ବଟଲର୍ ବିସ୍ଫୋରଣ, ଚହଲ ହ୍ୟାଟ୍ରିକ୍‌: କୋଲକାତା ନାଇଟ୍ ରାଇଡର୍ସକୁ ହରାଇଲା ରାଜସ୍ଥାନ ରୟାଲ୍‌ସ

ମୁମ୍ବାଇ: ଜୋସ୍ ବଟଲରଙ୍କ ବିସ୍ଫୋରକ ଶତକ ପରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ୟୁଝବେନ୍ଦ୍ର ଚହଲଙ୍କ ହ୍ୟାଟ୍ରିକ୍ ସହ ୫ ୱିକେଟ୍ ଦଖଲ ସୋମବାର ଆଇପିଏଲ୍ ମ୍ୟାଚ୍‌କୁ ଆକର୍ଷଣୀୟ କରି ଦେଇଥିଲା। ରୋମାଞ୍ଚ, ଉତଥାନ, ପତନ ଓ ନାଟକୀୟ ମୁହୂର୍ତ୍ତ ଭିତରେ ଗତି କରିଥିବା ସୋମବାରର ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୭ ରନ୍‌ରେ ରୋମାଞ୍ଚକ ଭାବେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ପଶ୍ଚାତଧାବନ ବେଳେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଆରୋନ୍‌ ଫିଞ୍ଚ୍ (୨୮ ବଲରୁ ୫୮ ରନ୍‌) ଏବଂ ଶ୍ରେୟସ ଆୟର୍ (୫୧ ବଲରୁ ୮୫ ରନ୍‌) ବଢ଼ିଆ ଲଢ଼ିଥିଲେ। ତେବେ ନିଜ ଶେଷ ଓଭରରେ ୟୁଝବେନ୍ଦ୍ର ଚହଲ ହ୍ୟାଟ୍ରିକ୍ ସହ ୪ ୱିକେଟ୍ ନେଇ ସବୁ ଓଲଟ ପାଲଟ କରି ଦେଇଥିଲେ। ୨୧୭ ରନ୍‌କୁ ପିଛା କରି କୋଲକାତା ୨୧୦ ରନ୍‌ରେ ସୀମିତ ରହିଯାଇଥିଲା। ଶେଷ ଓଭରରୁ ୧୧ ରନ୍‌ ଆବଶ୍ୟକ ଥିଲେ ମଧ୍ୟ ପ୍ରଥମ ପଦାର୍ପଣ କରିଥିବା ୱେଷ୍ଟଇଣ୍ଡିଜ୍‌ ବୋଲର ଓବିଦ୍ ମ୍ୟାକୟ ଶେଷ ୨ ୱିକେଟ୍ ନେଇ ୨ ବଲ୍ ପୂର୍ବରୁ ରାଜସ୍ଥାନକୁ ବିଜୟୀ କରାଇଥିଲେ। ୧୭ତମ ଓଭର କିନ୍ତୁ ଥିଲା ଚହଲଙ୍କର। ପ୍ରଥମ ବଲରେ ଭେଙ୍କଟେଶ ଆୟରଙ୍କୁ ଆଉଟ୍ କରିବା ପରେ ଶେଷ ୩ ବଲ୍‌ରେ ଶ୍ରେୟସ ଆୟର, ଶିଭମ ମାଭି, ପ୍ୟାଟ୍ କମିନ୍ସଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ପୂର୍ଣ୍ଣ କରିଥିଲେ। ଆଇପିଏଲ୍‌ରେ ଏହ‌ା ଥିଲା ‌୨୧ତମ ହ୍ୟାଟ୍ରିକ।

ବ୍ରାବର୍ଣ୍ଣରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଇଂଲିସ୍ ୱିକେଟକିପର୍‌ ବ୍ୟାଟର୍‌ ଜୋସ୍ ବଟଲର୍‌ଙ୍କ ବ୍ୟାଟ୍‌ ପୁଣି ବିସ୍ଫୋରକ ରୂପ ନେଇଥିଲା ସୋମବାର। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଦୁର୍ବଳତାକୁ ପଛରେ ପକାଇ ‌ବଟଲର୍‌ ୫ ପାଳି ଭିତରେ ଦ୍ବିତୀୟ ଶତକ ହାସଲ କରିଥିଲେ। ମୁମ୍ବାଇ ବିପକ୍ଷରେ ୬୬ ବଲ୍‌ରୁ ଶତକ ହାସଲ କରିଥିବା ଏହି ପ୍ରାରମ୍ଭିକ ବ୍ୟାଟର୍‌ ସୋମବାର କେକେଆର୍‌ ବିପକ୍ଷରେ ୫୯ ବଲରୁ ତିନି ଅଙ୍କ ଛୁଇଁଥିଲେ। ଆଇପିଏଲ୍‌ରେ ଏହା ବଟଲର୍‌ଙ୍କ ତୃତୀୟ ଶତକ। ବ୍ରାବର୍ଣ୍ଣରେ କିନ୍ତୁ ଏହା ଥିଲା ଚୁତର୍ଥ ଶତକ। ପୂର୍ବରୁ ୟୁସୁଫ୍ ପଠାନ୍‌ (୨୦୧୦), ସେନ୍‌ ୱାଟସନ୍‌ (୨୦୧୫), କେଏଲ୍ ରାହୁଲ୍ (୨୦୨୨) ଏଠାରେ ଶତକ ହାସଲ କରିଥିଲେ। ପୂର୍ବରୁ ବଟଲର୍‌ କେକେଆର୍‌ ବିପକ୍ଷରେ ୯ ମ୍ୟାଚ୍‌ରୁ ୨୪୫ ରନ୍‌ ସଂଗ୍ରହ କରିଥିବାବେଳେ ସର୍ବାଧିକ ୪୧ ରନ୍‌ କରିଥିଲେ। ବଟଲର୍‌ଙ୍କ ୬୧ ବଲ୍‌ ୧୦୩ ରନ୍‌ ବଳରେ ରାଜସ୍ଥାନ ରୟାଲ୍ଚ ଚଳିତ ଋତୁର ସର୍ବାଧିକ ଦଳଗତ ସ୍କୋର୍‌ ୨୧୭ ରନ୍‌ ସଂଗ୍ରହ କରି ନେଇଥିଲା। ବଟଲରଙ୍କ ସହିତ ଉପଯୁକ୍ତ ପାଳି ଖେଳି ଦେବଦତ୍ତ ପଡିକଲ୍‌ ୧୮ ବଲରୁ ୨୪, ସଞ୍ଜୁ ସାମସନ୍‌ ୧୯ ବଲରୁ ୩୮, ସିମ୍ରନ ହେଟମାୟର୍ ୧୩ ବଲରୁ ୨୬* ରନ୍‌ ସଂଗ୍ରହ‌ କରି ରାଜସ୍ଥାନକୁ ପାଳି ସାରା ଓଭରପ୍ରତି ୧୦ ରନ୍‌ ଉପରେ ରଖିଥିଲେ। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ସୁନିଲ ନାରାୟଣ (୪-୦-୨୧-୨) ସଫଳ ତଥା ମିତବ୍ୟୟୀ ‌ବୋଲର ଥିଲେ। ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ, ପ୍ୟାଟ୍ କମିନ୍ସ, ଆନ୍ଦ୍ରେ ରସେଲ୍ ପ୍ରମୁଖ ଓଭର ପିଛା ଅନ୍ୟୁନ ୧୧ରୁ ୧୫ ରନ୍‌ ବ୍ୟୟ କରିଥିଲେ।

ସମ୍ବନ୍ଧିତ ଖବର