କଥାଟିଏ ; ଗାନ୍ଧୀଙ୍କ ନୀତି

ଏ କଥାଟି ହୁଏ’ତ ଅନେକଙ୍କୁ ଜଣା ଥିବ। ତେବେ ଏହି ଛୋଟ ଘଟଣାରୁ ମହାତ୍ମା ଗାନ୍ଧୀଙ୍କ ମହାନ ଜୀବନ ଦର୍ଶନ ବାବଦରେ ଝଲକ ମିଳିଥାଏ। ଦିନେ ଜଣେ ମହିଳା ତାଙ୍କର ଛୋଟ ପୁଅକୁ ଧରି ଗାନ୍ଧୀଙ୍କ ପାଖରେ ପହଞ୍ଚିଲେ। ସେ ଗାନ୍ଧୀଜିଙ୍କୁ କହିଲେ- ମୋର ପିଲାଟି ପ୍ରବଳ ମିଠା ଖାଉଛି। ମୁଁ ଯେତେ ମନା କଲେ ବି ଶୁଣୁ ନାହିଁ। ଆପଣ ତାକୁ ଟିକିଏ ମନା କରନ୍ତୁ। ଆପଣ ମନା କଲେ ସେ ଶୁଣିବ। ଗାନ୍ଧୀଜି ଏହା ଶୁଣି ମହିଳାଙ୍କୁ କହିଲେ- ଆପଣ ସାତ ଦିନ ପରେ ଆସନ୍ତୁ। ମୁଁ ଆପଣଙ୍କ ପୁଅକୁ କହିଦେବି। ମହିଳା ଜଣକ ବିସ୍ମିତ ହେଲେ। ଏହି ସାମାନ୍ୟ କଥାଟିକୁ କହିବା ଲାଗି ଗାନ୍ଧୀ ସାତ ଦିନ ସମୟ କାହିଁକି ନେବାକୁ ଚାହୁଁଛନ୍ତି ବୋଲି ସେ ବୁଝିପାରିଲେ ନାହିଁ। ତେବେ, ସେ ଯାହା ହେଉ ସାତ ଦିନ ପରେ ସେ ଗାନ୍ଧୀଙ୍କ ପାଖକୁ ଆସିଲେ। ଏବେ ଗାନ୍ଧୀ ପିଲାଟିକୁ କୋଳରେ ବସାଇ ତାକୁ ମିଠା ନ ଖାଇବାକୁ କହିଲେ।

ଏତିକିରେ ସନ୍ତୁଷ୍ଟ ମାଆ ନିଜ ପିଲାକୁ ଧରି ଯିବାକୁ ବାହାରିବା ବେଳେ ପଚାରିଲେ, ବାପୁ, ଆପଣ ଏଇ ଧାଡ଼ିକ କଥା କହିବା ଲାଗି କାହିଁକି ସାତ ଦିନ ସମୟ ନେଲେ? ଗାନ୍ଧୀଜି କହିଲେ- ମା’ ମୁଁ ନିଜେ ହେଉଛି ମିଠା ପ୍ରିୟ। ଏମିତି ଅବସ୍ଥାରେ ମିଠା ଭଲ ପାଉଥିବା ଆଉ କାହାକୁ ମିଠା ଛାଡ଼ିବା ଲାଗି କହିବା ଶଠତା ହେବ। ତେଣୁ ମୁଁ ପ୍ରଥମେ ମିଠା ଛାଡ଼ିବାର ଉଦ୍ୟମ କଲି। ସାତ ଦିନ ଭିତରେ ମୁଁ ମିଠା ସ˚ପୂର୍ଣ୍ଣ ଭାବେ ଛାଡ଼ି ପାରିଛି। ଏବେ ମିଠା ଛାଡ଼ିବା ନେଇ ମୁଁ ଯାହାକୁ କହିବି ତାହା ବିଶ୍ବସନୀୟ ଲାଗିବ। ଏହାର ପ୍ରଭାବରେ ଆପଣଙ୍କ ପୁଅ ବି ମିଠା ଛାଡ଼ି ଦେଇପାରେ! ନିଜ ଉପରେ ପ୍ରୟୋଗ ନ କରି ଗାନ୍ଧୀଜି କାହାକୁ କୌଣସି କାମ କରିବାକୁ କହୁ ନ ଥିଲେ। ଏହା ଥିଲା ତାଙ୍କର ନୀତି।

ସମ୍ବନ୍ଧିତ ଖବର