ଦୌଡ଼ିଦୌଡ଼ି ନାମାଙ୍କନ ପତ୍ର ଦାଖଲ କରିଥିବା ବିଜେପି ପ୍ରାର୍ଥୀ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦେବରିୟାରେ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ ସମୟ ସରି ଆସୁଥିବା ବେଳେ ଜଣେ ବିଜେପି ପ୍ରାର୍ଥୀ ଦୌଡ଼ିଦୌଡ଼ି ଯାଇଥିବାର ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଉକ୍ତ ବିଜେପି ପ୍ରାର୍ଥୀଙ୍କ ନାମ ଶଶାଙ୍କ ମଣି ।

ସୂଚନାଯୋଗ୍ୟ, ଗତ ଗୁରୁବାର ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶଶାଙ୍କ ମଣି ଯୋଗ ଦେଇଥିଲେ। ବୈଠକ ‌ଶେଷ ହେବାପରେ ଶଶାଙ୍କ ନାମାଙ୍କନ ପତ୍ର ଦାଖଲ ପାଇଁ ବାହାରି ଯାଇଥିଲେ। ଶଶାଙ୍କୁ ଅପରାହ୍ନ ୨ଟା୪୫ରୁ ୩ଟା ଭିତରେ ନାମାଙ୍କନ ଦାଖଲ ପାଇଁ ସମୟ ଦିଆଯାଇଥିଲା।

ନାମାଙ୍କନ ଦାଖଲ କେନ୍ଦ୍ର ମାତ୍ର ଶହେ ମିଟର ଦୂରରେ ଥିବା ବେଳେ ପୁଲିସ୍‌ ବ୍ୟାରିକେଡ କରି ସମସ୍ତଙ୍କୁ ଅଟକାଇ ଦେଇଥିଲା । ଏହାକୁ କେନ୍ଦ୍ରକରି ବିଜେପି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଏଭଳି ସ୍ଥିତି ଦେଖି ଶଶାଙ୍କ ମଣି କ’ଣ କରିବେ କିଛି ବୁଝି ପାରି ନଥି‌ଲେ। କାରଣ ତାଙ୍କ ପାଖ‌ରେ ନାମାଙ୍କନ ଦାଖଲ ପାଇଁ ମ‌ାତ୍ର ୧୫ ମିନିଟ୍‌ ରହିଥିଲା।

ତେଣୁ ଶଶାଙ୍କ ମଣି ତ୍ରିପାଠୀ ଆଗପଛ ଆଉ କିଛି ଚିନ୍ତା ନକରି  ଗାଡ଼ିରୁ ଓହ୍ଲାଇ ନିଜର କିଛି ସମର୍ଥକଙ୍କ ସହ ବ୍ୟାରିକେଡ ଡେଇଁ ଦୌଡ଼ିବାକୁ ଲାଗିଲେ। ଦୌଡ଼ିଦୌଡ଼ି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାର୍ଯ୍ୟ ହୋଇଥିବା ସମୟ ମଧ୍ୟରେ ନାମାଙ୍କନ ଦାଖଲ କରି ଦୀର୍ଘନିଶ୍ବାସ ଛାଡ଼ିଥିଲେ। ଦେ ଶଶାଙ୍କଙ୍କ ଏଭଳି ନାମାଙ୍କନ ଦ‌ାଖଲ ଘଟଣାକୁ ନେଇ ଖୁବ ଚର୍ଚ୍ଚା ହେଉଛି।

ଶଶାଙ୍କ ମଣି ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଇଆଇଟିରେ ପଢ଼ୁଥିବା ବେଳେ ୨ଶହ ଓ ୪ଶହ ମିଟର ଦୌଡ଼ରେ ଗୋଲ୍ଡ ଚାମ୍ପିୟନ ରହି ସାରିଛି। ଲୋକମାନେ ଚାହିଁଲେ ଆଗାମୀ ୫ ବର୍ଷ ସେମାନଙ୍କ ପାଇଁ ଦୌଡ଼ିବି। ଏଥିରେ ମୁଁ କେବେ ହେଳା କରିବି ନାହିଁ।’

ସମ୍ବନ୍ଧିତ ଖବର