ହେଲିକପ୍ଟରରେ କନ୍ୟା ଘରକୁ ଗଲା ଚାଷୀଙ୍କ ପୁଅ, ଦେଖଣାହାରୀଙ୍କର ଲାଗିଲା ଭିଡ଼

ଇନ୍ଦୋର: ପୁଅର ବିବାହ ପାଇଁ ହେଲିକପ୍ଟର ମଗାଇଲେ ଚାଷୀ | ହେଲିକପ୍ଟରରେ ଯାଇ ବର ସହ ବର ପିତା ଯେତେବେଳେ କନ୍ୟାଘରେ ପହଞ୍ଚିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ନିଜ ପୁଅର ବିବାହକୁ ସ୍ମରଣୀୟ କରିବାକୁ ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାର ଆରାଣ୍ଡିଆ ଗ୍ରାମର ଚାଷୀ ଅଣ୍ଟା ଭିଡ଼ିଥିଲେ | ଆରାଣ୍ଡିଆ ଗ୍ରାମର ଚାଷୀ ସଜନ ସିଂ କୁଶୱା କହିଛନ୍ତି ଯେ ସେ ଚାହୁଁଥିଲେ ଯେ ଯେବେ ବି ତାଙ୍କ ପୁଅ ବିବାହ କରିବେ, ହେଲିକପ୍ଟର ଯୋଗେ ପୁଅ କନ୍ୟା ଘରକୁ ଯିବ । ପୁଅର ବିବାହକୁ ସ୍ମରଣୀୟ କରିବା ପାଇଁ ସଜନ ସିଂ କୁଶୱା ହେଲିକପ୍ଟର ସଂସ୍ଥା ସହ ଯୋଗାଯୋଗ କରିଥିଲେ ଆଉ ତାଙ୍କ ପୁଅ ଜୟ ସିଂ କୁଶୱାଙ୍କ ସହ ହେଲିକପ୍ଟର ଯୋଗେ ହାଟୋଡ ନିକଟ ବୁଦାନିଆ ଗାଁକୁ ଯାଇଥିଲେ। ଗୁରୁବାର ଦିନ ଏହି ବିବାହକୁ ସ୍ମରଣୀୟ କରିବା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଥିଲା |

ବର ସନ୍ଧ୍ୟା ୫ଟାରେ ହେଲିକପ୍ଟରରେ ଆରାଣ୍ଡିଆ ଗାଁରୁ ବାହାରିଥିଲେ | ଆଉ ହେଲିକପ୍ଟର ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ | ବରର ପିତାମାତା ମଧ୍ୟ ବର ସହିତ ହେଲିକପ୍ଟରରେ ଯାଇଥିଲେ | କନ୍ୟା ଘର ପାଖ ସ୍କୁଲ ପଡିଆରେ ଯେତେବେଳେ ହେଲିକପ୍ଟର ଓହ୍ଲାଇଥିଲା ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ବର ଜୟ ସିଂ କହିଛନ୍ତି ଯେ ପ୍ରତ୍ୟେକ ପିତା ନିଜ ପୁଅର ବିବାହକୁ ସ୍ମରଣୀୟ କରିବା ପାଇଁ ପ୍ରସ୍ତୁତି କରନ୍ତି।

କିନ୍ତୁ ତାଙ୍କ ପିତା ଯେଉଁଭଳି ଭାବରେ ହେଲିକପ୍ଟର ବ୍ୟବସ୍ଥା କରିଥିଲେ, ଏହା ତାଙ୍କ ଜୀବନର ସବୁଠାରୁ ଅନନ୍ୟ ଉପହାର | ସେ ଏହାକୁ ଭୁଲି ପାରିବେ ନାହିଁ | ଏହି ଅନନ୍ୟ ଘଟଣାକୁ ନେଇ କନ୍ୟାଘରର ଗ୍ରାମବାସୀ କହିଛନ୍ତି ଯେ ସେମାନଙ୍କ ଗାଁକୁ କେବେ ହେଲିକପ୍ଟର ଆସି ନଥିଲା, ଆଉ ପ୍ରଥମ ଥର ପାଇଁ ସେମାନେ ହେଲିକପ୍ଟର ଦେଖିଲେ |

ସମ୍ବନ୍ଧିତ ଖବର