ମୋ ଦେହର ପ୍ରତ୍ୟେକ ରକ୍ତବିନ୍ଦୁ ଓଡ଼ିଆର

ଗତ ମାର୍ଚ୍ଚ ୧ ତାରିଖରେ ‘କଟକ ରୁପା ତାରକସି’କୁ ଜି.ଆଇ. ମାନ୍ୟତା ମିଳିବା ଖବରଟି ସାରା ଓଡ଼ିଶାରେ ଖୁସିର ଲହରୀ ଖେଳାଇ ଦେଇଛି। ଏହି ଅବସରରେ ମନେ ପଡ଼ିଯାଉଛି ଓଡ଼ିଶାର ଏଇ ପାରମ୍ପରିକ କାରିଗରମାନଙ୍କୁ ସଙ୍ଗଠିତ ଓ ପ୍ରଶିକ୍ଷିତ କରାଇ ତାରକସି କାମକୁ ବିଶ୍ବ ଦରବାରରେ ଉପସ୍ଥାପିତ କରାଇବା ପାଇଁ ଜଣେ କଟକିଆ ତାରକସି ରସିକଙ୍କ ହାର୍ଦ୍ଦିକ ପ୍ରଚେଷ୍ଟାର କଥା। ସେ ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ। ୧୮୯୭ ମସିହା ଜାନୁଆରି ମାସର କଥା। ବଙ୍ଗୀୟ ବ୍ୟବସ୍ଥାପକ ସଭାର ଅଧିବେଶନ ଆରମ୍ଭ ହୋଇସାରିଥାଏ। ମାତ୍ର ଓଡ଼ିଶାର ପ୍ରତିନିଧି ସଦସ୍ୟ ମଧୁସୂଦନ ଶାରୀରିକ ଅସୁସ୍ଥତା ଯୋଗୁ ସେପର୍ଯ୍ୟନ୍ତ କଲିକତା ପହଞ୍ଚିପାରି ନ ଥାନ୍ତି। ଏକେ ତ ଅସୁସ୍ଥତା, ତା ସାଥିକୁ ତାଙ୍କର ପ୍ରସ୍ତୁତି ଚାଲିଥାଏ ବିଲାତ ଯାତ୍ରା ପାଇଁ। କଟକର ଜୋବ୍ରା ଘାଟରୁ ସେ ଲଞ୍ଚ୍‌ରେ ଚାନ୍ଦବାଲି ହୋଇ ଯିବେ କଲିକତା। ସେଠାରେ ବ୍ୟବସ୍ଥାପକ ସଭା କାମସାରି ବାହାରିଯିବେ ଲଣ୍ଡନ୍ ପ୍ରାୟ ଏପ୍ରିଲ୍ ବେଳକୁ।

ସେଇଥିପାଇଁ ସେ ଓଡ଼ିଶାର ବିଭିନ୍ନ ସମସ୍ୟା ଉପରେ ଫାଇଲ୍‌ ଓ ପାମ୍ପ୍ଲେଟ୍‌ ପ୍ରସ୍ତୁତ କରିବା‌ ସହିତ ସଂଗ୍ରହ କରୁଥାନ୍ତି ତାରକସିର ଏକରୁ ଆରେକ ବଳି ସୁନ୍ଦର ସୁନ୍ଦର ସାମଗ୍ରୀ। କୋଣାର୍କ ଚକ, ଚମ୍ପାଫୁଲ, ଫୁଲଦାନି, ଦିଆଶିଲି ବାକ୍ସ, ହୁକା, ଅତରଦାନି ଓ ଆହୁରି ଅନେକ। କଥାକାର ସୁରେନ୍ଦ୍ର ମହାନ୍ତି ‘ଶତାବ୍ଦୀର ସୂର୍ଯ୍ୟ’ରେ ଲେଖିଛନ୍ତି, ସେଦିନ ମଧୁସୂଦନଙ୍କୁ ବିଦାୟ ଜଣାଇବା ପାଇଁ ଜୋବ୍ରା ଘାଟରେ ବେଶ୍ ଭିଡ଼। ଝିଅ ଶୈଳବାଳା ଆସିଥାନ୍ତି ଘାଟ ପର୍ଯ୍ୟନ୍ତ। ସାଙ୍ଗରେ ଗୁଡ଼ାଏ ବାକ୍ସ। ସ୍ବତନ୍ତ୍ର କ୍ୟାବିନ୍ ଭିତରେ ବାକ୍ସକୁ ଗୋଟି ଗୋଟିକରି ଗଣି ଦେଖିବା େବଳେ ମଧୁସୂଦନ ପଚାରିଲେ, ‘ଶୈଳ, ଫିଲିଗ୍ରି ବାକ୍ସଟା ଦେଖାଯାଉନାହିଁ! ଛାଡ଼ି ଆସିଥିଲେ ତ ମୁସ୍କିଲ୍!’ ଶୈଳ କହିଲେ, ‘ଏଇ ଯେ ବର୍ଥତଳେ ସେ ବାକ୍ସଟା ରହିଛି’। ମଧୁସୂଦନ କହୁଥାନ୍ତି- ‘ଫିଲିଗ୍ରି ନେବିନାହିଁ ତ ବିଲାତକୁ ଆଉ ନେବି କ’ଣ? କୋଣାର୍କ, ଭୁବନେଶ୍ବର ଦେଉଳକୁ ତ ଆଉ ବିଲାତକୁ ଉଠାଇ ନେଇପାରିବି ନାହିଁ। ଏଇ ତାରକସିରେ ତ ସେମାନେ ପାଇବେ ଓଡ଼ିଆ ଜାତିର ପରିଚୟ।’ ଲଣ୍ଡନରେ ପହଞ୍ଚି ଅସୁସ୍ଥତା କାରଣରୁ ନର୍ସିଂହୋମ୍‌ରେ ଭର୍ତ୍ତି ହେଲେ ମଧୁସୂଦନ। ସେଠାରୁ ସୁସ୍ଥ ହୋଇ ବାହାରିବା ପରେ ସେ ବାହାରିଲେ ଲଣ୍ଡନ ଆବିଷ୍କାରରେ। ସାଙ୍ଗରେ ଥିଲେ ଲଣ୍ଡନ ମିସ୍‌ନାରି ସୋସାଇଟି କଲେଜର ପୂର୍ବତନ ଅଧ୍ୟକ୍ଷ ରେଭେରେଣ୍ଡ୍‌ ଜେ.ପି. ଆଷ୍ଟନ୍‌।

ଉତ୍କଳଗୌରବ ମଧୁସୂଦନଙ୍କ ନାମ ସହିତ ଅନେକଗୁଡ଼ିଏ ପ୍ରଥମ ଯୋଡ଼ା ଅଛି। ସେ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍‌, ପ୍ରଥମ ଏମ୍‌.ଏ, ପ୍ରଥମ ଓକିଲ, ପ୍ରଥମ କାଉନ୍‌ସିଲ୍‌ ମେମ୍ବର, ପ୍ରଥମ ମନ୍ତ୍ରୀ, ପୁଣି ପ୍ରଥମ ବିଲାତ ଯାତ୍ରୀ ବି। ଆଜିକୁ ୧୨୭ ବର୍ଷ ତଳେ, ୧୮୯୭ରେ ସେ କଟକର ତାରକସି ଶିଳ୍ପର ବିକାଶ ପାଇଁ ଆରମ୍ଭ କରିଥିଲେ ‘ଓଡ଼ିଶା ଆର୍ଟ ‌େୱୟାର୍ସ’। ସେହିବର୍ଷ ପ୍ରଥମ କରି ବିଲାତ ଯାତ୍ରା ମଧ୍ୟ କରିଥିଲେ। ଏହି ଅବସରରେ ଲଣ୍ଡନରେ ତାଙ୍କର ସାକ୍ଷାତ୍ ହୋଇଥିଲା ଏମିତି ଜଣେ ଇଂରେଜ ସାହେବଙ୍କ ସହ, ଯାହାଙ୍କ ଓଡ଼ିଶା ପ୍ରେମ ଓ ଖାଣ୍ଟି ଓଡ଼ିଆ କଥାବାର୍ତ୍ତା ତାଙ୍କୁ ଅଭିଭୂତ କରିଥିଲା। ସେ ଥିଲେ ଓଡ଼ିଶାରେ ଶିକ୍ଷା ବିକାଶର ଅନ୍ୟତମ ବିନ୍ଧାଣୀ ଟି.ଇ.ରେଭେନ୍ସା ସାହେବ। ଆଜି ମଧୁଜୟନ୍ତୀ ଅବସରରେ ତାରକସି ରସିକ ମଧୁବାବୁ ଓ ରେଭେନ୍ସା ସାହେବଙ୍କୁ
ନେଇ ଏକ ବିଶେଷ ଉପସ୍ଥାପନା।

ଓଡ଼ିଶା ବିଷୟରେ ଇଂଲଣ୍ଡରେ ପ୍ରାୟ ଅଧିକାଂଶ କିଛି ବି ଜାଣନ୍ତି ନାହିଁ। ଏହା ସେମାନଙ୍କ ପାଇଁ ଏକ ଅନାମଧେୟ ବନ୍ୟଭୂମି ମାତ୍ର। କିନ୍ତୁ ମଧୁସୂଦନ ସେଠାରେ ଏମିତି ଜଣଙ୍କୁ ଭେଟିଥିଲେ ଯିଏ ଓଡ଼ିଶାକୁ ଖୁବ୍ ଗଭୀର ଭାବରେ ଚିହ୍ନିଥିଲେ। ତାଙ୍କ ସହ ସାକ୍ଷାତ୍‌ ସମ୍ପର୍କରେ ସେ ବେଶ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ‘ଉତ୍କଳ ଦୀପିକା’କୁ ଲେଖିଥିବା ଏକ ଚିଠିରେ। ଇଂରାଜୀରେ ଲେଖା ସେଇ ଚିଠିଟିକୁ ଗୌରୀଶଙ୍କର ଅବିକଳ ଛାପି ଦେଇଥିଲେ ଅଗଷ୍ଟ ୭ ତାରିଖ, ୧୮୯୭ ସଂଖ୍ୟାରେ। ଘଟଣାଟି ଯେତିକି ନାଟକୀୟ, ସେତିକି ରୋମାଞ୍ଚକର। ସେଦିନ ଥିଲା ରବିବାର। ସସେକ୍ସ ଷ୍ଟେସନ୍‌ରେ ଟ୍ରେନ୍‌ରୁ ଓହ୍ଲାଇବା ବେଳେ ମଧୁସୂଦନ ଭେଟିଲେ ଜଣେ ଶ୍ମଶ୍ରୁଳ, ଖର୍ବକାୟ ବୃଦ୍ଧ ଭଦ୍ରବ୍ୟକ୍ତିଙ୍କୁ, ଯେ କି ତାଙ୍କୁ ଦେଖିବା ମାତ୍ରେ ଆଗେଇ ଆସି ପଚାରିଲେ ‘ମିଷ୍ଟର୍‌ ଦାସ?’ ତା’ପରେ ହାତ ମିଳାଇଲେ ଦୁହେଁ ଯେପରି ବହୁ ଦିନର ପୁରୁଣା ବନ୍ଧୁ। ସେ ହିଁ ଥିଲେ ଓଡ଼ିଶାର ପୂର୍ବତନ କମିସନର୍‌ ଟି. ଇ. ରେଭେନ୍ସା। ମଧୁସୂଦନ ତାଙ୍କୁ ଚିଠିରେ ଯୋଗାଯୋଗ କରିଥିଲେ ହେଁ ଆଗରୁ କେବେ ମୁହାଁମୁହିଁ ଭେଟି ନ ଥିଲେ। ସେ ଚିଠିରେ ଲେଖିଛନ୍ତି- ‘‘ମୁଁ କହିଲି, ରେଭେନ୍ସା ସାହେବ, ମୁଁ ଅତ୍ୟନ୍ତ ଦୁଃଖିତ ଯେ ଆପଣ ଅଯଥା ଏତେ ପରିଶ୍ରମ କରି ଆସିଲେ। ଆପଣଙ୍କ ଘର ଖୋଜି ବାହାର କରିବା ମୋ ପକ୍ଷରେ ଆଦୌ କଷ୍ଟକର ହୋଇ ନ ଥାନ୍ତା।’’ ‘‘କିନ୍ତୁ ମୁଁ ଭାବିଲି, ଏଠାକୁ ଆସି ଆପଣଙ୍କୁ ପାଛୋଟି ନେବା ମୋର କର୍ତ୍ତବ୍ୟ,’’ ଉତ୍ତର ଦେଲେ ରେଭେନ୍ସା। ଘୋଡ଼ାଗାଡ଼ିରେ ବସିବା ପରେ ରେଭେନ୍ସା ପଚାରିଲେ ‘‘ଏ ପ୍ରଶ୍ନ ପଚାରୁଛି ବୋଲି ମନରେ କିଛି ଭାବିବେ ନାହିଁ। କିନ୍ତୁ ଆପଣ କ’ଣ ପ୍ରକୃତରେ ଓଡ଼ିଆ?’’ ମୁଁ କହିଲି, ‘‘ମୋ ଦେହର ପ୍ରତ୍ୟେକ ରକ୍ତବିନ୍ଦୁ ଓଡ଼ିଆର।’’ ରେଭେନ୍ସା କହିଲେ- ‘‘ଓଡ଼ିଆ ଜାତିକୁ ମୁଁ ଖୁବ୍ ଶ୍ରଦ୍ଧା କରେ। ଜଣେ ଓଡ଼ିଆ ସହିତ ମୁଁ ଯେପରି ଅକୁଣ୍ଠିତ ଭାବରେ କଥାବାର୍ତ୍ତା କରିପାରେ, ଅନ୍ୟ କାହାରି ସହିତ ସେପରି ପାରେନାହିଁ।’’

ମଧୁବାବୁଙ୍କର ଏକମାତ୍ର ଉଦ୍ଦେଶ୍ୟ ଦୁନିଆ ଚିହ୍ନୁ ଓଡ଼ିଶାକୁ, ଓଡ଼ିଆ କାରିଗରର ଅନନ୍ୟ କଳାକୌଶଳକୁ। ଆମର ଶିଳ୍ପୀକୁ ମୂଲ୍ୟ ମିଳୁ, ମର୍ଯ୍ୟାଦା ମିଳୁ। ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ନ ହେଲେ ସ୍ବାତନ୍ତ୍ର୍ୟ ବା ସ୍ବାଧୀନତାର କି ମୂଲ୍ୟ!

ସେଦିନ ରେଭେନ୍ସା ସାହେବ କଥା ହେଉଥିଲେ ସ୍ପଷ୍ଟ ଓଡ଼ିଆରେ। ଲଣ୍ଡନ ସହରରେ ଜଣେ ଖାଣ୍ଟି ଇଂରେଜ ମୁହଁରୁ ଓଡ଼ିଆ ଶୁଣି ବିହ୍ବଳ ହୋଇ ପଡୁଥିଲେ ମଧୁସୂଦନ। ତାଙ୍କ ହାତକୁ ବଢ଼ାଇ ଦେଉଥିଲେ କଟକୀ ତାରକସିର ଛୋଟ ବାକ୍ସଟିଏ। ମଧୁବାବୁ ତାଙ୍କ ଚିଠିରେ ଆହୁରି ଲେଖିଛନ୍ତି, ରେଭେନ୍ସା ସାହେବଙ୍କ ବୈଠକଖାନାରେ ଭଳିଭଳି ଓଡ଼ିଶାର ସାମଗ୍ରୀ। ଢେଙ୍କାନାଳ ରାଜା ଭେଟି ଦେଇଥିବା ଛୋଟ କଟୁରି, ଛୁରୀ, ହାତୀଦାନ୍ତର କାମ ଓ କେନ୍ଦୁଝର ଅଞ୍ଚଳର ଗଡ଼ଜାତ ଅସ୍ତ୍ରଶସ୍ତ୍ର। ଘର ଭିତରେ କାଠ ଓ ଲୁହା କାମପାଇଁ ଶାଳଟିଏ ବି ଥାଏ। ରେଭେନ୍ସା ସାହେବ ନିଜେ ହାତଘଣ୍ଟାଠାରୁ ଆରମ୍ଭ କରି ଚଉକି ପର୍ଯ୍ୟନ୍ତ ସବୁ ମରାମତି କରନ୍ତି ସେଇଠି। ମଧୁସୂଦନ ଜାଣିଥିଲେ, ତାହା ହିଁ ସବୁଠାରୁ ବଡ଼ କୌଶଳ। ସ୍ବାବଲମ୍ବନ ହିଁ ଶକ୍ତି। ସେଇଥିପାଇଁ ତ କଟକର ତାରକସି କାରିଗରଙ୍କୁ ସଙ୍ଗଠିତ ଓ ପ୍ରଶିକ୍ଷିତ କରିବା ପାଇଁ ଲଣ୍ଡନ ଆସିବା ଆଗରୁ ସେ ନିଜ ବାସଭବନ ପରିସରରେ ଆରମ୍ଭ କରି ଦେଇଥିଲେ ‘ଓଡ଼ିଶା ଆର୍ଟ ୱେୟାର୍ସ’। ପୁଣି ଶିଳ୍ପ କାରଖାନା ପାଖରେ ଏକ ପ୍ରଶିକ୍ଷଣ କେନ୍ଦ୍ର। ପାଖାପାଖି ଶହେ କାରିଗର ସେଠି କାମ ଶିଖିପାରୁଥିଲେ। କଟକରୁ ଆଣିଥିବା ଭଳି ଭଳି ତାରକସି ସାମଗ୍ରୀ ମଧୁବାବୁ ଭେଟି ଦେଇଥିଲେ ଅନେକ ଉଚ୍ଚପଦସ୍ଥ ବ୍ରିଟିଶ ଅଧିକାରୀ ଓ ନେତୃବୃନ୍ଦଙ୍କୁ। ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଦୁନିଆ ଚିହ୍ନୁ ଓଡ଼ିଶାକୁ, ଓଡ଼ିଆ କାରିଗରର ଅନନ୍ୟ କଳାକୌଶଳକୁ। ଆମର ଶିଳ୍ପୀକୁ ମୂଲ୍ୟ ମିଳୁ, ମର୍ଯ୍ୟାଦା ମିଳୁ। ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ନ ହେଲେ ସ୍ବାତନ୍ତ୍ର୍ୟ ବା ସ୍ବାଧୀନତାର କି ମୂଲ୍ୟ!
ଆଜି ସମ୍ଭବତଃ ଏତେଦିନ ପରେ ତାଙ୍କ ଉଦ୍ୟମ ସଫଳ ହେବାର ଆଶା ଜାଗିଛି। ସେହି ମହାପୁରୁଷ ମଧୁସୂଦନଙ୍କୁ ପବିତ୍ର ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ।

ସମ୍ବନ୍ଧିତ ଖବର