ଦାଦନଙ୍କ ଦୁଃଖ ଶୁଣିବ କିଏ? ଗାଁ ପୁରୁଷଶୂନ୍ୟ, ମହିଳାଙ୍କ କୋଳରେ ଛୁଆ

ତେନ୍ତୁଳିଖୁଣ୍ଟିରୁ କେଶବ ପାଣିଙ୍କ ରିପୋର୍ଟ
ବାବୁ, ଏଠି ତ କାମ ଧନ୍ଦା ନାହିଁ। ବର୍ଷକୁ ଯେତେ ଚାଷ କରୁଛୁ ସେଥିରେ ଚାରିପ୍ରାଣୀ କୁଟୁମ୍ବ ଚଳିବା ସମ୍ଭବ ନୁହେଁ। ଧାନ ଚାଷରେ ଯେତିକି ଖର୍ଚ୍ଚ କରୁଛୁ ତାହାର ବଜାର ମୂଲ୍ୟ ମିଳୁ ନାହିଁ। ମକା କଥା ନ କହିବା ଭଲ। କେତେବେଳେ ଭଲ ହେଉଛି ତ ଆଉ କେତେବେଳେ ମୂଳ ଧନ ବି ଉଠୁନି। ଗାଁ ପାଖରେ କିଛି କାମଧନ୍ଦା ମିଳୁନି। ତେଣୁ ବାଧ୍ୟ ହୋଇ ବାହାର ରାଜ୍ୟକୁ କାମ କରିବାକୁ ଯାଉଛୁ। ସେଠାରେ ୮ ମାସ ଯାହା ବି କିଛି ରୋଜଗାର କରୁଛୁ ସେଥିରେ ବର୍ଷକ ଯାକ ପରିବାର ପେଟ ପୁରୁଛି। ନହେଲେ ଚଳିବା କଷ୍ଟକର ହୋଇପଡନ୍ତା। ଏବେ ନିର୍ବାଚନ ଚାଲିଛି ତ। ତେଣୁ ଗାଁକୁ ପଳାଇ ଆସିଛୁ। ଭୋଟ ନେବାକୁ ବଡ଼ ବଡ଼ ନେତା ଆସିବେ। ପଇସା ଦେବେ। କିଏ ଜଣଙ୍କ ପିଛା ଦୁଇ ଚାରି ଶହ ତ ଆଉ କେତେବେଳେ ପରିବାରକୁ ଦୁଇ ହଜାର ଟଙ୍କା ଧରାଇଦେବେ। ଏମିତି କିଛି ପଇସା ତ ମିଳିଯିବ। ଭୋଟ ସରିଗଲେ ପୁଣି ଦାଦନ ଖଟିବାକୁ ପଳେଇବୁ।
ତେନ୍ତୁଳିଖୁଣ୍ଟି ବ୍ଲକର ଉଦୟପୁର ଗାଁର ପାର୍ବତୀ ମାଝୀଙ୍କ ଏଭଳି କଥା ଓଡ଼ିଶାର ଦାଦନ ସ୍ଥିତିକୁ ପଦାରେ ପକାଇଛି। କେବଳ ପାର୍ବତୀ କାହିଁକି, ରୁକ୍ମଣୀ ମାଝୀଙ୍କ ଅବସ୍ଥା ମଧ୍ୟ ସମାନ। ବାପା, ମା’, ପିଲା ଛୁଆଙ୍କୁ ଗାଁରେ ଛାଡ଼ି ସ୍ବାମୀ ସ୍ତ୍ରୀ ଦୁହେଁ ଇଟା ଭାଟିରେ କାମ କରିବାକୁ ଚାଲିଯାଉଛନ୍ତି। କାମ ମିଳିଲେ ଘରଠାରୁ ୧୨୦ କିମି ଦୂର କୋରାପୁଟ ଜିଲ୍ଲାର ସୁନାବେଡ଼ା ନ ହେଲେ ସେମିଳିଗୁଡ଼ା ଯାଉଛନ୍ତି। ଯଦି ସେମିତି କିଛି କାମ ନ ମିଳୁଛି ତାହା ହେଲେ ଆନ୍ଧ୍ର ମୁହାଁ ହେଉଛନ୍ତି। କାମ ମିଳିଥିବାରୁ ରୁକ୍ମଣୀ ଓ ତାଙ୍କ ସ୍ବାମୀ ଏବେ ସୁନାବେଡ଼ାରେ ୬ ମାସ ହେଲା କାମ କରୁଥିଲେ। ଏବେ ଭୋଟ ଦେବାକୁ ଗାଁକୁ ଆସିଛନ୍ତି। ଜୁନ୍ ମାସରେ ବର୍ଷା ହେଲେ ଚାଷ ବାସ କାମ ହେବ। ତେଣୁ ଘରକୁ ଆସିଥିବା ରୁକ୍ମଣୀ କହିଛନ୍ତି।

ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ବର୍ଷର ୮ ମାସ ଏହି ଗାଁ ପୁରୁଷ ଶୂନ୍ୟ ହୋଇ ଯାଉଛି। କାଁ ଭାଁ ଲୋକଙ୍କୁ ଦେଖିବାକୁ ମିଳୁଛି। ଆଜି ସ୍ଥିତିରେ ବି ଅଧା ପରିବାରରେ କେବଳ ମହିଳା ହିଁ ଥିଲେ। ଗାଁ ଆଖପାଖରେ କାମଧନ୍ଦା ମିଳୁ ନ ଥିବାରୁ ପୁରୁଷମାନେ ଦାଦନ ଖଟିବାକୁ ରାଜ୍ୟ ନ ହେଲେ ଜିଲ୍ଲା ବାହାରକୁ ଯାଉଛନ୍ତି। ଆନ୍ଧ୍ର ପ୍ରଦେଶରେ ଭଲ ମଜୁରି ମିଳୁଛି। ଦିନକୁ ୪୦୦ରୁ ୫୦୦ ଟଙ୍କା ରୋଜଗାର ହେଉଛି। ଯେତେବେଳେ କି ଓଡ଼ିଶା ଭିତରେ ସେମାନଙ୍କୁ ୨୦୦ରୁ ୩୦୦ ଟଙ୍କା ଦୈନିକ ମଜୁରି ମିଳୁଛି। ଏତେ କମ୍ ଟଙ୍କାରେ କାମ କରିବା ଅପେକ୍ଷା ଆନ୍ଧ୍ର ଯିବାକୁ ଗାଁ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ବର୍ଷା ୪ ମାସ ସେମାନେ ଗାଁକୁ ଫେରିଥାନ୍ତି। ଧାନ ଅମଳ ସରିବା କ୍ଷଣି ପୁଣିଥରେ ବାହାକୁ ଯାଆନ୍ତି ବୋଲି ଗ୍ରାମର ମହିଳାମାନେ କହିଛନ୍ତି। ଗଣତନ୍ତ୍ରର ମହାପର୍ବ ଚାଲିଥିଲେ ମଧ୍ୟ ଏମାନଙ୍କ ପାଇଁ ସେମିତି କିଛି ଆଶ୍ଚର୍ଯ୍ୟ ହେବାରେ ଲାଗିଛି। କିଏ ଛିଡ଼ା ହୋଇଛି, କାହାକୁ ଭୋଟ ଦେବେ ସେମାନଙ୍କୁ ଜଣା ନାହିଁ। ଟଙ୍କିକିଆ ଚାଉଳ କିଏ ଦେଉଛି ବୋଲି ପଚାରିଲେ ଆମେ ଜାଣିନୁ ବୋଲି ଉତ୍ତର ଦେଉଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ସରକାରଙ୍କ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି। ତା’ପରେ ବି ବିକାଶର ‘ବ’ ଅକ୍ଷର ଏମାନଙ୍କୁ ଅଗୋଚାର। ଦାଦନ ଖଟିବେ ଏବଂ ସେଥିରୁ ଯାହା କିଛି ରୋଜଗାର କରିବେ ସେଥିରେ ଚଳିବାକୁ ଏମାନେ ଧର୍ମ ଭାବେ ଗ୍ରହଣ କରି ନେଇଛନ୍ତି। ଭୋଟ କଥା ପଚାରିଲେ ଗୋଟିଏ ଉତ୍ତର ଯିଏ ପଇସା ଦେବ ଆମେ ତାକୁ ଭୋଟ ଦେବୁ।

କେବଳ ଏହି ଗୋଟିଏ ଗାଁ ନୁହେଁ। ନବରଙ୍ଗପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକର ସାନଡାଇଭଟ୍ଟା ଗାଁରେ ମଧ୍ୟ ସମାନ ଅବସ୍ଥା। କେବଳ ଏତିକି ତଫାତ୍ ହେଉଛି ଯେ ଗାଁର ବହୁତ କମ୍ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ନ ହେଲେ ଚାଷବାସ କରି ପରିବାର ପୋଷୁଛନ୍ତି। ଗାଁର ବଳି ମାଝି, ଓରିଚନ୍ଦ୍ର ଭତ୍ରା, ପର୍ଶୁରାମ ଭତ୍ରା ସରପଞ୍ଚ ଭୋଟ ବେଳେ ୧୦୦ ନ ହେଲେ ୨୦୦ ଟଙ୍କା ମିଳୁଥିଲା। ଏଥର ସେମିତି କିଛି ମିଳି ନାହିଁ। ଭୋଟକୁ ଆଉ ତିନି ଦିନ ଅଛି। ତେଣୁ ଦେବେ। ଯିଏ ପଇସା ଦେବା କଥା ସିଏ ଆଣି ଗାଁ ମୁଣ୍ଡରେ ଧରାଇ ଦେଇ ଯିବ। ଗାଁ ପିଛା ୨୦ହଜାରରୁ ୩୦ ହଜାର ଟଙ୍କା ଦିଅନ୍ତି। ତାହାକୁ ଆମେ ବାଣ୍ଟି ନେଇଥାଉ। ଏଥର କେତେ ମିଳିବ ଆମେ ଜାଣିନୁ। ଟଙ୍କା ନ ମିଳିଲେ ଭୋଟ ଦେବାକୁ ଯିବୁନୁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର