ମୃତପ୍ରାଣୀଙ୍କୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି ଆମେରିକୀୟ ମହିଳା, ବିତାଉଛନ୍ତି ଯାଯାବର ଜୀବନ

ରାସ୍ତା ଦୁର୍ଘଟଣାରେ ପଶୁପକ୍ଷୀଙ୍କ ଜୀବନ ଯିବା ଏକ ସାଧାରଣ କଥା। କିନ୍ତୁ ସେହି ପଶୁଙ୍କୁ ଜଣେ ମଣିଷ ଖାଉଥିବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଏପରି ଜଣେ ମହିଳା ଅଛନ୍ତି ଯିଏ ରାସ୍ତାରେ ପଡ଼ିଥିବା ମୃତ ପଶୁମାନଙ୍କୁ ଖାଇବା ପାଇଁ ସଂକୋଚ କରିନଥାନ୍ତି। ଏହି ମହିଳାଙ୍କ ନାଁ ‌ହେଉଛି ମାଣ୍ଡର୍ସ ବର୍ଣ୍ଣେଟ୍‌। ବୟସ ମାତ୍ର ୩୨ ବର୍ଷ। ମାଣ୍ଡର୍ସ ଆମେରିକାର ଓରେଗନ୍‌ର ବାସିନ୍ଦା। ‌ତାଙ୍କର ଏହି ଅଜବ ଅଭ୍ୟାସକୁ ନେଇ ମାଣ୍ଡର୍ସ ଏବେ ଖୁବ୍‌ ଚର୍ଚ୍ଚାରେ। କାରଣ ସେ ଚାହି ନ ଥାନ୍ତି, କୌଣସି ମୃତପଶୁଙ୍କ ମୃତ୍ୟୁ ବୃଥା ଯାଉ ବୋଲି।

ରିପୋର୍ଟ ଅନୁଯାୟୀ ସେ ଗତ ୪ବର୍ଷ ଧରି ଏକ ଯାଯାବର ଜୀବନଯାପନ କରୁଛନ୍ତି ଏବଂ ଆଧୁନିକ ଦୁନିଆର ଚାକଚକ୍ୟରୁ ଦୂରେଇ ଏକ ପ୍ରାକୃତିକ ପରିବେଶରେ ତମ୍ବୁ ତିଆରି କରି ରହୁଛନ୍ତି। ସେ କହନ୍ତି, ଜୁଲାଇ ୨୦୧୯ରୁ ଯେତେବେଳେ ଯାଯାବର ଜୀବନଯାପନ ଆରମ୍ଭ କଲେ ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ, ଯିଏକି ଦୀର୍ଘ ୬ବର୍ଷ ଧରି ଘୋଡ଼ାରେ ଯାତ୍ରା କରିଥିଲେ। ତାଙ୍କ ଜୀବନଶୈଳୀ‌ ମାଣ୍ଡର୍ସଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ସେ ବନ୍ୟଜନ୍ତୁ ଟେକ୍ନିସିଆନ ଭାବରେ ଥିବା ଚାକିରି ଛାଡ଼ି ସେହି ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିଲେ। ତାଙ୍କ ସହ ସେ ଅଢ଼େଇ ବର୍ଷ ବିତାଇଥିଲେ। କିଛି ବର୍ଷ ପରେ ଏବେ ତାଙ୍କଠାରୁ ଅଲଗା ହୋଇ ଏକୁଟିଆ ରହୁଛନ୍ତି ଏବଂ ତାଙ୍କ ସହ ଦୁଇ ଘୋଡ଼ା ହୁଇଟ୍‌ସୁ ଓ ପାକ୍ସଟ୍ୱେଲା ମଧ୍ୟ ରହୁଛନ୍ତି। ସେ ନିଜ ପୋଷାକକୁ ଧୋଇବା ଓ ଗାଧୋଇବା ପାଇଁ କୂଅ ପାଣି ବ୍ୟବହାର କରୁଛନ୍ତି। ରୋଷେଇ କରିବା ପାଇଁ ଏକ କାଠ ଚୁଲି ଏବଂ ତାଙ୍କ ଫୋନକୁ ଚାର୍ଜ କରିବା ପାଇଁ ଏକ ସୋଲାର ବ୍ୟାଟେରୀ ବ୍ୟବହାର କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ଏହି ଛୋଟ ଜାଗାରେ ରହିବାକୁ ଅଭ୍ୟସ୍ତ ହୋଇସାରିଲିଣି’। ରାସ୍ତାରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଏବଂ ପଶୁମାନଙ୍କୁ ଧକ୍କା ଦେଇ ପଡ଼ିଯାଉଥିବା ଲୋକଙ୍କୁ ଏକ ବାର୍ତ୍ତା ଦେଇ ସେ କହିଛନ୍ତି, ‘ମୃତ ପଶୁମାନଙ୍କ ଉପରେ ଗାଡ଼ି ଚଢ଼ାନ୍ତୁ ନାହିଁ ଯଦି କୌଣସି ଆହତ ବା ମୃତ ଜୀବକୁ ଦେଖୁଛନ୍ତି ତେବେ ସେଠି କିଛି ସମୟ ଅଟକି ସେମାନଙ୍କୁ ସାହାଯ୍ୟ କରନ୍ତୁ।’

ସମ୍ବନ୍ଧିତ ଖବର