ଶ୍ରୀରାମଙ୍କ ପଥ, ଆମର ତୀର୍ଥ: ଅତ୍ରି ଅନସୂୟା ଦର୍ଶନ

ବନବାସର ପ୍ରାୟ ଏଗାର ବର୍ଷରୁ ଅଧିକ କାଳ ରାମଚନ୍ଦ୍ର ଚିତ୍ରକୂଟରେ ଅତିବାହିତ କଲେ। ଏହି ଅବସ୍ଥାନ କାଳରେ ବିଭିନ୍ନ ଜନପଦର ଅରଣ୍ୟବାସୀମାନେ ଦଳ ଦଳ ହୋଇ ଆସି ରାମଚନ୍ଦ୍ରଙ୍କୁ ଦର୍ଶନ କରୁଥିଲେ। ଫଳରେ ଚିତ୍ରକୂଟ କ୍ରମଶଃ ଲୋକାରଣ୍ୟ ହେବାକୁ ଲାଗିଲା। ରାମଚନ୍ଦ୍ର ପୂର୍ବରୁ ଅନେକ ରାକ୍ଷସ ବଧ କରିଥିବାରୁ, ଚିତ୍ରକୂଟକୁ କ୍ରମଶଃ ରାକ୍ଷସମାନଙ୍କର ଆଗମନର ଭୟ ଦେଖାଦେଲା। ଫଳରେ ଏଥିରେ ଭୟଭୀତ ହୋଇ ଅନେକ ମୁନିଋଷି ଚିତ୍ରକୂଟ ପରିତ୍ୟାଗ କରି ଅନ୍ୟତ୍ର ଚାଲିଯିବାକୁ ଆରମ୍ଭ କଲେ। ରାମଚନ୍ଦ୍ର ଯେତେବେଳେ ଏହା ଜାଣିଲେ, ସେ ଚିତ୍ରକୂଟ ପରିତ୍ୟାଗ କରି ଅନ୍ୟତ୍ର ଚାଲି ଯିବାକୁ ମନସ୍ଥ କଲେ। ଚିତ୍ରକୂଟ ତ୍ୟାଗ କରିବା ପୂର୍ବରୁ, ଚିତ୍ରକୂଟର ଦକ୍ଷିଣ ସୀମାନ୍ତରେ ଦଣ୍ଡକାରଣ୍ୟ ନିକଟରେ ଥିବା ମହାମୁନି ଅତ୍ରି ଓ ସାଧ୍ୱୀ ଅନସୂୟାଙ୍କଠାରୁ ବିଦାୟ ନେବାପାଇଁ ସେ ତାଙ୍କ ଆଶ୍ରମରେ ପହଞ୍ଚିଲେ।

ସପ୍ତର୍ଷିମଣ୍ଡଳରେ ସ୍ଥାନପାଇଥିବା ଋଷିମାନଙ୍କ ମଧ୍ୟରୁ ଅତ୍ରି ଅନ୍ୟତମ। ସେ ବ୍ରହ୍ମାଙ୍କର ମାନସପୁତ୍ର। ମହର୍ଷି କର୍ଦ୍ଦମ ଓ ଦେବହୁତିଙ୍କର କନ୍ୟା ଥିଲେ ଦେବୀ ଅନସୂୟା। ଭାରତୀୟ ଦର୍ଶନ ଯେଉଁ ଷୋଳ ସତୀଙ୍କର ନାମ ଘୋଷଣା କରିଛନ୍ତି ସେମାନଙ୍କ ମଧ୍ୟରୁ ଅନସୂୟା ଜଣେ। ପର୍ଯ୍ୟାୟକ୍ରମେ ତାଙ୍କର ଗର୍ଭରୁ- ବିଷ୍ଣୁଙ୍କ ଅଂଶରୁ ଦତ୍ତାତ୍ରେୟ, ବ୍ରହ୍ମାଙ୍କ ଅଂଶରୁ ଚନ୍ଦ୍ର ଏବଂ ଶିବଙ୍କ ଅଂଶରୁ ଦୁର୍ବାସା ଜନ୍ମଲାଭ କରିଥିଲେ। ଏପରିକି ଦେବୀ ଅନସୂୟାଙ୍କର ତପ ଫଳରେ ଦେବୀ ଗଙ୍ଗା ମନ୍ଦାକିନୀ ନାମ ଧାରଣ କରି ମର୍ତ୍ତ୍ୟଲୋକରେ ପ୍ରବାହିତ ହୋଇଥିଲେ। ସେହିପରି, ଅତ୍ରି ମୁନିଙ୍କ ଅସ୍ତିତ୍ୱ ତିନିଯୁଗରେ ଦେଖାଯାଏ। ତିନିଯୁଗର ମହାକାବ୍ୟ- ‘ବେଦ’, ‘ରାମାୟଣ’ ଓ ‘ମହାଭାରତ’ରେ ଅତ୍ରିଙ୍କ ସଂପର୍କରେ ଉଲ୍ଲେଖ ରହିଛି।

ସପ୍ତର୍ଷିମଣ୍ଡଳରେ ସ୍ଥାନପାଇଥିବା ଋଷିମାନଙ୍କ ମଧ୍ୟରୁ ଅତ୍ରି ଅନ୍ୟତମ। ସେ ବ୍ରହ୍ମାଙ୍କର ମାନସପୁତ୍ର। ମହର୍ଷି କର୍ଦ୍ଦମ ଓ ଦେବହୁତିଙ୍କର କନ୍ୟା ଥିଲେ ଦେବୀ ଅନସୂୟା। ଭାରତୀୟ ଦର୍ଶନ ଯେଉଁ ଷୋଳ ସତୀଙ୍କର ନାମ ଘୋଷଣା କରିଛନ୍ତି ସେମାନଙ୍କ ମଧ୍ୟରୁ ଅନସୂୟା ଜଣେ।

ମହାଭାରତ ଯୁଦ୍ଧ ସମୟରେ ଦ୍ରୋଣ ଯେତେବେଳେ କୌରବ ସେନାର ସେନାପତିତ୍ୱ ବରଣ କରି ଯୁଦ୍ଧରେ ନରସଂହାର କରି ଚାଲିଥିଲେ, ଅତ୍ରି ତାଙ୍କୁ ସେହି କ୍ରୂର କର୍ମରୁ ନିବୃତ୍ତ କରାଇଥିଲେ। ଦେବ ଓ ଦାନବଙ୍କ ମହାସଂଗ୍ରାମ କାଳରେ, ରାହୁଗ୍ରାସ ଫଳରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ତେଜ ହ୍ରାସ ପାଇ ସଂସାର ଅନ୍ଧକାରାଚ୍ଛନ୍ନ ହୋଇ ଯାଇଥିଲା; ଦେବତାମାନେ ରାକ୍ଷସମାନଙ୍କ ହସ୍ତରେ ନିହତ ହେବାରେ ଲାଗିଥିଲେ। ଏହି ସମୟରେ ଅତ୍ରି ମୁନି ତାଙ୍କ ଅଙ୍ଗରୁ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ତେଜ ସୃଷ୍ଟି କରି ପୃଥିବୀକୁ ଆଲୋକିତ କରିଦେଲେ। ତାହା ଫଳରେ ଦେବତାମାନେ ରାକ୍ଷସବଧ କରିବାକୁ ସମର୍ଥ ହୋଇଥିଲେ। ରାମ, ଲକ୍ଷ୍ମଣ ଓ ସୀତା ଏହି ପରମ ଯୋଗୀ ଦମ୍ପତିଙ୍କୁ ସାକ୍ଷାତ କରିବାକୁ ତାଙ୍କ ଆଶ୍ରମରେ ପହଞ୍ଚିଲେ। ରାମଚନ୍ଦ୍ର ଚିତ୍ରକୂଟ ପରିତ୍ୟାଗ କରି ଅନ୍ୟତ୍ର ଯିବାକୁ ମନସ୍ଥ କରିଛନ୍ତି ଜାଣି ଅତ୍ରି ଚିନ୍ତିତ ହେଲେ ମଧ୍ୟ, ଏହି ଯାତ୍ରା ସଂସାରପାଇଁ କଲ୍ୟାଣକାରୀ ହେବ, ଏହା ଭାବି ରାମଚନ୍ଦ୍ରଙ୍କୁ କିଛି ଉପଦେଶ ଦେଇ ବିଦାୟ ଦେଲେ। ଗଲାବେଳେ କହିଲେ, ତୁମର ଏହି ଯାତ୍ରା ଦଣ୍ଡକବନକୁ ଅଭିଶାପମୁକ୍ତ କରିବ। ଏହି ଯାତ୍ରା କାଳରେ ଅନେକ ଦିନ ଧରି ତୁମ ପ୍ରତୀକ୍ଷାରେ ରହିଥିବା ମୁନି ଶରଭଙ୍ଗ ଓ ସୁତୀକ୍ଷ୍‌ଣଙ୍କୁ ଦର୍ଶନ ଦେଇ ମହାମୁନି ଅଗସ୍ତିଙ୍କୁ ପରିଦର୍ଶନ କରିବ। ଅଗସ୍ତିଙ୍କୁ ଦର୍ଶନ କଲେ ତୁମ କାର୍ଯ୍ୟ ସଫଳ ହେବ। ଏହି ଅବସରରେ ସାଧ୍ୱୀ ଅନସୂୟାଙ୍କଠାରୁ ସତୀ ସୀତା ଅନେକ ଜ୍ଞାନ ଆହରଣ କରିବା ସହିତ, ଅମ୍ଳାନ ବସ୍ତ୍ର, ଦେବୋପମ ଆଭୂଷଣ ଆଦି ଉପହାର ରୂପେ ଗ୍ରହଣ କରିଥିଲେ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର