ଆଜି ଆସୁଛନ୍ତି ମୋଦୀ: ରାତି ୮.୩୦ରେ ଜନପଥରେ ରୋଡ୍‌ ସୋ’

ଶନିବାର କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନିର୍ବାଚନୀ ପ୍ରଚାରରେ ଏହା ତାଙ୍କର ଦ୍ବିତୀୟ ଓଡ଼ିଶା ଗସ୍ତ। ଶୁକ୍ରବାର ରାତିରେ ଭୁବନେଶ୍ବରରେ ମୋଦୀ ରୋଡ୍‌ ‌ସୋ’ କରି ରାଜଭବନରେ ରାତ୍ରୀଯାପନ କରିବେ। ଶନିବାର ପୂର୍ବାହ୍ନରେ କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ତିନିଟି ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ। ମୋଦୀଙ୍କ ଗସ୍ତ ପାଇଁ ବିଜେପି ଶିବିର ବେଶ୍‌ ଚଳଚଞ୍ଚଳ ହୋଇଛି। ଚାରିଟି ଯାକ ସଂସଦୀୟ କ୍ଷେତ୍ରରେ ମୋଦୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେପି ନେତା ଓ କର୍ମୀମାନେ ଲାଗି ପଡ଼ିଛନ୍ତି। ରାଜ୍ୟ ପୁଲିସ୍‌ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି। ରାତି ପ୍ରାୟ ୮ଟାରେ ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ଜନପଥସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟକୁ ଆସିବେ।

‌ରାତି ସାଢ଼େ ୮ଟାରୁ ଆରମ୍ଭ ହେବ ତାଙ୍କର ରୋଡ୍‌ ସୋ’। ଜନପଥରେ ବାଣୀବିହାର ଛକ ପର୍ଯ୍ୟନ୍ତ ୨.୫କିମି ରାସ୍ତାରେ ମୋଦୀ କରିବେ ରୋଡ୍‌ ସୋ। ଏହି ରାସ୍ତାର ପ୍ରାୟ ୬ଟି ଜାଗାରେ ମୋଦୀ ଗାଡ଼ିରୁ ଓହ୍ଲାଇ ରାସ୍ତା କଡ଼ରେ ଥିବା ଲୋକମାନଙ୍କ ସହ ବାର୍ତ୍ତାଳାପ କରିବାର ମଧ୍ୟ ଯୋଜନା ରହିଛି। ଯଦିଓ ୬ଟି ଜାଗାରେ ଗାଡ଼ିରୁ ଓହ୍ଲାଇବା ଧାର୍ଯ୍ୟ ହୋଇଛି ତଥାପି ଏହା ଛଡ଼ା ମୋଦୀ ଅନ୍ୟ ଜାଗାରେ ମଧ୍ୟ ଓହ୍ଲାଇପାରନ୍ତି। ଏପରିକି ଗାଡ଼ିରେ ନ ବସି କେବଳ ଚାଲି ଚାଲି ମଧ୍ୟ ଅନେକ ବାଟ ଯିବା କାର୍ଯ୍ୟକ୍ରମ ଥିବାରୁ ସମସ୍ତଙ୍କୁ ଏ ବାବଦରେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହି ରାସ୍ତା ସମ୍ପୂର୍ଣ୍ଣ ସିଲ୍‌ ହେବା ଯୋଜନା ଥିବାରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ସ୍ବତନ୍ତ୍ର ମଞ୍ଚ ପ୍ରସ୍ତୁତ ହୋଇଛି। ଯେଉଁଠାରେ ରହି ସେମାନେ ଖବର ସଂଗ୍ରହ କରିପାରିବେ। ଏହାସହିତ ଜନପଥକୁ ଏତିହ୍ୟ ସମ୍ପନ୍ନ କରିବାକୁ ଯୋଜନା ହୋଇଛି। ରାସ୍ତାକଡ଼ରେ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ମଧ୍ୟରେ ୧୦ଟି ସ୍ଥାନରେ ୧୦ଟି ଆଇକନ ସ୍ଥାପନ କରାଯାଉଛି। ବିଜେପି ପାର୍ଟି ଅଫିସ ସାମ୍ନାରେ କୋଣାର୍କ ଚକ୍ର ରଖାଯାଉଛି। ବାଣୀବିହାର ଛକରେ ଖଣ୍ଡଗିରି ଐତିହ୍ୟ ସ୍ଥାପନ କରାଯାଉଛି। ବିଏମ୍‌ସି ଅଫିସ, ଆଇଡିବିଆଇ ଛକ, ରୂପାଲି ଛକ, ସତ୍ୟନଗର ପ୍ରଭୃତି ପ୍ରମୁଖ ଛକରେ ପ୍ରସିଦ୍ଧ ଐତିହ୍ୟ ଓ କଳା ସ୍ଥାପନ କରିବାକୁ ସ୍ଥିର କରାଯାଇଛି। ଲକ୍ଷାଧିକ ଲୋକ ସମାଗମ ହେବାକୁ ଥିବାରୁ ଏହି ଐତିହ୍ୟ ଓ କଳାକୃତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି କୁହାଯାଉଛି।

ଏହା ସହିତ ଓଡ଼ିଶାର ପାରମ୍ପରିକ ବାଦ୍ୟର ତାଳେ ତାଳେ ମୋଦୀଙ୍କୁ ପାଛୋଟି ନେବାକୁ ଯୋଜନା ହୋଇଛି। ଝାଞ୍ଜ, ମୃଦଙ୍ଗ, ଧୁଡ଼ୁକି, ଦାସକାଠିଆ ପ୍ରଭୃତି ପାରମ୍ପରିକ ବାଦ୍ୟ ସହ ମୋଦୀଙ୍କୁ ସ୍ୱାଗତ କରାଯିବା ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟ ମଧ୍ୟ ଏହି ରୋଡ୍‌ ସୋ’ର ଶୋଭା ବର୍ଦ୍ଧନ କରିବ। ଏହା ସହିତ ଏକାଧିକ ଲୋକନୃତ୍ୟ ପ୍ରଦର୍ଶନ କରାଯିବ।
ତେବେ ଶୋଭାଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛନ୍ତି ୧୫୦ ମହିଳା, ଯେଉଁମାନେ ପଶାପାଲି ଶାଢ଼ୀ ପିନ୍ଧି ମୋଦୀଙ୍କ ସହ ଶୋଭାଯାତ୍ରାରେ ଚାଲିବେ। ଓଡ଼ିଶାର ବରଗଡ଼ ଜିଲ୍ଲାରେ ବୁଣାଯାଉଥିବା ଏହି ତନ୍ତବୁଣା ଶାଢ଼ୀରେ ପଶା ଖେଳର ପାଲି ରହିବ। ଏହା ମଧ୍ୟ ଏହି ଶୋଭାଯାତ୍ରାକୁ ଏକ ପାରମ୍ପରିକ ପରିଚୟ(ଟ୍ରାଡିସିନାଲ୍‌ ଲୁକ୍‌) ଦେବ। ମହିଳାମାନଙ୍କୁ ନେଇ ଆଜି ରିହର୍ସାଲ କରାଯାଇଛି। ସେମାନେ କେମିତି ଚାଲିବେ ସେ ନେଇ ଅଭ୍ୟାସ କରିଛନ୍ତି। ଚଳିତ ନିର୍ବାଚନୀ ପ୍ରଚାରରେ ଓଡ଼ିଶାରେ ଏହା ମୋଦୀଙ୍କ ପ୍ରଥମ ରୋଡ୍‌ ସୋ’ ହୋଇଥିବାରୁ ଏହାକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧିତ ଖବର