ବ୍ୟାଟିଂ କିଂବଦନ୍ତିଙ୍କୁ ଜନ୍ମଦିନ ଶୁଭେଚ୍ଛା, କ୍ରିକେଟ୍‌ ଜୀବନର ୫ ମଜାଦାର ତଥ୍ୟ

ନୂଆଦିଲ୍ଲୀ: କିଂବଦନ୍ତି ବ୍ୟାଟ୍‌ସମ୍ୟାନ୍‌ ସୁନିଲ ଗାଭାସ୍କରଙ୍କ ୭୧ତମ ଜନ୍ମଦିନ ଅବସରରେ ଶୁକ୍ରବାର କ୍ରିକେଟ୍‌ ସମୁଦାୟ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ସୁଟାଇଛନ୍ତି। ଲିଟିଲ ମାଷ୍ଟର ଭାବେ ଖ୍ୟାତ ବିଶ୍ବ କ୍ରିକେଟ୍‌ର ଏହି ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ସଂଖ୍ୟାଧିକ କୀର୍ତ୍ତିମାନର ଅଧିକାରୀ ହୋଇଥିଲା ବେଳେ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ରହିଥିଲେ। ତାଙ୍କର ଶୁଭ ଜନ୍ମଦିନ ଅବସରରେ ତାଙ୍କୁ ଆଦର୍ଶ ମାନିଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଟ୍ବିଟରରେ ତାଙ୍କ ସହ ପ୍ରଥମ ଦେଖାକୁ ସ୍ମରଣ କରି ‌ବାର୍ତା ଛାଡ଼ିଛନ୍ତି। ମାତ୍ର ୧୩ ବର୍ଷ ବୟସରେ ମୁଁ ଗାଭାସ୍କର ସାର୍‌ଙ୍କୁ ପ୍ରଥମେ ୧୯୮୭ ମସିହାରେ ଭେଟିଥିଲି। ସେଭଳି ଜଣେ ମହାନ୍‌ଙ୍କୁ ଭେଟିପାରିବି ବୋଲି ମୋ ଭାଗ୍ୟକୁ କଦାପି ବିଶ୍ବାସ କରିପାରିନଥିଲି। ସେଭଳି ଦିନ ମନେ ପଡୁଛି। ଆପଣଙ୍କ ଜନ୍ମଦିନରେ ଅଜସ୍ର ଶୁଭେଚ୍ଛା ସାର୍‌। ଆଗାମୀ ବର୍ଷ ଆପଣଙ୍କ ପାଇଁ ନିରାପଦ ଓ ସୁଖମୟ ହେଉ ବୋଲି ସଚିନ୍‌ ଟ୍ବିଟ୍‌ କରିଛନ୍ତି। ଏବର ଭାରତୀୟ ଟେ‌ଷ୍ଟ ଦଳର ଉପଅଧିନାୟକ ଆଜିଙ୍କ୍ୟ ରହାଣେ ଟ୍ବିଟ୍‌ କରିଛନ୍ତି, ଜନ୍ମଦିନର ଶୁଭକାମନା ଗାଭାସ୍କର ସାର୍‌। ସୁଖର ସମ୍ଭାର ଆପଣଙ୍କ ଉପରେ ଲଦି ହୋଇଯାଉ। ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ଏବର ଭାଷ୍ୟକାର ସଞ୍ଜୟ ମଞ୍ଜରେକର ତାଙ୍କ ବାର୍ତାରେ ଲେଖିଛନ୍ତି, ମୁଁ କାହିଁକି ଜଣେ ବ୍ୟାଟ୍‌ସମ୍ୟାନ୍‌ ହେବାକୁ ଚାହିଁଲି ଏବଂ ଭାରତ ପାଇଁ ଖେଳିଲି? ଉତ୍ତର ହେଲା ଗାଭାସ୍କର। ଜନ୍ମଦିନର ଶୁଭେଚ୍ଛା ସାର୍‌।

ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଏବଂ ୧୯୮୩ ବିଶ୍ବବିଜେତା ଦଳର ସଦସ୍ୟ ମଦନ ଲାଲ ମଧ୍ୟ ଗାଭାସ୍କରଙ୍କୁ ଶୁଭେଚ୍ଛା ଜଣାଇ ବାର୍ତା ଟ୍ବିଟ୍‌ କରିଛନ୍ତି। ସେ ଲେଖିଛନ୍ତି, ମୁଁ ଦେଖିଥିବା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭକାମନା। ସନ୍ନି ଭାଇ ତୁମର ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁଖ ପାଇଁ ଶୁଭେଚ୍ଛା ଜଣାଉଛି। ଆଜିର ଦିନ ଚମତ୍କାର। ଏବର ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) ସଂପାଦକ ଜୟ ସାହା ଟ୍ବିଟ୍‌ କରିଛନ୍ତି, ୧୦,୦୦୦ ଟେଷ୍ଟ୍‌ ରନ୍‌ କରିବାରେ ସର୍ବପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ହେବାଠାରୁ ୭୦ ଓ ୮୦ ଦଶକର ଭାରତର ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‌, ଭାରତୀୟ କ୍ରିକେଟ୍‌କୁ ତାଙ୍କର ଅତୁଳନୀୟ ଅବଦାନ ସବୁଦିନ ପାଇଁ ମନେ ରହିବ। କିଂବଦନ୍ତି ସୁନିଲ ଗାଭାସ୍କର ଜୀ’ଙ୍କୁ ଜନ୍ମଦିନର ଶୁଭେଚ୍ଛା। ତୁମର ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରୁଛି।

ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଗାଭାସ୍କରଙ୍କ ମହାନ୍‌ ସଫଳତାପୁଞ୍ଜକୁ ଅବତାରଣା କରି ସେମାନଙ୍କ ଟ୍ବିଟର ହ୍ୟାଣ୍ଡେଲ୍‌ରେ ଉଲ୍ଲେଖ କରିଛି, ‘‘ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଯିଏକି ୧୦,୦୦୦ ଟେ‌ଷ୍ଟ୍‌ ରନ୍‌ର ଅଧିକାରୀ। ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଯିଏକି ତିନି ଥର ଗୋଟିଏ ଟେଷ୍ଟ୍‌ର ଉଭୟ ପାଳିରେ ଶତକ ଜମାଇଥିଲେ। ୨୦୦୫ ମସିହା ପର୍ଯ୍ୟନ୍ତ ସର୍ବାଧିକ ଟେ‌ଷ୍ଟ୍‌ ଶତକର କୀର୍ତ୍ତିମାନ ଯାହା ନାମରେ ରହିଥିଲା। ପ୍ରଥମ ଭାରତୀୟ କ୍ଷେତ୍ରରକ୍ଷକ ଯିଏକି ୧୦୦ ଟେଷ୍ଟ୍‌ କ୍ୟାଚ୍‌ ଧରିଥିଲେ। ଏଭଳି ଜଣେ ମହାନ୍‌ କ୍ରିକେଟର୍‌ ତଥା କିଂବଦନ୍ତି ସୁନିଲ ଗାଭାସ୍କରଙ୍କୁ ଜନ୍ମଦିନରେ ଅଜସ୍ର ଶୁଭେଚ୍ଛା।

ନୂଆଦିଲ୍ଲୀ: ବ୍ୟାଟିଂ କିଂବଦନ୍ତି ତଥା ଭାରତୀୟ କ୍ରିକେଟର୍‌ ଅସଲ ଲିଟିଲ୍ ମାଷ୍ଟର୍‌ ସୁନିଲ ମନୋହର ଗାଭାସ୍କର ଶୁକ୍ରବାର ନିଜ ୭୧ତମ ଜନ୍ମଦିନ ପାଳନ କରିଛନ୍ତି। ଶୁକ୍ରବାରଠାରୁ ତାଙ୍କୁ ୭୨ ଚାଲିଛି। ନିଜ ଐତିହାସିକ କ୍ରିକେଟ୍ ଜୀବନରେ ଗାଭାସ୍କର ୧୨୫ ଟେଷ୍ଟ୍‌ରୁ ୩୪ ଶତକ ସହିତ ୧୦,୧୨୨ ରନ୍ ଏବଂ ୧୦୮ ଦିନିକିଆରୁ ୩,୦୯୩ ରନ୍ ସଂଗ୍ରହ କରିଥିଲେ। ବିଶ୍ବ କ୍ରିକେଟ୍‌ରେ ପ୍ରଥମ ଖେଳାଳି ଭାବେ ୧୦,୦୦୦ ରନ୍ ମାଇଲଖୁଣ୍ଟ୍ ଛୁଇଁଥିବା ଏହି ମୁମ୍ବାଇ କ୍ରିକେଟର୍‌ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ମଧ୍ୟ ୨୫,୮୩୪ ରନ୍ ସଂଗ୍ରହ କରିଥିଲେ। ଭାରତର ୧୯୮୩ ବିଶ୍ବକପ୍‌ ବିଜୟୀ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ବି ଥିଲେ। ତାଙ୍କ ଜନ୍ମଦିନ ଅବସରରେ ଆମେ ୫ଟି ମଜାଦାର ତଥ୍ୟ ଉପରେ ନଜର ପକାଇଛୁ।

(୧) ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷରେ ୧୩ ଟେଷ୍ଟ୍‌ ଶତକ
ନିଜର ଖେଳ ଜୀବନ ମଧ୍ୟରେ ଗାଭାସ୍କର ତତ୍‌କାଳୀନ ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜ୍ ଦଳ ବିପକ୍ଷରେ ୧୩ ଟେଷ୍ଟ୍ ଶତକ ହାସଲ କରିଥିଲେ। କାରବୀୟ ଦଳ ସେ ସମୟରେ ସବୁଠୁ କଡ଼ା ପ୍ରତିଦ୍ବନ୍ଦ୍ବୀ ଥିଲେ ମଧ୍ୟ ଗାଭାସ୍କରଙ୍କ ସଫଳତା ଅସାଧାରଣ ଥିଲା। ୱେଷ୍ଟଇଣ୍ଡିଜ୍‌ ସେତେବେଳେ ୧୯୭୫ ଓ ୧୯୭୯ ମସିହାର ପ୍ରଥମ ଦୁଇ ସଂସ୍କରଣ ବିଶ୍ବକପ୍‌ ମଧ୍ୟ ଜିତିଥିଲା। ମାଲକମ ମାର୍ଶାଲ, ମାଇକେଲ ହୋଲଡିଂ, ଜୁଏଲ୍‌ ଗାର୍ନର, ସାର୍ ଆଣ୍ଡି ରବର୍ଟସଙ୍କ ଭଳି ଘାତକ ବୋଲିଂକୁ ନେଇ ୱେଷ୍ଟଇଣ୍ଡିଜ୍ ଦଳ ଦୃଢ଼ ଥିଲା। ଏହି ଦଳ ବିପକ୍ଷରେ ସର୍ବାଧିକ ଶତକ ହାସଲର ଭାରତୀୟ କୀର୍ତ୍ତିମାନ ଗାଭାସ୍କରଙ୍କ ନାମରେ ଏବେ ବି ରହିଛି। ସବର୍କାଳୀନ ତାଲିକାରେ କୌଣସି ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ ସଂଖ୍ୟାଧିକ ଶତକ ହାସଲରେ ଗାଭାସ୍କର ଏବେ ସାର୍ ଡନ୍ ବ୍ରାଡମ୍ୟାନ୍ (୧୯ ଶତକ ବନାମ ଇଂଲଣ୍ଡ)ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

(୨) ପଦାର୍ପଣ ଟେଷ୍ଟ୍ ଶୃଙ୍ଖଳାରେ ସର୍ବାଧିକ ରନ୍‌
୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଦାର୍ପଣ କରିଥିବା ସୁନିଲ ଗାଭାସ୍କର ଏହି ଶୃଙ୍ଖଳାରେ ସର୍ବାଧିକ ୭୭୪ ରନ୍ ସଂଗ୍ରହ କରିଥିଲେ। ଏକ ୪ ମ୍ୟାଚ୍‌ ଶୃଙ୍ଖଳାରେ ଏହା ଦ୍ବିତୀୟ ସର୍ବାଧିକ ରନ୍ ହୋଇରହିଛି। ଶୀର୍ଷରେ ରହିଛନ୍ତି ୱେଷ୍ଟଇଣ୍ଡିଜ୍‌ ମହାନ ଭିଭିଆନ୍ ରିଚାର୍ଡସ। ୧୯୭୬ ମସିହାରେ ନିଜ ପଦାର୍ପଣ ଶୃଙ୍ଖଳାରେ ରିଚାର୍ଡସ ୪ ମ୍ୟାଚ୍‌ରୁ ମୋଟ ୮୨୯ ରନ୍ ସଂଗ୍ରହ କରିଥିଲେ।

(୩) ଲର୍ଡସରେ ୧୮୮ ରନ୍‌
ନିଜ ଅନ୍ତର୍ଜାତୀୟ ଖେଳ ଜୀବନରେ ସୁନିଲ ଗାଭାସ୍କର କେବେ ଲର୍ଡସରେ ଶତକ ହାସଲ କରିନଥିବାରୁ ତାଙ୍କ ନାମ ‘ଲର୍ଡସ ଅନର୍‌’ ତାଲିକାରେ ସ୍ଥାନ ପାଇପାରିନାହିଁ। କିନ୍ତୁ ଗାଭାସ୍କରଙ୍କ ପ୍ରଶଂସକମାନେ ଜାଣି ଆଶ୍ଚର୍ଯ୍ୟ ହେବେ ସେ ଲର୍ଡସରେ ବି ଶତକ ହାସଲ କରିଥିଲେ। ଏମ୍‌ସିସିର ଦ୍ବିଶତକବାର୍ଷିକୀ ଅବସରରେ ଏମସିସି ଏବଂ ଅବଶିଷ୍ଟ ବିଶ୍ବ ଏକାଦଶ ମ୍ୟାଚ୍‌ରେ ଗାଭାସ୍କର ୧୮୮ ରନ୍‌ର ପାଳି ଖେଳିଥିଲେ। ଅବଶିଷ୍ଟ ବିଶ୍ବ ଏକାଦଶ ପାଇଁ ପାଳି ଆରମ୍ଭ କରି ଗାଭାସ୍କର ଏହି ରନ୍ କରିଥିଲେ। କିନ୍ତୁ ରବି ଶାସ୍ତ୍ରୀଙ୍କ ଦ୍ବାରା କଟ୍ ଆଣ୍ଡ୍ ବୋଲ୍‌ଡ‌ ହୋଇଯିବାରୁ ଦ୍ବିଶତକରୁ ବଞ୍ଚିତ ହୋଇଥିଲେ।

(୪) ପ୍ରଥମେ ୧୦,୦୦୦ ଟେଷ୍ଟ୍‌ ରନ୍‌
ଖେଳ ଜୀବନର ୧୬ତମ ବର୍ଷରେ ସୁନିଲ ଗାଭାସ୍କର ବିଶ୍ବର ପ୍ରଥମ ଖେଳାଳି ଭାବେ ୧୦,୦୦୦ ଟେଷ୍ଟ୍ ରନ୍ ପୂର୍ଣ୍ଣ କରିଥିଲେ। ନିଜର ୧୨୪ତମ ଟେଷ୍ଟ୍‌ରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ପାକିସ୍ତାନ ବିପକ୍ଷ ଏହି ଟେଷ୍ଟ୍ ଅମୀମାଂସିତ ରହିଥିଲା। ଏହାପରେ ବର୍ତମାନ ସୁଦ୍ଧା ଟେଷ୍ଟ୍ କ୍ରିକେଟ୍‌ରେ ୧୩ ଜଣ ଏହି କ୍ଲବ୍‌ର ସଦସ୍ୟ ହୋଇପାରିଛନ୍ତି। ସେମାନଙ୍କ ମଧ୍ୟରେ ଭାରତରୁ ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ଼ ରହିଛନ୍ତି।

(୫) ପାଳି ମଝିରେ କାଟିଥିଲେ ଚୁଟି
ଇଂଲଣ୍ଡ ବିପକ୍ଷ ମ‌ାଞ୍ଚେଷ୍ଟର୍‌ ଟେଷ୍ଟ୍‌ରେ ଗାଭାସ୍କର ମ୍ୟାଚ୍‌ ମଝିରେ ନିଜ ଚୁଟି କାଟିଥିବାର ବିରଳ ଉଦାହରଣ ରଖିଛନ୍ତି। ଓଲ୍ଡ ଟ୍ରାଫୋର୍ଡରେ ବ୍ୟାଟିଂ ବେଳେ ଗାଭାସ୍କରଙ୍କୁ ତାଙ୍କ ଲମ୍ବା ଚୁଟି ବିରକ୍ତ କରିଥିଲା। ଆଖି ଉପରକୁ ଉଡ଼ି ଆସୁଥିବାରୁ ସେ ଅସୁବିଧାରେ ପଡୁଥିଲେ। ଫଳରେ ଅମ୍ପାୟାର ଡିକି ବାର୍ଡଙ୍କ ଦ୍ବାରା ଚୁଟିକୁ କାଟିଥିଲେ। ଅମ୍ପାୟାର୍‌ ଡିକି ବାର୍ଡ କ୍ରିକେଟ୍‌ ବଲ୍‌ରୁ ବାହାରୁଥିବା ସୂତାକୁ କାଟିବାକୁ ପାଖରେ ରଖିଥିବା କଇଁଚିରେ ଗାଭାସ୍କରଙ୍କ ଚୁଟି ଛୋଟ କରିଦେଇଥିଲେ। ଏହ‌ା ପରେ ଗାଭାସ୍କର ସାହସିକ ୧୦୧ ରନ୍ କରିଥିଲେ ମଧ୍ୟ ଇଂଲଣ୍ଡ ସେହି ଟେଷ୍ଟ୍ ମ୍ୟାଚ୍‌କୁ ୨୦୨ ରନ୍‌ରେ ଜିତି ନେଇଥିଲା।

ସମ୍ବନ୍ଧିତ ଖବର