ଝିଅଟିର ଏହି ଦକ୍ଷତାରେ ଚକିତ ହୋଇ ଭିଡିଓ ସେୟାର୍‌ କଲେ ଆନନ୍ଦ ମହିନ୍ଦ୍ରା, ବଢ଼ାଇ‌ଲେ ସହଯୋଗର ହାତ

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ୍‌ ମିଡିଆରେ ସବୁବେଳେ ଖୁବ୍‌ ସକ୍ରିୟ ଥାଆନ୍ତି। ସେ କିଛି ବି ଭଲ୍‌ ଭାଇର‌ାଲ୍‌ ଭିଡିଓ ପାଇଗଲେ ତାହାକୁ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସେୟାର୍‌ କରିବାକୁ ଆଦୌ ଭୁଲନ୍ତି ନାହିଁ। ସବୁ‌ବେଳେ ତାଙ୍କ ଭିଡିଓଗୁଡ଼ିକରେ କିଛି ନା କିଛି ଶିକ୍ଷଣୀୟ କିମ୍ବା ପ୍ରେରଣାଦାୟକ ବାର୍ତ୍ତା ରହିଥାଏ।

ନିକଟରେ ସେ ତାଙ୍କ ଟ୍ବିଟର୍‌ରେ ଏକ ଝିଅର ଭିଡିଓ ସେୟାର କରିଛନ୍ତି। ଝିଅଟି ଜଣେ ଚିତ୍ରଶିଳ୍ପୀ। ସେ ଏକାଥରକେ ୧୫ ଜଣ ମହାପୁରୁଷଙ୍କ ଚିତ୍ର କରୁଥିବାର ଏକ ଭିଡି‌ଓରେ ଦେଖିବାକୁ ମିଳିଛି। ଏହି ଝିଅଟି ନିଜର କଳାକୃତି ପାଇଁ ଗିଜିନ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବା ସୂଚନା ରହିଛି। ଏକାସାଥିରେ ୧୫ଟା ଚିତ୍ର ଆଙ୍କି ଝିଅଟି ରେକର୍ଡ କରିଥିବା ବେଳେ ଏହା ଆନନ୍ଦ ମହିନ୍ଦ୍ରାଙ୍କୁ ଖୁବ୍‌ ଚକିତ କରିଛି।

ସେ ଭିଡିଓଟିକୁ ‌ତ‌ାଙ୍କ ଟ୍ବିଟର୍‌ରେ ସେୟାର କରି ଲେଖିଛନ୍ତି, ‘‘ଏହା କିପରି ସମ୍ଭବ? ବାସ୍ତବରେ ‌ସେ ଜଣେ ଦକ୍ଷ କଳାକାର। ମାତ୍ର ଏକାସାଥୀରେ ୧୫ଟା ଚିତ୍ର କରିବା କଳାଠାରୁ ବି ଅଧିକ, ଏହା ଚମତ୍କାର। ଯଦି କେହି ତାଙ୍କ ଅଞ୍ଚଳର ଅଛନ୍ତି ତ ମୋତେ ସୂଚୀତ କରାଇଲେ ମୁଁ ତାଙ୍କୁ ଛାତ୍ର ବୃତ୍ତି ସହ ଅନ୍ୟାନ୍ୟ ସହାୟତା କରିବାକୁ ଚାହେଁ।’’

ଏହି ଭିଡିଓଟି ଆନନ୍ଦ ମହିନ୍ଦ୍ରାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ ହେବା ପରେ ଏହାର ଭିୟୁ ୬ ଲକ୍ଷରୁ ଅଧିକ ହୋଇ ସାରିଲାଣି। ଏହି ଭିଡିଓଟିକୁ ଦେଖିବା ପରେ ବିଭିନ୍ନ ମହଲରେ ଏବେ ଝିଅଟିର ପ୍ରଶଂସା ହେଉଛି।

ସମ୍ବନ୍ଧିତ ଖବର