କେରଳ ଲୋକସେବା ଆୟୋଗ ପରୀକ୍ଷାରେ ମା‘-ପୁଅଙ୍କୁ ଏକାସଙ୍ଗେ ମିଳିଲା ସଫଳତା

ମଲପ୍ପୁରମ୍: କେରଳର ମଲପ୍ପୁରମରେ କମାଲ କରି ଦେଖାଇଲା ମା’ ଓ ପୁଅଙ୍କ ଯୋଡି। ଏକାସାଙ୍ଗରେ ରାଜ୍ୟ ଲୋକସେବା ଆୟୋଗ ଦ୍ୱାରା କରାଯାଇଥିବା ପରୀକ୍ଷାରେ ପାସ୍ କରି ଦୁହେଁ ପାଇଲେ ସରକାରୀ ଚାକିରି । ଗତ ୧୦ବର୍ଷ ଧରି ଅଙ୍ଗନୱାଡି ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିବା ୪୨ବର୍ଷୀୟ ବିନ୍ଦୁ ଲାଷ୍ଟ ଗ୍ରେଡ୍ ସର୍ଭିସେସ୍ (ଏଲଜିଏସ) ପରୀକ୍ଷାରେ ୯୨ତମ ସ୍ଥାନ ହାସଲ କରିଥିବା ବେଳେ ତାଙ୍କର ୨୪ବର୍ଷର ପୁଅ ଲୋୟର ଡିଭିଜନାଲ କ୍ଲର୍କ (ଏଲଡିସି) ପରୀକ୍ଷାରେ ୩୮ତମ ସ୍ଥାନରେ ରହିଛନ୍ତି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ବିନ୍ଦୁ କହିଛନ୍ତି ଯେ ତିନି ଥର ଚେଷ୍ଟା କରିବା ପରେ ଚତୁର୍ଥ ଥରରେ ସେ ସଫଳତା ପାଇଛନ୍ତି। ସେ ଏଲଜିଏସ ପାଇଁ ଦୁଇଥର ଏବଂ ଏଲଡିସି ପାଇଁ ଥରେ ଚେଷ୍ଟା କରିଥିଲେ। ଏହା ତାଙ୍କର ଚତୁର୍ଥ ପ୍ରୟାସ ଥିଲା ଯେଉଁଥିରେ ସେ ସଫଳ ହୋଇଥିଲେ ବୋଲି ସେ କହିଛନ୍ତି।

ତାଙ୍କ ସଫଳତା ଶ୍ରେୟ ଦେଇ ବିନ୍ଦୁ କହିଛନ୍ତି ଯେ ମୋର ଏହି ସଫଳତା ପାଇଁ କୋଚିଂ ସେଣ୍ଟରର ମୋ ଶିକ୍ଷକ, ବନ୍ଧୁ ଏବଂ ପୁଅର ସହଯୋଗ ରହିଛି। ଏଲଡିସି ପରୀକ୍ଷାରେ ସଫଳ ହୋଇଥିବା ତାଙ୍କ ପୁଅ କହିଛନ୍ତି ଯେ, ଆମେ ଦୁହେଁ ଅଲଗା ଅଲଗା ପରୀକ୍ଷା ପାଇଁ ପ୍ରସ୍ତୁତ ‌ହେଉଥିଲେ ବି ପାଠକୁ ନେଇ ଥିବା ପରସ୍ପରର ଦ୍ବନ୍ଦ୍ବ ଦୂର କରୁଥିଲୁ। ଅଙ୍ଗନୱାଡି ଶିକ୍ଷୟତ୍ରୀ ହୋଇଥିବାରୁ ମୋ ମା’ ସବୁ ବେଳେ ଅଧ୍ୟୟନ କରିପାରୁନଥିଲେ। କିନ୍ତୁ ଯେତେବେଳେ ଡ୍ୟୁଟି ପରେ ଛୁଟି ହେଉଥିଲା, ସେ ସେତେବେଳେ ଅଧ୍ୟୟନ କରୁଥିଲେ। ଏହି ସଫଳତା ପାଇବା ପାଇଁ ଆମେ ଦୁହେଁ ଦୁହିଁଙ୍କୁ ସାହାଯ୍ୟ କରିଛୁ।

ସମ୍ବନ୍ଧିତ ଖବର