୧୯୯୯ ଚେନ୍ନା‌ଇ ଟେଷ୍ଟ୍‌: ସଚିନଙ୍କୁ ଆଉଟ୍‌ କରିବା ପାଇଁ ଆକ୍ରମ-ସାକ୍‌ଲିନ ବିପଦପୂର୍ଣ୍ଣ ରଣନୀତି କରିଥିଲେ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବାମହାତୀ ଦ୍ରୁତ ବୋଲର ଵାସିମ ଆକ୍ରମ ୧୯୯୯ର ଐତିହାସିକ ଭାରତ ଗସ୍ତ ବେଳେ ସଚିନ ତେନ୍ଦୁଲକରଙ୍କ ବିପକ୍ଷରେ ସାକଲିନ୍‌ ମୁସ୍ତାକଙ୍କ ସହ ମିଶି କିଭଳି ଏକ ବିପଦପୂର୍ଣ୍ଣ ରଣନୀତି କରିଥିଲେ, ସେ ବିଷୟରେ ଏକ ସାକ୍ଷାତକାରରେ କହିଛନ୍ତି। ତାଙ୍କ ଅନୁସାରେ, ଏହି ଘଟଣା ଗତକାଲି ଘଟିଯାଇଥିଲା ପରି ମନେପଡୁଛି। ଚେନ୍ନାଇ ଟେଷ୍ଟରେ ଭାରତକୁ ଜିତିବା ପାଇଁ ୨୭୧ ରନ୍‌ ଆବଶ୍ୟକ ହେଉଥିଲା ବେଳେ ୮୨ ରନ୍‌ରେ ଭାରତର ପ୍ରମୁଖ ୫ ଵିକେଟ୍‌ର ପତନ ଘଟିଥିଲା। ଏହି ସମୟରେ ସଚିନ ଓ ନୟନ ମୋଙ୍ଗିଆ ମିଳିତ ଭାବେ ପାଳି ଆଗକୁ ବଢାଇବା ସହ ୧୩୬ ରନ୍‌ର ଭାଗୀଦାରି କରିଥିଲେ। ଶେଷବେଳକୁ ଭାରତକୁ ଆଉ ପାଖାପାଖି ୨୦ ରନ୍‌ ଦରକାର ହେଉଥିଲା ବେଳେ ମୋଙ୍ଗିଆ ଓ ସଚିନଙ୍କ ଯୋଡ଼ି ପାକିସ୍ତାନ ପାଇଁ ଚିନ୍ତାଜନକ ହୋଇଥିଲା। ସାକଲିନ୍‌ଙ୍କ ପ୍ରତ୍ୟେକ ବଲ୍‌କୁ ସଚିନ୍‌ ଭଲଭାବେ ପରଖି ପାରୁଥିଲେ।

ଏପରିକି ସେ କେତେବେଳେ ଦୁସ୍‌ରା ପକାଇବେ ତାହା ମଧ୍ୟ ଜାଣିପାରୁଥିଲେ। ତେବେ ମୋଙ୍ଗିଆଙ୍କୁ ଆଉଟ୍‌ କରି ଆକ୍ରମ ଯୋଡ଼ି ଭାଙ୍ଗିଥିଲେ। ଯାହାଫଳରେ ପାକିସ୍ତାନକୁ ମ୍ୟାଚ୍‌ ଜିତିବା ପାଇଁ ଏକ ଭଲ ସୁଯୋଗ ମିଳିଯାଇଥିବା ଖେଳାଳିଙ୍କ ଭିତରେ ଆଲୋଚନା ହୋଇଥିଲା। ଏହାସତ୍ତ୍ବେ ସଚିନ୍‌ ଭଲ ଖେଳୁଥିବାରୁ ତାଙ୍କୁ ଆଉଟ୍‌ କରିବା ବୋଲରଙ୍କ ପାଇଁ ଆଉ ଏକ ଆହ୍ବାନ ଥିଲା। ତେଣୁ ସଚିନ୍‌ଙ୍କୁ ଆଉଟ କରିବା ପାଇଁ ସାକଲିନ୍‌ ଅଧିନାୟକଙ୍କ ସହିତ ଆଲୋଚନା କରିଥିଲେ। ଏକ ବିପଦପୂର୍ଣ୍ଣ ବଲ୍‌ ପକାଇବାକୁ ଯୋଜନା ହୋଇଥିଲା ବେଳେ ସଚିନ୍‌ଙ୍କୁ ଫ୍ଲାଇଟେଡ୍‌ ଦୁସ୍‌ରା ପକାଇବାକୁ ଆକ୍ରମ ପରାମର୍ଶ ଦେଇଥିଲେ। ଯଦିଓ ଏହି ବଲ୍‌ରେ ଛକା ହୋଇଯିବା ଭୟ ରହିଥିଲା, ତଥାପି ସବୁ କ୍ଷେତ୍ରରକ୍ଷକଙ୍କୁ ବାଉଣ୍ତରୀ ପାଖରେ ରଖାଯାଇଥିଲା ଓ ଆକ୍ରମ ନିଜେ ଏକ୍ସଟ୍ରା କଭର ଅଞ୍ଚଳରେ ରହିଥିଲେ। ସାକଲିନ୍‌ ଏହି ବଲ୍‌କୁ ଯୋଜନା ଅନୁଯାୟୀ ପକାଇଥିଲା ବେଳେ ବଲ୍‌ ସଚିନ୍‌ଙ୍କ ବ୍ୟାଟ୍‌ ଧାରରେ ବାଜି ଆକ୍ରମଙ୍କ ହାତକୁ ଚାଲିଯାଇଥିଲା। ସଚିନ୍‌ ଆଉଟ ହେବା ପରେ ନିମ୍ନକ୍ରମ ଖେଳାଳିମାନେ ଆଉ ମ୍ୟାଚ୍‌ ଜିତାଇପାରିନଥିଲେ ଓ ପାକିସ୍ତାନ ୧୨ ରନ୍‌ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର