଙ୍କ ଡିଏନ୍‌ଏ ସଂରକ୍ଷିତ ହୋଇଥିବାରୁ, କେହି ସମ୍ପର୍କୀୟ ଆସିଲେ ଏବଂ ପ୍ରଶାସନ ସହଯୋଗ କଲେ ପରିଚୟ ମିଳିବା ଅସମ୍ଭବ ନୁହେଁ। ଶତ୍ରୁର ଶବକୁ ମଧ୍ୟ ଉପଯୁକ୍ତ ସମ୍ମାନ ଦେବାର ଅନ୍ତର୍ଜାତୀୟ ନିୟମ ବା ପରଂପରା ପୌରାଣିକ ଯୁଗରୁ ଆଜିଯାଏ ରହି ଆସିଛି। ଏ ଶବଗୁଡ଼ିକୁ ଉପଯୁକ୍ତ ସମ୍ମାନର ସହିତ ଦାହ କରାଗଲା, ସେଥିରେ ସନ୍ଦେହ ନାହିଁ। କିନ୍ତୁ ପାଉଁଶରେ ପରିଣତ ହେବା ପୂର୍ବରୁ ଅତିକମ୍‌ରେ ସେମାନଙ୍କ ନାଁ ଖୋଜି ଆଣି ଦେଇଥିଲେ ତାଙ୍କ ପାଇଁ ସର୍ବୋଚ୍ଚ ସମ୍ମାନ ହୋଇ ଥାଆନ୍ତା, ସମସ୍ତେ ଏକମତ ହୋଇଛନ୍ତି।

କୋଭିଡ଼ ସମୟରେ ଗୋଟିଏ ଦିନରେ ଲଗାତାର ୬୦ ଶବ ପୋଡ଼ିଥିଲୁ
‘‘ସାଢେ ୪ ମାସ ପରେ ୨୮ ଶବଙ୍କ ଅନ୍ତିମ ସଂସ୍କାର ଭଳି କୋଭିଡ୍‌ ସମୟର ଅନୁଭବ ବି ବିରଳ ଥିଲା। କୋଭିଡ୍‌ର ପ୍ରଥମ ବର୍ଷ ସ୍ଥିତି ଅତି ଗମ୍ଭୀର ଥିଲା। ରାଜଧାନୀର ଅଧିକାଂଶ ମୃତକଙ୍କ ଶବ ସତ୍ୟନଗରରେ ଅନ୍ତିମ ସଂସ୍କାର କରାଯାଉଥିଲା। ସେହି ସମୟରେ ଗୋଟିଏ ଦିନରେ ଲଗାତାର ୬୦ ଜଣଙ୍କ ଶବ ଆମେ ପୋଡ଼ିଥିଲୁ। କୋଭିଡ୍‌ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ବେଳକୁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପଡ଼ୁଥିଲା। ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଶବଙ୍କ ଧାଡ଼ି ସତ୍ୟନଗର ଶ୍ମଶାନରେ ଲାଗୁଥିଲା। ଏଥିପାଇଁ ମନ ଭାରି ଭାରାକ୍ରାନ୍ତ ଲାଗୁଥିଲା।’’
ପ୍ରକାଶ ନାଏକ, ସତ୍ୟନଗର ଶ୍ମଶାନ ପରିଚାଳକ

ପ୍ରଥମ ଶବ ଉଦ୍ଧାର ବେଳେ କାର୍ଯ୍ୟ ଛାଡ଼ିବାର ନିଷ୍ପତ୍ତି ନେଇଥିଲି
‘‘ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସାରି ଆଜି ସକାଳେ ଘରେ ପହଞ୍ଚିଛି। ବହୁତ ବଡ଼ ଓ କଷ୍ଟକର ଦାୟିତ୍ବ ନିର୍ବାହ କରିବାର ଅନୁଭବ ହୋଇଛି। ଅନ୍ତିମ ସଂସ୍କାରର ୧୨ ଘଣ୍ଟା ମୋ’ ମୁଣ୍ଡରେ ଅନ୍ୟ କୌଣସି ପଶି ନଥିଲା। ସାଥୀଙ୍କ ସହିତ ମରଶରୀର ଟେକି ଜୁଇରେ ଥୋଇବା ଏବଂ ମୁଖାଗ୍ନି ଦେଇ କିଭଳି ଭଲ ଭାବରେ ପୋଡ଼ିବ- ଏହି କଥା ହିଁ ମୋ’ ମୁଣ୍ଡ ଭିତରେ ଚାଲିଥିଲା। ମରଶରୀର ଉଦ୍ଧାର କାର୍ଯ୍ୟ ଭାବିଲେ ଯେତେ ମହତ ଅନୁଭବ ହୁଏ, ବାସ୍ତବିକତା କିନ୍ତୁ ଭିନ୍ନ। ୨୦୧୯ ମସିହାରେ ପ୍ରଥମ କରି ଚକେଇସିଆଣି ନିକଟସ୍ଥ କେନାଲରେ ଭାସୁଥିବା ଏକ ଶବ ଉଦ୍ଧାର କରିଥିଲି। ୩୦ ଫୁଟ ତଳକୁ ଯାଇ ସେହି କାର୍ଯ୍ୟ କରିବା ଯେଉଁ କଷ୍ଟକର ଥିଲା, କହିବା ପାଇଁ ଭାଷା ନାହିଁ। ଶବଟି ପାଣିରେ ପଡ଼ି ଫୁଲି ଯାଇଥିଲା। ତେଣୁ ଟାଣିବା ବହୁତ କଷ୍ଟକର ଥିଲା। ଏଣେ ଦୁର୍ଗନ୍ଧ ସହିତ ଦେହାସାରା ପୋକ ସାଲୁବାଲୁ ହେଉଥିଲା। ଗ୍ଲୋବ୍ସ ଓ ମାସ୍କ ପିନ୍ଧିଥିଲେ ମଧ୍ୟ ପୋକ ଦେହ ଭିତରକୁ ପଶି ଯାଉଥିଲା। ତେଣୁ ସେହିକ୍ଷଣି ହିଁ ନିଷ୍ପତ୍ତି ନେଇଥିଲି ଯେ ଏହି କାର୍ଯ୍ୟ ଆଉ କେବେ ମଧ୍ୟ କରିବି ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁ ପ୍ରଶଂସା ମିଳିଲା, ସେହି କାରଣରୁ ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟ ଛାଡ଼ି ନାହିଁ।’’
ମଧୁସ୍ମିତା, ଭରତପୁର ଶ୍ମଶାନ ପରିଚାଳିକା

ସମ୍ବନ୍ଧିତ ଖବର