ତ୍ରିରାଷ୍ଟ୍ରୀୟ ଫାଇନାଲ୍‌ରେ ଭାରତ ଯୁବ ଦଳ

ବେକେନ୍‌ହାମ୍‌ (ୟୁକେ): ଭାରତୀୟ ଯୁବ ଦଳ (୧୯ ବର୍ଷରୁ କମ୍‌) ଏଠାରେ ଚାଲିଥିବା‌ ତ୍ରିରାଷ୍ଟ୍ରୀୟ କ୍ରିକେଟ୍‌ ଶୃଙ୍ଖଳାର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି। ଶନିବାର ଘରୋଇ ଇଂଲଣ୍ଡ ନିକଟରୁ ଡକ୍‌ୱର୍ଥ ଲୁଇସ୍‌ ନିୟମରେ ହାରିଯିବା ସତ୍ତ୍ବେ ଭାରତ ଫାଇନାଲ୍‌ ପହଞ୍ଚିଛି। ଏହି ଦଳ ୩ ଲେଖାଏଁ ବିଜୟ ଓ ପରାଜୟ ସହ ୮ ପଏଣ୍ଟ୍‌ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା। ରବିବାର ଫାଇନାଲ୍‌ରେ ଭାରତର ମୁକାବିଲା ବାଂଲାଦେଶ ସହ ହେବ। ବାଂଲାଦେଶ ୧୧ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ତେବେ ଆୟୋଜକ ଇଂଲଣ୍ଡ ଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ଏହି ଦଳ ୫ ପଏଣ୍ଟ୍‌ରେ ଅଭିଯାନ ଶେଷ କରିଛି।

ଶନିବାର ଭାରତ-ଇଂଲଣ୍ଡ ଶେଷ ଲିଗ୍‌ ମ୍ୟାଚ୍‌ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ପ୍ରଥ‌ମେ ବ୍ୟାଟିଂ କରିଥିବା ଭାରତ ପୂରା ୫୦ ଓଭର ଖେଳି ୨୭୮/୮ କରିଥିଲା। ଦିବ୍ୟାଂଶ ସାକ୍ସେନା (୧୦୨) ଦମ୍‌ଦାର ଶତକ ଜମାଇଥିଲା ବେଳେ ପ୍ରିୟମ ଗର୍ଗ (୫୧) ଓ ତିଲକ ବର୍ମା (୫୨) ଅର୍ଧଶତକ ହାସଲ କରିଥିଲେ। ଜବାବରେ ଇଂଲଣ୍ଡ ଭଲ ଆରମ୍ଭ କରି ଏକ ସମୟରେ ୩୭ ଓଭର ବେଳକୁ ମାତ୍ର ଗୋଟିଏ ୱିକେଟ୍‌ ବିନିମୟରେ ୧୬୧ ରନ୍‌ କରିଥିଲା। ବେନ୍‌ ଚାର୍ଲସ (୪୪) ଓ ଟମ୍‌ କ୍ଲାର୍କ (୬୬) ପ୍ରଥମ ୱିକେଟ୍‌ରେ ୭୨ ରନ୍‌ ଯୋଡ଼ିଥିଲେ। ତେବେ ବର୍ଷା ଯୋଗୁଁ ଧାର୍ଯ୍ୟ ଲକ୍ଷ୍ୟରେ ପରିବର୍ତନ କରାଯାଇଥିଲା। ୪୨ ଓଭରରୁ ବିଜୟ ପାଇଁ ଇଂଲଣ୍ଡକୁ ୨୧୪ ରନ୍‌ ଦରକାର ଥିଲା। ଫଳରେ ୩୭ ଓଭରରେ ୧୬୧/୧ କରିଥିବା ଘରୋଇ ଦଳକୁ ଶେଷ ୫ ଓଭରରେ ଆଉ ୫୬ ରନ୍‌ ଦରକାର ହେଉଥିଲା। ଡାନ୍‌ ମୋସ୍‌ଲି ଧୂଆଁଧାର ବ୍ୟାଟିଂ କରି ୩ ଚୌକା ଓ ୨ ଛକା ମାରିଥିଲେ। ତାଙ୍କ ସହ ପ୍ରଜ୍ଞେଶ କଂପିଲେୱାର ବି ବିସ୍ଫୋରକ ବ୍ୟାଟିଂ କରି ଇଂଲଣ୍ଡ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିନେଲା। ହେଲେ ଆୟୋଜକ ଦଳ ଭାରତକୁ ଫାଇନାଲ୍‌ ପ୍ରବେଶରୁ ରୋକି ପାରିନଥିଲା।

ସମ୍ବନ୍ଧିତ ଖବର