ଜାପାନ ଓପନ୍‌: ପ୍ରିକ୍ବାର୍ଟରରେ ଶ୍ରୀକାନ୍ତ, ପ୍ରଣୟ; ଲକ୍ଷ୍ୟ ଓ ସାଇନା ବିଦା

ଓସାକା: ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ ଏବଂ ଏଚ୍‌ଏସ୍‌ ପ୍ରଣୟ ଏଠାରେ ଚାଲିଥିବା ଜାପାନ ଓପନ୍‌ର ପୁରୁଷ ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ବିଶ୍ବ ମାନ୍ୟତାର ପୂର୍ବତନ ଶୀର୍ଷ ଖେଳାଳି ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ୨୨-୨୦ ଓ ୨୩-୨୧ ସିଧାସଳଖ ଗେମ୍‌ରେ ବିଶ୍ବ ମାନ୍ୟତାର ଚତୁର୍ଥ ମାଲେସିଆ ତାରକା ଲି ଜି ଜିଆଙ୍କୁ ପରାସ୍ତ କରିଥିଲେ। ଲି’ଙ୍କ ବିପକ୍ଷରେ ୪ ଥର ମୁହାଁମୁହିଁ ହୋଇଥିବା ଶ୍ରୀକାନ୍ତଙ୍କର ଏହା ମଧ୍ୟ ପ୍ରଥମ ବିଜୟ ଥିଲା। ସେହିପରି ନିଜ ପ୍ରଥମ ରାଉଣ୍ଡ ପ୍ରତିଦ୍ବନ୍ଦ୍ବୀ ଦ୍ବାଦଶ ମାନ୍ୟତାପ୍ରାପ୍ତ ହଂକଂ ତାରକା ଏନ୍‌ଜି କା ଲଙ୍ଗ୍‌ ଅଙ୍ଗୁସ୍‌ ମ୍ୟାଚ୍‌ ଅଧାରୁ ରିଟାୟର୍ଡ ହର୍ଟ ହେବାରୁ ପ୍ରଣୟ ବିଜୟୀ ଘୋଷିତ ହୋଇଥିଲେ। ସେତେବେଳକୁ ପ୍ରଣୟ ୧୧-୧୦ରେ ଆଗୁଆ ଥିଲେ। ବିଶ୍ବ ମାନ୍ୟତାର ଅଷ୍ଟାଦଶ ପ୍ରଣୟ ପ୍ରିକ୍ବାର୍ଟରରେ ପୂର୍ବତନ ବିଶ୍ବ ବିଜେତା ସିଙ୍ଗାପୁରର ଲୋହ କିନ୍‌ ୟି’ଙ୍କୁ ଭେଟିବେ। ତେବେ ୨୦୨୧ ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ଏବଂ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଲକ୍ଷ୍ୟ ସେନ୍‌ ଏବଂ ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ନେହ୍ବାଲ କିନ୍ତୁ ଆରମ୍ଭରୁ ପରାଜୟ ବରଣ କରି ବିଦାୟ ନେଇଛନ୍ତି। ୨୧ ବର୍ଷ ବୟସ୍କ ଲକ୍ଷ୍ୟ ପୁରୁଷ ଏକକ ପ୍ରଥମ ରାଉଣ୍ଡରେ ବିଶ୍ବ ମାନ୍ୟତାର ୨୧ ଜାପାନ ତାରକା କେଣ୍ଟା ନିଶିମୋଟୋଙ୍କଠାରୁ ୨୧-୮, ୧୪-୨୧ ଓ ୧୩-୨୧ରେ ଏବଂ ସାଇନା ମହିଳା ଏକକ ପ୍ରଥମ ରାଉଣ୍ଡରେ ଶୀର୍ଷ ମାନ୍ୟତାପ୍ରାପ୍ତ ଅକାନେ ୟାମାଗୁଚିଙ୍କଠାରୁ ୯-୨୧, ୧୭-୨୧ ସିଧାସଳଖ ଗେମ୍‌ରେ ହାରିଯାଇଥିଲେ।

ଅନ୍ୟପକ୍ଷରେ ପୁରୁଷ ଯୁଗଳ ଯୋଡ଼ି ଏମ୍‌ଆର୍‌ ଅର୍ଜୁନ-ଧ୍ରୁପ କପିଳ, ବର୍ମିଙ୍ଗ୍‌ହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜୟିନୀ ମହିଳା ଯୁଗଳ ଯୋଡ଼ି ଗାୟତ୍ରୀ ଗୋପୀଚାନ୍ଦ-ତ୍ରେସା ଜଲି ଏବଂ ମିଶ୍ରିତ ଯୁଗଳ ଯୋଡ଼ି ଜୁହି ଦେୱାନଗନ୍‌-ଭେଙ୍କଟ ଗୌରବ ସେମାନଙ୍କ ପ୍ରଥମ ରାଉଣ୍ଡ ମୁକାବିଲା ହାରିଯାଇଛନ୍ତି।

ସମ୍ବନ୍ଧିତ ଖବର