ବୁମରା କହିଲେ ଗୋଲାପି ବଲ୍‌ ଟେଷ୍ଟ୍ ପାଇଁ ପ୍ରସ୍ତୁତିର ଗୋପନ କଥା

କୋହଲିଙ୍କ ପାଇଁ ମାର୍କ ୱ’ଙ୍କ ରେକର୍ଡ ଟପିବା ସୁଯୋଗ

ବେଙ୍ଗାଲୁରୁ: ଭାରତୀୟ ଟେଷ୍ଟ୍ ଦଳର ଉପ ଅଧିନାୟକ ତଥା ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ବଖାଣିଛନ୍ତି ଗୋଲାପି ବଲ୍‌ ଟେଷ୍ଟ୍ ପାଇଁ ପ୍ରସ୍ତୁତିର ଗୋପନ କଥା। ଭାରତ ଖେଳିଥିବା ପୂର୍ବ ୩ ଦିବାରାତ୍ର ଟେଷ୍ଟରେ ନିଜ ଅଭିଜ୍ଞତାରୁ ବୁମରା କହିଥିଲେ ‘ଜଣେ ପେସାଦାର କ୍ରିକେଟର୍‌ ଭାବେ ଆମକୁ ତୁରନ୍ତ ଖାପ୍‌ ଖୁଆଇନେବାକୁ ପଡ଼ିବ। କ୍ଷେତ୍ରରକ୍ଷଣ ବେଳେ ଗୋଲାପି ବଲ୍‌ ଭିନ୍ନ ଦିଶେ। ଆଶାଠାରୁ ଅଧିକ ବେଗରେ ଗତି କରେ ଏବଂ ବଲ୍‌ ଅଧିକ ସୁଇଙ୍ଗ କରେ। ଅପରାହ୍ନରେ ବଲ୍‌ ସେତେଟା ସୁଇଙ୍ଗ କରେନାହିଁ, କିନ୍ତୁ ସଂଧ୍ୟାରେ ଅଧିକ ହୁଏ। ଏସବୁ ବିଷୟରେ ଆମେ ଆଲୋଚନା କରିଛୁ। ଆମେ ଅଧିକ ଗୋଲାପି ବଲ୍ ଟେଷ୍ଟ‌ ଖେଳିନାହୁଁ। କିନ୍ତୁ ଯେଉଁ ୩ଟି ଖେଳିଛୁ ସେଗୁଡିକ ଭିନ୍ନ ପରିବେଶରେ ଥିଲା। ସେଠୁ ମିଳିଥିବା ଅଭିଜ୍ଞତାକୁ ଉପଯୋଗ କରିବୁ’। ସୂଚନାଯୋଗ୍ୟ, ଭାରତ ପୂର୍ବରୁ‌ ବାଂଲାଦେଶ ବିପକ୍ଷରେ ଇଡେନ୍ ଗାର୍ଡେନ୍ସରେ ସିମିଂ ପିଚ୍‌ରେ, ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ର ବାଉଁସ ପିଚ୍‌ରେ ଏବଂ ଇଂଲଣ୍ଡ ବିପକ୍ଷରେ ଅହମଦାବାଦର ରୢାଙ୍କ୍ ଟର୍ଣ୍ଣରରେ ଖେଳିଥିଲା। ଆଡିଲେଡ୍‌ରେ ହାରିଥିବା ବେଳେ ଅନ୍ୟ ଦୁଇଟିରେ ଜିତିଥିଲା।

କୋହଲିଙ୍କ ପାଇଁ ମାର୍କ ୱ’ଙ୍କ ରେକର୍ଡ ଟପିବା ସୁଯୋଗ

ବେଙ୍ଗାଲୁରୁ : ଆଜିଠୁ ଏଠାରେ ଶ୍ରୀଲଙ୍କା ବିପକ୍ଷ ଗୋଲାପିବଲ୍‌ ଟେଷ୍ଟ ଆରମ୍ଭ ହେବାକୁ ଯାଉଥିଲା ବେଳେ ବିରାଟ କୋହଲିଙ୍କ ପାଇଁ ଅଷ୍ଟ୍ରେଲିଆାର ମାର୍କ ୱ’ଙ୍କ ଏକ ସ୍ବତନ୍ତ୍ର ରେକର୍ଡକୁ ଟପିବାର ସୁଯୋଗ ରହିବ। ଟେଷ୍ଟରେ ମାର୍କ ୧୨୮ ମ୍ୟାଚ୍‌ ଖେଳି ୮୦୨୯ ରନ୍‌ କରିଛନ୍ତି। ଭାରତର ପୂର୍ବତନ ଅଧିନାୟକ କୋହଲି ମୋହାଲିରେ ଶତକୀୟ ଟେଷ୍ଟ ଖେଳିବା ଅବସରରେ ତାଙ୍କ ରନ୍‌ ସଂଖ୍ୟାକୁ ୮୦୦୭ରେ ପହଞ୍ଚାଇଥିଲେ। ଫଳରେ ବେଙ୍ଗାଲୁରୁରେ ୧୦୧ତମ ଟେଷ୍ଟ ଖେଳିବାକୁ ଯାଉଥିବା କୋହଲି ଆଉ ୨୩ ରନ୍‌ କରିପାରିଲେ ସେ ସର୍ବାଧିକ ଟେଷ୍ଟ ରନ୍‌ କରିବାରେ ମାର୍କଙ୍କ ରେକର୍ଡକୁ ଅତିକ୍ରମ କରିପାରିବେ।

ଅନ୍ୟପକ୍ଷରେ କୋହଲିଙ୍କ ପାଇଁ ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିବାର ସୁଯୋଗ ମଧ୍ୟ ରହିଛି। ସେ ଯଦି ବେଙ୍ଗାଲୁରୁ ଟେଷ୍ଟରେ ୨୬ ରନ୍‌ କରନ୍ତି ତାହାଲେ ସର୍ବାଧିକ ଟେଷ୍ଟ ରନ୍‌ ସଂଗ୍ରହରେ ମାର୍କ ୱ’ଙ୍କ ବ୍ୟତୀତ ଗ୍ୟାରି ସୋବର୍ସ (୮୦୩୨) ଏବଂ ୧୦୮ ରନ୍‌ କରିପାରିଲେ ଜିଓଫ୍ରି ବୟକଟ୍‌ (୮୧୧୪)ଙ୍କୁ ଟପିଯିବେ। କୋହଲି ଏବେ ସର୍ବାଧିକ ଟେଷ୍ଟ ଶତକ ହାସଲକାରୀ ତାଲିକାରେ ୩୨ତମ ସ୍ଥାନରେ ରହିଛନ୍ତି। ପୁଣି ୧୦୧ ଟେଷ୍ଟ ଖେଳିବାରେ କୋହଲି ମଧ୍ୟ ଗ୍ୟାରି କର୍ଷ୍ଟେନ୍‌, ମାଖୟା ଏନ୍‌ଟିନି ଏବଂ ବ୍ରେଣ୍ଡନ ମ୍ୟାକ୍‌ଲମ୍‌ଙ୍କ ସମକକ୍ଷ ହୋଇପାରିବେ।

ସମ୍ବନ୍ଧିତ ଖବର