ଅନ୍ତଃମହାବିଦ୍ୟାଳୟ କ୍ରିକେଟ୍‌: ଏକାମ୍ର ବିଜେତା

ଭୁବନେଶ୍ୱର: ନହରକଣ୍ଟାସ୍ଥିତ ଜୟଦେବ ମହାବିଦ୍ୟାଳୟ ଆନୁକୁଲ୍ୟରେ ଚାଲିଥିବା ଜୋନ୍‌-୫ ଅନ୍ତଃମହାବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାରେ ଏକାମ୍ର ବିଜେତା ହୋଇଛି। ଗୁରୁବାର ଫାଇନାଲ୍‌ ମୁକାବିଲାରେ ଏହି ଦଳ ଦେବରୟ ମହାବିଦ୍ୟାଳୟ ଦଳକୁ ୧୮ ରନ୍‌ରେ ପରାସ୍ତ କରି ଟ୍ରଫି ଉପରେ କବ୍‌ଜା କରିନେଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଏକାମ୍ର ଦଳ ନିର୍ଧାରିତ ୩୦ ଓଭରରେ ୭ ଓ୍ଵିକେଟ ହରାଇ ୧୭୩ ରନ୍‌ କରିଥିଲା। ଆରମ୍ଭରୁ ବିପର୍ଯ୍ୟୟର ସାମ୍‌ନା କରିଥିବା ଏକାମ୍ର ଦଳ ଏକ ସମୟରେ ୨୩ ରନ୍‌ରେ ୪ ଓ୍ଵିକେଟ୍‌ ହରାଇ ସଂକଟରେ ପଡ଼ିଯାଇଥିଲା। ହେଲେ ରାକେଶ କୁମାର ବେହେରା ଓ ଅଧିନାୟକ ରାକେଶ କୁମାର ବାରିକଙ୍କ ୯୧ ରନ୍‌ର ଭାଗୀଦାରି ଦଳର ସ୍ଥିତି ସୁଧାରିଥିଲା। ବେହେରା ୬୦ ଓ ବାରିକ ଅପରାଜିତ ୬୩ ରନ୍‌ କରିଥିଲା ବେଳେ ଶଶିକାନ୍ତ ବେହେରା ୨୫ ରନ୍‌ର ଅବଦାନ ଛାଡ଼ିଥିଲେ।

ଜବାବରେ ଦେବରୟ ମହାବିଦ୍ୟାଳୟ ଦଳ ୧୫୫ ରନ୍‌ କରିପାରିଥିଲା। ଅଶୋକ ମଲ୍ଲିକ ୩୯ ଓ ଡି ସାହୁଙ୍କ ୩୫ ରନ୍‌ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲା। ଏକାମ୍ର ମହାବିଦ୍ୟାଳୟ ଦଳ ପକ୍ଷରୁ ସଫଳ ବୋଲର ଭାବେ ଭବାନୀ ପ୍ରସାଦ ଦାସ ୪, ସୌରଭ ପାଣିଗ୍ରାହୀ ୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ପ୍ରଦୀପ ଜେନା ଓ ତପନ ବେହେରା ମ୍ୟାଚ୍‌ ପରିଚାଳନା କରିଥିଲେ। ଆୟୋଜକ ଜୟଦେବ ମହାବିଦ୍ୟାଳୟର ଅଧ୍ୟକ୍ଷ ଜ୍ୟୋତ୍ସ୍ନାମୟୀ କୁଅଁର ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର