ପରିବାର‌ରେ ସଞ୍ଚୟ କମୁଛି: ୩ ବର୍ଷରେ ୯ ଲକ୍ଷ କୋଟି ହ୍ରାସ

ସେୟାର, ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ ବଢ଼ିଛି, ଋଣ ବୋଝ ୩.୩୩ ଲକ୍ଷ କୋଟି

ନୂଆଦିଲ୍ଲୀ: ଭାରତୀୟମାନେ ସଞ୍ଚୟ ପ୍ରିୟ। ଯିଏ ଯେତେ‌ ରୋଜଗାର କରନ୍ତୁ ନା କାହିଁକି ସେଥିରୁ କିଛି ସଞ୍ଚୟ କରି ଘରେ ରଖିବାକୁ ପସନ୍ଦ କରନ୍ତି। ଲୋକମାନଙ୍କ ସେହି ମାନସିକତା ଭାରତକୁ ଅନ୍ୟ ଦେଶଠାରୁ ଭିନ୍ନ କରିଥିବା ବେଳେ ପରିବାର ସଞ୍ଚୟ କ୍ଷେତ୍ରରେ ଦେଶକୁ ଅଗ୍ରଣୀ ରଖିଛି। କିନ୍ତୁ ଗତ କିଛି ବର୍ଷ ହେଲାଣି ପରିବାର‌ରେ ହେଉଥିବା ସଞ୍ଚୟ ଉପରେ ଚାପ ସୃଷ୍ଟି ହୋଇଛି। ଲୋକମାନେ ଘରେ ପୂର୍ବ ଭଳି ସଞ୍ଚୟ କରିପାରୁନାହାନ୍ତି କିମ୍ବା ସଞ୍ଚିତ ରାଶିରୁ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଏକ ତଥ୍ୟରୁ ଜଣାପଡ଼ିଛି।

ଜାତୀୟ ଖାତା ପରିସଂଖ୍ୟାନ ୨୦୨୪ ତଥ୍ୟ ଅନୁସାରେ ଦେଶର ପରିବାର ସଞ୍ଚୟ ପରିମାଣ ଗତ ତିନି ବର୍ଷରେ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୧୪.୧୬ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ୨୦୨୦-୨୧ରେ ପରିବାର ସଞ୍ଚୟ ପରିମାଣ ୨୩.୨୯ ଲକ୍ଷ କୋଟି ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା। ୨୦୨୨-୨୩ ସୁଦ୍ଧା ସେଥିରୁ ୯ ଲକ୍ଷ କୋଟି ଟଙ୍କା ବାହାରି ଯାଇଛି। ଅର୍ଥାତ ତିନି ବର୍ଷ ଭିତରେ ଲୋକମାନେ ପରିବାର ଚଳାଇବା ଲାଗି ସଞ୍ଚିତ ରାଶି ଉପରେ ନିର୍ଭରଶୀଳ ହୋଇପଡ଼ିଥିଲେ ବୋଲି ପରୋକ୍ଷରେ କୁହାଯାଇପାରିବ।
ନିଯୁକ୍ତି ବଜାରରେ କଠିନ ସ୍ଥିତି, ଲୋକମାନଙ୍କ ଆୟ ଉପରେ ରହିଥିବା ଚାପ ଏବଂ ଦରଦାମ୍ ସ୍ଥିତି ବେଲଗାମ ରହିବା କାରଣରୁ ଲୋକମାନଙ୍କୁ ଆଉ ସଞ୍ଚୟ କରିବା ଲାଗି ବିଶେଷ ସୁଯୋଗ ମିଳୁନାହିଁ। ୨୦୨୧-୨୨ରେ ପରିବାର ସଞ୍ଚୟ ରାଶି ୧୭.୧୨ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ୨୦୨୨-୨୩ରେ ତାହା ୧୪.୧୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି ଯାହା ଗତ ପାଞ୍ଚ ବର୍ଷ ଭିତରେ ସବୁଠୁ କମ୍। ଶେଷ ଥର ପାଇଁ ୨୦୧୭-୧୮ରେ ପରିବାର ସଞ୍ଚୟ ପରିମାଣ ୧୩.୦୫ ଲକ୍ଷ କୋଟି ଟଙ୍କା ଭଳି ନିମ୍ନ ସ୍ତରକୁ ଖସିଆସିବା ପରେ ୨୦୧୮-୧୯ରେ ୧୪.୯୨ ଲକ୍ଷ କୋଟି ଟଙ୍କାକୁ ଏବଂ ୨୦୧୯-୨୦ରେ ୧୫.୪୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।

ସରକାରଙ୍କ ଏହି ତଥ୍ୟରୁ ଆଉ ଗୋଟିଏ ଚିତ୍ର ସାମ୍ନାକୁ ଆସିଛି। ତାହା ହେଉଛି ଲୋକମାନେ ମ୍ୟୁଚୁଆଲ୍ ଫଣ୍ଡରେ ଅଧିକ ନିବେଶ କରୁଛନ୍ତି। ସେଥିପାଇଁ ତିନି ବର୍ଷରେ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ ପରିମାଣ ତିନି ଗୁଣା ବୃଦ୍ଧି ପାଇ ୨୦୨୨-୨୩ ସୁଦ୍ଧା ୧.୭୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୦-୨୧ରେ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ ପରିମାଣ ୬୪,୦୮୪ କୋଟି ଟଙ୍କା ଥିବା ବେଳେ ୨୦୨୧-୨୨ରେ ତାହା ୧.୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଆଲୋଚ୍ୟ ତିନି ବର୍ଷରେ ସେୟାର ଓ ଡିବେଞ୍ଚରରେ ନିବେଶ ପରିମାଣ ଦୁଇ ଗୁଣା ବୃଦ୍ଧି ପାଇ ୨୦୨୨-୨୩ ସୁଦ୍ଧା ୨.୦୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୦-୨୧ରେ ଏହି ନିବେଶ ପରିମାଣ ୧.୦୭ ଲକ୍ଷ କୋଟି ଟଙ୍କା ଥିଲା। ପରିବାରଗୁଡ଼ିକର ଋଣ ବୋଝ ଇତି ମଧ୍ୟରେ ବୃଦ୍ଧି ପାଇଛି। ଆର୍ଥିକ ସଂସ୍ଥାଗୁଡ଼ିକରୁ ପରିବାରଗୁଡ଼ିକ ନେଇଥିବା ଋଣ ଚାରି ଗୁଣା ବୃଦ୍ଧି ପାଇ ୨୦୨୨-୨୩ ସୁଦ୍ଧା ୩.୩୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୦-୨୧ରେ ପରିବାରଗୁଡ଼ିକ ଉପରେ ୯୩,୭୨୩ କୋଟି ଟଙ୍କାର ଋଣ ବୋଝ ଥିଲା ଯାହା ୨୦୨୧-୨୨ ସୁଦ୍ଧା ୧.୯୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର