୨ ବସ୍‌ ଦୁର୍ଘଟଣା, ଫସିଲା ଆମ୍ବୁଲାନ୍ସ

ଭୁବନେଶ୍ୱର : ଆଜି ଅପରାହ୍ନରେ ରସୁଲଗଡ଼ ଶିଳ୍ପାଞ୍ଚଳ ଛକରେ ‘ମୋ ବସ’କୁ ଏକ ଲାଇନ ବସ ପିଟି ଦେବାରୁ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଟ୍ରାଫିକ୍‌ ଜାମ ହୋଇଛି। ଜାମରେ ଏକ ଘରୋଇ ଆମ୍ବୁଲାନ୍ସ ଫସି ରହିଥିବା ଦେଖା ଯାଇଥିଲା। ସାଇରନ ଦେବା ସହ ଦୀର୍ଘ ସମୟ ଧରି ଫସି ରହିବା ପରେ ସହିଦ ନଗର ପୁଲିସ ଆସି ଟ୍ରାଫିକ ଶୃଙ୍ଖଳିତ କରିଛି। ସୂଚନା ମୁତାବକ, ଅପରାହ୍ନ ସାଢ଼େ ୫ଟା ବେଳେ ରସୁଲଗଡ଼ରୁ ଆସୁଥିବା ମୋ ବସକୁ ନିମାପଡ଼ା ଯାଉଥିବା ଏକ ବସ ଓଭରଟେକ କଲା ବେଳେ ଧକ୍କା ଦେଇଥିଲା। ମୋ ବସ ର ମିରର ଭାଙ୍ଗିଯିବା ସହ ଏକ ଛୋଟ ଝରକା ମଧ୍ୟ ଭାଙ୍ଗି ଯାଇଥିଲା। କେତେକ ଲୋକ ମୋ ବସ ର ଭୁଲ ଦର୍ଶାଇ ଚାଳକ ଶରତ ପଣ୍ଡାଙ୍କୁ ମାଡ଼ ମାରିଥିଲେ। ଉଭୟ ବସ ସେଠାରେ ଅଟକି ରହିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ବସ୍ ରୁ ଲୋକ ଓହ୍ଲାଇ ରାସ୍ତା କଡ଼ରେ ଛିଡା ହୋଇଥିଲେ, କିଛି ଲୋକ ଦେଖିବା ପାଇଁ ଆସି ଭିଡ଼ ଜମାଇଥିଲେ। ଫଳରେ ସେଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ‌ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଜମା ହୋଇ ରହିଥିବାରୁ ଆମ୍ବୁଲାନ୍ସ ଫସି ଯାଇଥିଲା। ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା।

ସମ୍ବନ୍ଧିତ ଖବର