ଚଳନ୍ତିକା: କାହା ପାଇଁ କୋଉ ରଙ୍ଗ

ରଙ୍ଗର ପର୍ବ ହୋଲି। ବିଭିନ୍ନ ବାର ଅନୁଯାୟୀ ବିଭିନ୍ନ ରଙ୍ଗର ପୋଷାକ ପିନ୍ଧିଲେ ଯେପରି ଏହାର ପ୍ରଭାବ ମନ ଓ ଶରୀର ଉପରେ ପଡିଥାଏ, ସେହିପରି କେଉଁ ରଙ୍ଗରେ ହୋଲି ଖେଳିବାଦ୍ବାରା ଏହାର ସୁପ୍ରଭାବ ଆମ ଉପରେ ପଡ଼ିଥାଏ ତାହା ମଧ୍ୟ ଆମେ ଜାଣି ରଖିବା ଦରକାର। ଶାସ୍ତ୍ର ଅନୁଯାୟୀ ରବିବାର ଓ ମଙ୍ଗଳବାର ଲାଲ୍‌ ରଙ୍ଗର ବସ୍ତ୍ର, ସୋମ ଓ ଶୁକ୍ରବାର ଧଳା, ବୁଧବାର ଗୁରୁବାର ହଳଦିଆ, ଶନିବାର କଳା ରଙ୍ଗର ବସ୍ତ୍ର ପରିଧାନ କଲେ ମନ ପ୍ରଫୁଲ୍ଲ ରହିବା ସହ ସବୁ କାର୍ଯ୍ୟ ସହଜରେ ହୋଇଥାଏ। ନବଗ୍ରହ ଯଥା:- ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି, ରାହୁ ଓ କେତୁର ପ୍ରଭାବ ରହିଥାଏ ମନୁଷ୍ୟ ଉପରେ। ଏହି ନବଗ୍ରହଙ୍କ ପ୍ରିୟ ହେଉଛି ବିଭିନ୍ନ ରଙ୍ଗ। ଏଣୁ ବିଭିନ୍ନ ଗ୍ରହର ଦିବସ ଅନୁଯାୟୀ ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିବାର ବିଶେଷ ପରମ୍ପରା ରହିଆସିଛି। ହିନ୍ଦୁଧର୍ମର ବିଭିନ୍ନ ଦେବାଦେବୀଙ୍କ କ୍ଷେତ୍ରରେ ମଧ୍ୟ ନିର୍ଦ୍ଦିଷ୍ଟ ରଙ୍ଗର ବସ୍ତ୍ର ଏବଂ ଫୁଲ ଲାଗିର ପରମ୍ପରା ରହି ଆସିଛି।

ରାଶି ଓ ରଙ୍ଗ
ବିବିଧ ରଙ୍ଗ ଓ ଏହାର ପର୍ବ ହୋଲିକୁ ନେଇ ଅନେକ ପୁରୁଣା ବର୍ଣ୍ଣନା ରହିଛି। ଫଗୁଦଶମୀରୁ ଏହି ରଙ୍ଗପର୍ବ ଆରମ୍ଭ ହୋଇ ଦୋଳପୂର୍ଣ୍ଣିମା ଓ ହୋଲି ପର୍ଯ୍ୟନ୍ତ ଚାଲେ। ଏହି ରଙ୍ଗରେ ରଙ୍ଗାୟିତ ହୋଇଥାନ୍ତି ଭଗବାନ, ଭକ୍ତ ଓ ସାଧାରଣ ଜନତା। ତେବେ କେଉଁ ରାଶିର ବ୍ୟକ୍ତି କେଉଁ ରଙ୍ଗରେ ହୋଲି ଖେଳିବା ଦରକାର ସେ ସମ୍ପର୍କରେ ଯାହା କୁହାଯାଏ, ଆସନ୍ତୁ ଜାଣିବା। ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଲାଲ୍‌ ଓ ଗୋଲାପୀ ରଙ୍ଗ ସର୍ବୋତ୍କୃଷ୍ଟ। ଗୋଲାପୀ ରଙ୍ଗ ଶକ୍ତି ସଞ୍ଚାର କରିବା ସହ ଆଖିକୁ ଶୀତଳତା ପ୍ରଦାନ କରିଥାଏ। ଲାଲ୍‌ ରଙ୍ଗ ଉତ୍ସାହ, ସାହସ ଓ ବିଜୟର ପ୍ରତୀକ। ବୃଷ ରାଶିର ବ୍ୟକ୍ତି ଧଳା ଓ କ୍ରିମ୍‌ ରଙ୍ଗରେ ହୋଲି ଖେଳିବା ଶୁଭ। ଏହି ରଙ୍ଗର ସକାରାତ୍ମକ ପ୍ରଭାବ ରହିଥିବା କୁହାଯାଏ। ମିଥୁନ ରାଶି ପାଇଁ ସବୁଜ ଓ ହଳଦିଆ ରଙ୍ଗ ଶୁଭ।

କର୍କଟ ରାଶିର ବ୍ୟକ୍ତି ବୃଷ ରାଶି ଥିବା ବ୍ୟକ୍ତିଙ୍କ ପରି ଧଳା ଓ କ୍ରିମ୍‌ ରଙ୍ଗ ବ୍ୟବହାର କରିବା ଦରକାର। ଏହା ଶୁଭ। ଧଳା ରଙ୍ଗ ମସ୍ତିଷ୍କ ଓ ମନକୁ ଶୁଦ୍ଧ ରଖିଥାଏ। ଏହି ରଙ୍ଗ ବି ଶାନ୍ତିର ପ୍ରତୀକ। ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ହଳଦିଆ ଓ କେଶରୀ ରଙ୍ଗ ଶୁଭଙ୍କର। କନ୍ୟା ରାଶିର ବ୍ୟକ୍ତି ସବୁଜ ରଙ୍ଗରେ ହୋଲି ଖେଳିବା ଭଲ। ଏହି ରଙ୍ଗ ଉଦାସପଣ ଦୂର କରି ଲୋକଙ୍କ ମନରେ ଖୁସି ଓ ଉତ୍ସାହ ଭରି ଦେଇଥାଏ। ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଧଳା ଓ ହଳଦିଆ ରଙ୍ଗ ଶୁଭ ହୋଇଥାଏ। ହଳଦିଆ ସମୃଦ୍ଧି ଓ ଧଳା ଶାନ୍ତିର ପ୍ରତୀକ। ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଲାଲ୍‌ ଓ ଗୋଲାପୀ ରଙ୍ଗ ଶୁଭ। ଧନୁ ରାଶିର ଲୋକଙ୍କ ପାଇଁ ଲାଲ୍‌ ଓ ହଳଦିଆ ରଙ୍ଗ ସର୍ବୋତ୍ତମ। ହଳଦିଆ ରଙ୍ଗ ଖୁସିର ଭାବ ଉତ୍ପନ୍ନ କରିବା ବେଳେ ଲାଲ ରଙ୍ଗ ମଙ୍ଗଳକାରୀ ବୋଲି ଗ୍ରହଣ କରାଯାଏ। ମକର ରାଶି ପାଇଁ ନୀଳ ଓ ସବୁଜ ରଙ୍ଗ ଶୁଭଙ୍କର। ସବୁଜ ରଙ୍ଗ ସୁଖ, ଶାନ୍ତିର ବାତାବରଣ ସୃଷ୍ଟି କରିଥାଏ। ନୀଳ ରଙ୍ଗକୁ ଧର୍ମ ଓ ଧୈର୍ଯ୍ୟର ରଙ୍ଗ ଭାବେ ଧରାଯାଏ। କୁମ୍ଭ ରାଶି ପାଇଁ ନୀଳ ରଙ୍ଗ ଶୁଭ। ମୀନ ରାଶିର ବ୍ୟକ୍ତି ଧନ, ଭୌତିକ ସୁଖ ଓ ସମୃଦ୍ଧିର ପ୍ରତୀକ ହଳଦିଆ ଓ ଲାଲ୍‌ ରଙ୍ଗରେ ହୋଲି ଖେଳିବା ଉଚିତ। ତେବେ ରଙ୍ଗ ଖେଳିବା ବେଳେ ରାସାୟନିକ ରଙ୍ଗକୁ ଏଡ଼ାଇ ଯାଆନ୍ତୁ। ପ୍ରାକୃତିକ ରଙ୍ଗରେ ହୋଲି ଖେଳନ୍ତୁ।

ସମ୍ବନ୍ଧିତ ଖବର