ବାତ୍ରାଙ୍କ ବାଣ: ‘ହକି ଦଳର ପ୍ରଦର୍ଶନ ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ : ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର ସଭାପତି ତଥା ଅନ୍ତର୍ଜାତୀୟ ହକି ସଂଘ (ଏଫ୍‌ଆଇଏଚ୍)ର ମୁଖ୍ୟ ନରିନ୍ଦର ବାତ୍ରା ମଙ୍ଗଳବାର ଏକ ଅପ୍ରତ୍ୟାଶିତ ବାଣ ଛାଡ଼ିଛନ୍ତି। ଭାରତୀୟ ପୁରୁଷ ହକି ଦଳର ସାମ୍ପ୍ରତିକ ପ୍ରଦର୍ଶନ ଗ୍ରହଣୀୟ ନୁହେଁ ବୋଲି ବାତ୍ରା ରୋକଠୋକ୍‌ କହିବା ସହ ଜାତୀୟ ହକି ସଂଘ ନିକଟରୁ କୈଫୟତ ତଲବ କରିଛନ୍ତି। କଡ଼ା ଭାଷାରେ ବାତ୍ରା ଚିଠି ଲେଖି ହକି ଇଣ୍ଡିଆର ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ୍ରଙ୍କ ନିକଟରୁ ସ୍ପଷ୍ଟ ଉତ୍ତର ଆଶା କରିଛନ୍ତି।

ଭାରତୀୟ ହକି ଦଳ ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି‌ ହୃତ୍ ଗୌରବ ଫେରି ପାଇଥିଲା। କିନ୍ତୁ ଭାରତ ଗତ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ଗସ୍ତରେ ନିରାଶାଜନକ ପ୍ରଦର୍ଶନ କରିଥିବାରୁ ଏହା ଚିନ୍ତାଜନକ ବୋଲି ବାତ୍ରା ଉଲ୍ଲେଖ କରିଛନ୍ତି। ଏହି ଚିଠିର ନକଲ ସେ ହକି ଇଣ୍ଡିଆର ସାଧାରଣ ସମ୍ପାଦକ ରାଜିନ୍ଦର ସିଂହ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନଙ୍କୁ ମଧ୍ୟ ଦେଇଛନ୍ତି। ଟୋକିଓ ସଫଳତା ପରେ ଭାରତୀୟ ଦଳ ଅସ୍ଥିର ପ୍ରଦର୍ଶନ ଦେଇ ଆସୁଛି। ବାଂଲାଦେଶରେ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ବଜାୟ ରଖିବାରେ ବିଫଳ ହୋଇଥିବା ବେଳେ ଗତ ସପ୍ତାହରେ ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଫ୍ରାନ୍ସ ଭଳି ନିମ୍ନମାନ୍ୟତାପ୍ରାପ୍ତ ଦଳଠାରୁ ୨-୫ରେ ହାରିଯାଇଥିଲା। ଏଭଳି ପ୍ରଦର୍ଶନ ଆଦୌ ଗ୍ରହଣୀୟ ନୁହେଁ, ସମସ୍ୟା କେଉଁଠ ଦେଖ ବୋଲି ବାତ୍ରା ଲେଖିଛନ୍ତି।

ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ଭାବେ ସେ ଏହି ପତ୍ର ଲେଖିଛନ୍ତି। ସୂଚନାଯୋଗ୍ୟ, ବାତ୍ରା ହକି ଇଣ୍ଡିଆର ପୂର୍ବ ସଭାପତି ଥିଲେ। ଏବେ ଏଫ୍‌ଆଇଏଚ୍‌ର ସଭାପତି ମଧ୍ୟ ଅଛନ୍ତି। ଭାରତୀୟ ହକିର କୁପରିଚାଳନା ହେଉଛି, ଏହାକୁ ଗ୍ରହଣ କରିହେବ ନାହିଁ। ତୁରନ୍ତ ତୁମ ଉତ୍ତର ସହ ଭେଟ ବୋଲି ମଧ୍ୟ ବାତ୍ରା ତାଙ୍କ ପତ୍ରରେ ଜ୍ଞାନେନ୍ଦ୍ରଙ୍କୁ ଲେଖିଛନ୍ତି।

ସମ୍ବନ୍ଧିତ ଖବର