ସାନ ଭାଇର ଓଜନ!

ନଗେନ୍ଦ୍ର ନାଥ ପଟ୍ଟନାୟକ

ସାତ କି ଆଠ ବର୍ଷର ଝିଅଟିଏ। ଦିନେ ସେ ତା ଠାରୁ ଦି ତିନି ବର୍ଷ ସାନ ଛୁଆଟିକୁ କାଖରେ ଧରି କୁଆଡକୁ ଯାଉଥାଏ। ଝିଅଟି ଦିଶୁଥାଏ ଖୁବ୍‌ ଦୁର୍ବଳ। ଏଣେ ସେ କାଖରେ ଜାକି ଧରିଥିବା ପିଲାଟି ଥାଏ ବେଶ୍‌ ହୃଷ୍ଟପୁଷ୍ଟ। ନଡ଼ନଡ଼ିଆ ଝିଅଟି ତଥାପି ଖୁବ୍‌ ଜୋରରେ ପାହୁଣ୍ତ ପକାଇ ଚାଲୁଥାଏ। ସେଇ ବାଟରେ ଯାଉଥିବା ଜଣେ କେହି ଝିଅଟିକୁ ପଚାରି ଦେଲେ-ଆଲୋ ଝିଅ, କେମିତି ତୁ ଏ ଓଜନିଆ ପିଲାଟିକୁ କାଖେଇ ଏତେ ଜୋରରେ ଚାଲିଯାଉଛୁ? ଏ କଥା ଶୁଣି ଝିଅ କହିଲା- ଓଜନ? ୟେ ପରା ମୋର ସାନ ଭାଇ! ଏଥିରୁ ପରିଷ୍କାର ବାରି ହୋଇ ପଡୁଥିଲା ଯେ ଝିଅଟି ତାର ସାନଭାଇକୁ ଭାରି ଭଲ ପାଏ। ସେଥିପାଇଁ ତା ଭାଇ ତାକୁ ଓଜନିଆ ଲାଗୁ ନାହିଁ।

ଏ କଥାଟି ଏଠାରେ ଅବତାରଣା କରିବାର ତାତ୍ପର୍ଯ୍ୟ ହେଲା, ଯେଉଁ କାମକୁ ଆମେ ଶ୍ରଦ୍ଧାର ସହିତ କରିବା, ତାହା ଆମକୁ ଓଜନିଆ ଲାଗିବ ନାହିଁ; ବର˚ ସେହି କାମରୁ ଆମକୁ ଆନନ୍ଦ ମିଳିବ। ଉଦାହରଣ ସ୍ବରୂପ ଜଣେ ଡାକ୍ତର ଯଦି ସେବା ମନୋଭାବ ସ˚ପନ୍ନ ବ୍ୟକ୍ତି ହୋଇଥିବେ, ତେବେ ସେ ଜଣେ ଦରଦୀ ଡାକ୍ତର ହେବେ। ସେ ଅଧିକ ସମୟ ଅକ୍ଳାନ୍ତ କାମ କରିପାରିବେ ତଥା ତାଙ୍କ କାମ ବା ବୃତ୍ତିରୁ ତାଙ୍କୁ ଆନନ୍ଦ ମିଳିବ। କିନ୍ତୁ, ସମସ୍ୟାଟି ହେଲା, କେବଳ ଅଳ୍ପ କିଛି ଭାଗ୍ୟବାନଙ୍କୁ ସେମିତି ବୃତ୍ତି ବା କର୍ମ ସ˚ସ୍ଥାନଟିଏ ମିଳେ। ଆମେ ଦେଖୁ ଯେ ଚିତ୍ରକରଟିଏ ହେବା ଲାଗି ପ୍ରତିଭାରେ ଭରପୂର ଯୁବକଟିଏ ବ୍ୟାଙ୍କରେ ଚାକିରି କରୁଛି। ଯଦି ଚିତ୍ରକରର ବୃତ୍ତିରୁ ସେ ଅର୍ଥ ଓ ସମ୍ମାନ ପାଉଥାଆନ୍ତା, ତେବେ ତା ଲାଗି ଆଉ ଅଧିକ ସୁଖାନୁଭୂତି କିଛି ହେଲେ ଥାଆନ୍ତା କି? ଗୀତ ଗାଇବାକୁ ଭଲ ପାଉଥିବା ବ୍ୟକ୍ତି ଗାୟକ ହେଲେ ବା ଖେଳିବାକୁ ଚାହୁଁଥିବା ବ୍ୟକ୍ତି ଖେଳାଳି ହେଲେ ବା ସିନେମା ତିଆରି କରିବାକୁ ଚାହୁଁଥିବା ବ୍ୟକ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶନା ବୃତ୍ତି ଭାବେ ପାଇଲେ ଏଭଳି ଆନନ୍ଦ ଲାଭ କରିଥାଆନ୍ତି, ଯେଉଁଥିରେ ସେମାନଙ୍କ ବୃତ୍ତି ବା କାର୍ଯ୍ୟ କେବଳ କାମ ମାତ୍ରଟିଏ ନ ହୋଇ ଆନନ୍ଦର ଗୋଟିଏ ସ୍ରୋତ ହୁଏ। ପଡ଼ିଆରେ ବିରାଟ କୋହଲୀ ଏବ˚ ଷ୍ଟେଜ୍‌ ଉପରେ ଗାୟିକା ସୁନିଧି ଚୌହାନଙ୍କୁ ଦେଖିଛନ୍ତି? ନିଜ କାମରୁ ସେମାନେ ପାଉଥିବା ଆନନ୍ଦର ବୈଦ୍ୟୁତିକ ଚମକ ଚତୁର୍ଦିଗକୁ ସ˚ଚରି ଯାଏ ନାହିଁ କି? ୟେ ତ ଗଲା ବୃତ୍ତି କଥା। ଏବେ ବ୍ୟକ୍ତିଗତ ଜୀବନକୁ ଦେଖିବା। ଉଦାହରଣଟିଏ ଦେଖନ୍ତୁ। ଯେଉଁ ନାରୀ ନିଜ ପୁଅର ବା ସ୍ବାମୀର ଦେହ ଖରାପ ସମୟରେ ଭୋକଶୋଷ ଭୁଲି ବିନିଦ୍ର ରଜନୀ ଜଗି ବସି ସେବା କରିପାରେ, ସେ ହୁଏତ ନିଜ ଶାଶୁଙ୍କ ସେବା ସେଭଳି କରିବାରେ ସମର୍ଥ ହୋଇ ନ ପାରେ। ଏହାର କାରଣ କ’ଣ? ଏହାର କାରଣ ହେଲା, ମନରେ ଥିବା ସ୍ନେହ ବା ଶ୍ରଦ୍ଧା କାମର ଓଜନକୁ କମାଇ ଦିଏ। ସେଭଳି କାର୍ଯ୍ୟ କ୍ଳାନ୍ତି ଦିଏ ନାହିଁ।

ତେଣୁ ନିଜର ଜୀବନକୁ ଆନନ୍ଦମୟ କରିବାକୁ ହେଲେ ପ୍ରଥମେ ଆମକୁ ଜାଣିବାକୁ ହେବ ଯେ କେଉଁ କାମକୁ ଆମେ ଶ୍ରଦ୍ଧାର ସହିତ କରିପାରିବା। ଯଦି ସେଇ ସ˚ପର୍କିତ ବୃତ୍ତିଟିଏ ଆମେ ଖୋଜିବା ଏବ˚ ଭାଗ୍ୟରେ ଥିଲେ ପାଇବା, ତେବେ ଆମେ ଆପଣା ଛାଏଁ ସେ କାମରେ ଦକ୍ଷତା ହାସଲ କରିପାରିବା ଓ କାମରେ ସଫଳ ମଧୢ ହୋଇପାରିବା। ସେମିତି ବ୍ୟକ୍ତିଗତ ଜୀବନରେ ଆମେମାନେ ଅନ୍ୟମାନଙ୍କ ପ୍ରତି ବିଦ୍ବେଷ କମ୍‌ ରଖି ଅଧିକ ସ୍ନେହ ରଖିବା। ଏଥିରେ ସମର୍ଥ ହେଲେ ଆମର ବ୍ୟକ୍ତିଗତ ଓ ସାମଜିକ କର୍ତ୍ତବ୍ୟ ସ˚ପାଦନ ବି ଆନନ୍ଦଦାୟକ ହୋଇପାରିବ।

ସେହି କୃଶକାୟା କୁନି ଝିଅଟି ତା ଭାଇକୁ କାଖେଇ ନେଉଥିବା ଦେଖିଲେ ମନରେ ଯେଉଁ କଥାଟି ଆସିଥାଏ, ତାହା ହେଉଛି ବୋଧହୁଏ ଶକ୍ତିର ଏକ ବଡ଼ ସ୍ରୋତ ହେଉଛି ପ୍ରେମ ବା ସ୍ନେହ। ଏହା ଜଣକୁ ଯେ କୌଣସି କଠିନ କାର୍ଯ୍ୟ କରିବାକୁ ପ୍ରେରଣା-ସାମର୍ଥ୍ୟ ଦେଇପାରେ, ଯେ କୌଣସି ବଳିଦାନ ଲାଗି ପ୍ରସ୍ତୁତ ତାକୁ କରିପାରେ, ଏହା ଜଣକୁ ଅପୂର୍ବ ଦକ୍ଷତା ଦେଇପାରେ ଓ ପରିଶେଷରେ ଏହା ତାକୁ ଶ୍ରାନ୍ତି ବା କ୍ଳାନ୍ତି ନୁହେଁ, ଅଜସ୍ର ଆନନ୍ଦ ଦେଇପାରେ।

୯୯୯-୩,ଜଗମୋହନ ନଗର, ଖଣ୍ତଗିରି
ମୋ-୯୪୩୮୩୩୨୧୩୮

ସମ୍ବନ୍ଧିତ ଖବର