ଅପରାଧ ତାଲିକାରେ ଉତ୍ତରପ୍ରଦେଶ ଶୀର୍ଷରେ

ନୂଆଦିଲ୍ଲୀ: ଦେଶର ଅପରାଧ ତାଲିକାରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଛି। ରାଜ୍ୟରେ ହତ୍ୟାଠାରୁ ଆରମ୍ଭ କରି ଦୁଷ୍କର୍ମ ପରି ଘୃଣ୍ୟ ଅପରାଧର ମାତ୍ରା ସାଂଘାତିକ ଭାବେ ବୃଦ୍ଧି ପାଇଛି। ଏନସିଆରବି (ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ)ର ତଥ୍ୟ ଅନୁଯାୟୀ ୨୦୧୬ ମସିହାରେ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ଅପରାଧର ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଏହା ଦେଶର ଅପରାଧ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି। ତଥ୍ୟ ଅନୁଯାୟୀ ୨୦୧୬ ମସିହାରେ ଉତ୍ତରପ୍ରଦେଶରେ ୪,୮୮୯ ହତ୍ୟା ମାମଲା ରୁଜୁ ହୋଇଛି ଏବଂ ଏହା ପଛକୁ ବିହାରରେ ୨,୫୮୧ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ଉତ୍ତରପ୍ରଦେଶରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ୪୯,୨୬୨ ରହିଥିବାବେଳେ ପଶ୍ଚିମବଙ୍ଗରେ ଏହି ସଂଖ୍ୟା ୩୨,୫୧୩ ରହିଛି। ଅନ୍ୟପକ୍ଷରେ ୨୦୧୫ ତୁଳନାରେ ୨୦୧୬ ମସିହାରେ ଦେଶରେ ଦୁଷ୍କର୍ମ ମାମଲା ୧୨.୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୫ରେ ଦେଶରେ ୩୪,୬୫୧ଟି ଦୁଷ୍କର୍ମ ମାମଲା ହୋଇଥିବାବେଳେ ୨୦୧୬ରେ ଏହି ସଂଖ୍ୟା ୩୮,୯୪୭କୁ ବୃଦ୍ଧି ପାଇଛି। ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ସଂଖ୍ୟାରେ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି। ଏନସିଆରବି ତଥ୍ୟ ଅନୁଯାୟୀ ଗତବର୍ଷ ମଧ୍ୟପ୍ରଦେଶରେ ୪,୮୮୨ ଦୁଷ୍କର୍ମ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୪,୮୧୬ ଏବଂ ମହାରାଷ୍ଟ୍ରରେ ଏହି ସଂଖ୍ୟା ୪,୧୮୯ ରହିଥିଲା। ବିଭିନ୍ନ ଅପରାଧରେ ଦେଶରେ ୨୦୧୬ ମସିହାରେ ସମୁଦାୟ ୩୭,୩୭,୮୭୦ ଜଣ ଗିରଫ ହୋଇଥିବାବେଳେ ୩୨,୭୧,୨୬୨ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଛି। ବିଭିନ୍ନ ଅପରାଧରେ ୭,୯୪,୬୧୬ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୧୧,୪୮,୮୨୪ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

ଓଡିଶାରେ ଦୁର୍ନୀତି ଓ ଆର୍ଥିକ ଅପରାଧ ବଢ଼ିଛି

ନୂଆଦିଲ୍ଲୀ: ଓଡିଶାରେ ୨୦୧୫ ମସିହା ତୁଳନାରେ ଦୁର୍ନୀତି ଓ ଆର୍ଥିକ ଅପରାଧ ମାମଲାରେ ବୃଦ୍ଧି ହୋଇଛି । ୨୦୧୫ରେ ଓଡିଶାରେ ଆର୍ଥିକ ଅପରାଧର ସଂଖ୍ୟା ୩୪୮୯ ଥିବାବେଳେ ଏହା ୨୦୧୬ରେ ବୃଦ୍ଧି ପାଇଁ ୩୭୫୬ରେ ପହଞ୍ଚିଛି। ୨୦୧୪ରେ ଓଡ଼ିଶାର ଆର୍ଥିକ ଅପରାଧ ସଂପର୍କିତ ୨୭୮୮ ମାମଲା ପଞ୍ଜିକୃତ ହୋଇଥିଲା। ଓଡିଶାରେ ଗତ ୩ ବର୍ଷ ହେଲା ଦୁର୍ନୀତି ଅପରାଧର ଗ୍ରାଫ୍‌୍‌ ମଧ୍ୟ ବୃଦ୍ଧିପାଇଛି। ଓଡିଶାରେ ୨୦୧୪ରେ ଅର୍ଥିକ ଦୁର୍ନୀତି ମାମଲା ସଂଖ୍ୟା ୪୦୦ ଥିବାବେଳେ ଏହି ସଂଖ୍ୟା ୨୦୧୫ରେ ୪୫୬କୁ ପହଞ୍ଚିଥିଲା ଏବଂ ୨୦୧୬ରେ ଏହା ୫୬୯କୁ ବୃଦ୍ଧି ପାଇଛି। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିବା ନ୍ୟାସନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋ ଦ୍ୱାରା ପ୍ରକାଶ କରାଯାଇଥିବା କ୍ରାଇମ୍‌ ଇଣ୍ଡିଆ-୨୦୧୬ ରିପୋର୍ଟରେ ଉପରୋକ୍ତ ତଥ୍ୟ ଉଲ୍ଲେଖ ଅଛି । ରିପୋର୍ଟରେ ଅନୁସୂଚିତ ଜାତି ଓ ଜନଜାତି ବିରୋଧରେ ଅତ୍ୟାଚାର ମାମଲାରେ ଓଡ଼ିଶାର ସ୍ଥାନ ତୃତୀୟ ରହିଛି । ଓଡିଶାରେ ୨୦୧୬ରେ ଅନୁସୂଚିତ ଜନଜାତି ବିରୋଧରେ ଅତ୍ୟାଚାର ମାମଲା ସଂଖ୍ୟା ୬୮୧ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଭାରତୀୟ ଦଣ୍ଡବିଧି(ଆଇପିସି) ଓ ସ୍ୱତନ୍ତ୍ର ସ୍ଥାନୀୟ ଆଇନ୍‌(ଏସ୍‌ଏସ୍‌ଏଲ) ଅନ୍ତର୍ଗତ ୨୦୧୬ରେ ମହିଳାଙ୍କ ବିରୋଧରେ ଅପରାଧ ଘଟଣା ବୃଦ୍ଧି ପାଇଛି। ୨୦୧୬ରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ୧୭୮୩୭ ଥିବା ଉଲ୍ଲେଖ ରହିଛି । ୨୦୧୫ରେ ଏହି ମାମଲା ୧୭୨୦୦ ଥିଲାଏବଂ ୨୦୧୪ରେ ଏହାର ସଂଖ୍ୟା ଥିଲା ୧୪୬୫୧ । ଆଇପିସି ଓ ଏସ୍‌ଏସ୍‌ଏଲ ଅନ୍ତର୍ଗତ ୨୦୧୬ରେ ଶିଶୁମାନଙ୍କ ବିରୋଧରେ ଅପରାଧ ଘଟଣାରେ ବୃଦ୍ଧି ହୋଇଥିବାର ରିପୋର୍ଟରେ କୁହାଯାଇଛି। ୨୦୧୬ରେ ସମୁଦାୟ ୩୨୮୬ ଶିଶୁଙ୍କ ବିରୋଧରେ ଅପରାଧ ଘଟଣା ଘଟିଥିବା ବେଳେ ୨୦୧୫ରେ ଏହାର ସଂଖ୍ୟା ୨୫୬୨ ଓ ୨୦୧୪ରେ ଏହା ୨୧୯୬ଥିଲା ।

କ୍ରାଇମ୍‌ ଇଣ୍ଡିଆ ୨୦୧୬ ରିପୋର୍ଟରେ ୨୦୧୫ ତୁଳନାରେ ଓଡିଶାରେ ଆଇପିସି ଅନ୍ତର୍ଗତ ମାମଲାରେ ହ୍ରାସ ହୋଇଥିବା ବେଳେ ଏସ୍‌ଏସ୍‌ଏଲ ଅନ୍ତର୍ଗତ ଅପରାଧ ସଂଖ୍ୟା ବୃଦ୍ଧି ପାଇଛି । ଓଡିଶାରେ ୨୦୧୫ରେ ଆଇପିସି ଅନ୍ତର୍ଗତ ୮୩୩୬୦ ଅପରାଧ ମାମଲା ଘଟିଥିବା ବେଳେ ୨୦୧୬ରେ ଏହି ସଂଖ୍ୟା ହ୍ରାସ ପାଇ ୮୧୪୬୦ରେ ପହଞ୍ଚିଛି। ୨୦୧୫ରେ ଏସ୍‌ଏସ୍‌ଏଲ ଅପରାଧ ସଂଖ୍ୟା ଓଡିଶାରେ ୧୯୮୪୮ ଥିବାବେଳେ ୨୦୧୬ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୨୧୦୫ରେ ପହଞ୍ଚିଛି। ରିପୋର୍ଟରେ ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡିଶାର ସ୍ଥାନ ସର୍ବାଗ୍ରେ ରହିଛି। ୨୦୧୬ ମସିହାରେ ଓଡିଶାର ୨୧୦୭ ମାମଲା ପଞ୍ଜିକୃତ ହୋଇଥିଲା ବେଳେ ୨୦୧୫ରେ ଏହି ସଂଖ୍ୟା ୧୯୭୫ ଥିଲା। କ୍ରାଇମ୍‌ ଇଣ୍ଡିଆ -୦୧୬ ରିପୋର୍ଟରେ ୨୦୧୬ ମସିହାରେ ଓଡିଶାରେ ୧୩୨୮ ହତ୍ୟା ମାମଲା, ୩୭୯ଟି ଯୌତୁକ ଜନିତ ହତ୍ୟା, ୩୦୪୬ଟି ଅପହରଣ ମାମଲା, ବରିଷ୍ଠ ନାଗରିକଙ୍କ ବିରୋଧରେ ୨୨୯ଟି ଅପରାଧ ମାମଲା, ୩୧୭ଟି ସାଇବର କ୍ରାଇମ୍‌ ମାମଲା ପଞ୍ଜିକୃତ ହୋଇଛି । ରିପୋର୍ଟ ମୁତାବକ ୨୦୧୬ରେ ଓଡିଶାରେ ୧୯୮୩ଟି ବଳାତ୍କାର ଓ ୮୪ଟି ଗଣବଳାତ୍କାର ଘଟଣା ପଞ୍ଜିକୃତ ହୋଇଛି। ୧୬୧ ଜଣଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ମାନବଚାଲାଣ ଉଦ୍ଦେଶ୍ୟରେ ୧୮୩ ଜଣଙ୍କୁ ଅପହରଣ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ହିଂସାରେ ୧୯୦୪ଟି ମାମଲା ଓ ରାଜନୈତିକ ହିଂସାକାଣ୍ଡର ୭୦ଟି ମାମଲା ୨୦୧୬ରେ ପଞ୍ଜିକୃତ ହୋଇଛି। ୨୦୧୬ରେ ବଟି ଆଦାୟର ୬୩୫ଟି ମାମଲା, ଘରୋଇ କଳହର ୨୭୮୧ଟି ମାମଲା,୧୯୦୧ଟି ନିଖୋଜ ଶିଶୁ ମାମଲା ପଞ୍ଜିକୃତ ହୋଇଛି । ନିଖୋଜ ତାଲିକାରେ ୧୩୬୩ ଜଣ ବାଳିକା ଥିବାବେଳେ ବାଳକଙ୍କ ସଂଖ୍ୟା ୫୩୮ ଥିଲା ।

ସମ୍ବନ୍ଧିତ ଖବର