ଚହଲ ଓ ଗୌତମ କୋଭିଡ୍‌ ପଜିଟିଭ୍‌; ଦଳ ସହ ଫେରିପାରିବେନି

କଲମ୍ବୋ : ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଦଳର ୟୁଝ୍‌ବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ ହୋଇଛନ୍ତି। ଗୁରୁବାର ତୃତୀୟ ତଥା ଶେଷ ଟି-୨୦ ସହ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ଶେଷ ହୋଇଛି। ତେବେ ସ୍ବଦେଶ ଫେରିବା ପୂର୍ବରୁ କୋଭିଡ୍‌ ନିୟମ ଅନୁଯାୟୀ ଖେଳାଳି ଓ ଅଧିକାରୀମାନଙ୍କର କରୋନା (ଆର୍‌ଟି-ପିସିଆର୍‌) ପରୀକ୍ଷା କରାଯାଇଥିଲା। ଏଥିରେ ଚହଲ ଓ ଗୌତମଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏହି ଦୁଇ ଜଣ ମଧ୍ୟ କ୍ରୁନାଲଙ୍କ ସଂସ୍ପର୍ଶରେ ଆସିଥିଲେ। ଫଳରେ ଏହି ଦୁଇ ଜଣ ପୂର୍ବରୁ ଏକାନ୍ତବାସରେ ରହିଥିବା ଅଲ୍‌ରାଉଣ୍ଡର କ୍ରୁନାଲଙ୍କ ସହ ସାମିଲ ହୋଇଛନ୍ତି। ଏପରିକି ଦୁଇ ନୂଆ କୋଭିଡ୍‌ ମାମଲା ପଦାକୁ ଆସିବାରୁ କ୍ରୁନାଲ ପାଣ୍ଡ୍ୟାଙ୍କୁ ଛାଡ଼ି ସ୍ବଦେଶ ଫେରିବାକୁ ଥିବା ଅବଶିଷ୍ଟ ଭାରତୀୟ ଦଳ ଶୁକ୍ରବାର ବିମାନ ବନ୍ଦରରେ ଅଟକି ରହିଥିଲା। ଏବେ ତିନି ଜଣଙ୍କୁ ଛାଡ଼ି ଏହି ଦଳ ଦିନକ ପରେ ଫେରିବ ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ଜଣେ କର୍ମକର୍ତା କହିଛନ୍ତି। ଚହଲ ଓ ଗୌତମ ମଧ୍ୟ ନିୟମ ଅନୁଯାୟୀ କଲମ୍ବୋରେ ୭ ଦିନିକିଆ ଏକାନ୍ତବାସରେ ରହିବେ। ତେବେ କ୍ରୁନାଲଙ୍କ ସଂସ୍ପର୍ଶରେ ଆସି ଶେଷ ଦୁଇଟି ଟି-୨୦ରୁ ବାଦ୍‌ ପଡ଼ିଥିବା‌ ଅନ୍ୟ ୬ ଜଣ (ହାର୍ଦିକ୍‌ ପାଣ୍ଡ୍ୟା, ମନୀଷ ପାଣ୍ଡେ, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ପୃଥ୍ବୀ ସ ଏବଂ ଦୀପକ ଚହର)ଙ୍କୁ ଦଳ ସହ ସ୍ବଦେଶ ଫେରିବାକୁ ମୁକ୍ତ କରାଯାଇଛି। ପୃଥ୍ବୀ ଓ ସୂର୍ଯ୍ୟ ଆସନ୍ତାକାଲି ଲଣ୍ଡନ ଯାତ୍ରା କରି ସେଠା‌ରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଟେଷ୍ଟ ଦଳ ସହ ଯୋଗଦେବେ।

ଭାରତ ଶୃଙ୍ଖଳାରୁ ଷ୍ଟୋକ୍ସ ଓହରିଲେ
ଲଣ୍ଡନ, ୩୦ା୭: ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ୫ ମ୍ୟାଚ୍‌ ଟେଷ୍ଟ ଶୃଙ୍ଖଳାରୁ ଇଂଲଣ୍ଡର ତାରକା ଅଲ୍‌ରାଉଣ୍ଡର ବେନ ଷ୍ଟୋକ୍ସ ଓହରି ଯାଇଛନ୍ତି। ମାନସିକ ସ୍ବାସ୍ଥ୍ୟ କାରଣ ଦର୍ଶାଇ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ କ୍ରିକେଟ୍‌ରୁ ବିରାମ ନେଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର