ଚେନ୍ନାଇ: ଆର୍‌କେ ନଗର ଉପନିର୍ବାଚନ ଫଳାଫଳକୁ କେନ୍ଦ୍ର କରି ଶାସକ ଏଆଇଡିଏମ୍‌କେ ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଡିଏମ୍‌କେ ଖଣ୍ଡନ କରିଛି। ଏଆଇଡିଏମ୍‌କେ ପ୍ରାର୍ଥୀ ମଧୁସୂଦନନ୍‌ଙ୍କୁ ୪୦,୦୦୦ରୁ ଅଧିକ ଭୋଟରେ ହରାଇ ଦେଇଥିବା ଦଳର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ଦିନାକରନ୍‌ଙ୍କୁ ବିରୋଧୀ ଡିଏମ୍‌କେ କୁଆଡ଼େ ଗୋପନରେ ସହଯୋଗ କରିଥିଲା ବୋଲି ଏଆଇଡିଏମ୍‌କେ ପକ୍ଷରୁ ଅଭିଯୋଗ ଉଠିଥିଲା। ତେବେ ଏଭଳି ଭିତ୍ତିହୀନ ଅଭିଯୋଗକୁ ଖଣ୍ଡନ କରିବା ସହ ଦିନାକରନ୍‌ଙ୍କ ସହ କୌଣସି ପ୍ରକାର ଗୋପନ ବୁଝାମଣା ହୋଇନାହିଁ ବୋଲି ଡିଏମ୍‌କେ ସାଧାରଣ ସମ୍ପାଦକ ଏମ୍‌କେ ଷ୍ଟାଲିନ୍‌ ସ୍ପଷ୍ଟ କରିଛନ୍ତି।

Advertisment

ଅପରପକ୍ଷେ, ସେହି ଉପନିର୍ବାଚନରେ ଶାସକ ଏଆଇଡିଏମ୍‌କେ ଏବଂ ଦିନାକରନ୍‌ଙ୍କ ପକ୍ଷରୁ ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି ବିପୁଳ ଅର୍ଥ ଖଟାଯାଇଥିବାରୁ ଡିଏମ୍‌କେ ପ୍ରାର୍ଥୀଙ୍କୁ ପରାଜୟ ଦେଖିବାକୁ ପଡ଼ିଲା ବୋଲି ଷ୍ଟାଲିନ୍‌ ପାଲଟା ଅଭିଯୋଗ ଆଣିଛନ୍ତି। ଏପରି ସ୍ଥଳେ କାହା ସହ ଗୋପନ ବୁଝାମଣା ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି।