କଳିଙ୍ଗରେ ଭ‌ାରତର ଯୁଗଳ ବିଜୟ, ପୁରୁଷ ଦଳଠୁ ରୁଷିଆ ପରାସ୍ତ

ଭୁବନେଶ୍ବର: ଭାରତୀୟ ପୁରୁଷ ଦଳ ରୁଷିଆ ବିପକ୍ଷରେ ଖେଳିଥିବା ଅନ୍ୟତମ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାକୁ ୪-୨ ଗୋଲ୍‌ରେ ଜିତି ନେଇଥିଲା। ଶୁକ୍ରବାର ରାତିରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମାର୍ଧ ଶେଷ ସୁଦ୍ଧା ୨-୧ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଧରେ ଆଉ ୨ ଗୋଲ୍‌ ଦେବା ସହ ଗୋଟିଏ ଗୋଲ୍‌ ବରଣ କରି ୪-୨ରେ ବିଜୟର ସ୍ବାଦ ଚାଖିଥିଲା।
ଭାରତ ଆଜି ପଞ୍ଚମ ମିନିଟ୍‌ରେ ହରମନପ୍ରୀତ ସି˚ହଙ୍କ ଗୋଲ୍‌ ବଳରେ ଆଗୁଆ ହୋଇ ଯାଇଥିଲା। ରିଭ୍ୟୁ ବଳରେ ମିଳିଥିବା ପେନାଲ୍ଟି ଷ୍ଟୋକ୍‌କୁ ସଫଳତାର ସହ ରୁଷିଆ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ସେ ମ୍ୟାଚ୍‌ ଏବ˚ ଭାରତ ପାଇଁ ପ୍ରଥମ ଗୋଲ୍‌ ଦେଇଥିଲେ। ଡି’ ଅଞ୍ଚଳରେ ରୁଷିଆ ରକ୍ଷଣଭାଗ ଖେଳାଳି ବିପଜ୍ଜନକ ଭାବେ ଅଧିନାୟକ ମନପ୍ରୀତ ସି˚ହଙ୍କୁ ରୋକିବା ପରେ ଭାରତ ରିଭ୍ୟୁ ନେଇ ସଫଳ ହୋଇଥିଲା। ରୁଷିଆ ପ୍ରଥମ କ୍ବାର୍ଟରରେ ପାଇଥିବା ପେନାଲ୍ଟି କର୍ନରକୁ ବେକାର ଯିବାକୁ ଦେବା ପରେ ଭାରତ ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ସେହି ଗୋଟିଏ ଗୋଲ୍‌ରେ ଆଗୁଆ ରହିଥିଲା
ଦ୍ବିତୀୟ କ୍ବାର୍ଟରର ଦ୍ବିତୀୟ ମିନିଟ୍‌ରେ କିନ୍ତୁ ରୁଷିଆ ସ୍ଥିତି ୧-୧ କରି ନେଇଥିଲା। ଆନ୍ଦ୍ରେଇ କୁରେଭଙ୍କ ଆକ୍ରମଣକୁ ରୂପୀନ୍ଦର ପାଲ ସି˚ହ ଏବ˚ ଗୋଲ୍‌ ରକ୍ଷକ ପିଆର୍‌ ଶ୍ରୀଜେଶ ରୋକି ନପାରିବା ପରେ ଭାରତ ପ୍ରଥମ ଗୋଲ୍‌ ବରଣ କରିଥିଲା ଏହା ପରେ ଭାରତ କିନ୍ତୁ ଚାପ ବଢ଼ାଇ ଚାଲିଥିଲା ୨୪ ମିନିଟ୍‌ରେ ମନଦୀପ ସି˚ହଙ୍କ ଫିଲ୍ଡ ଗୋଲ୍‌ ବଳରେ ଭାରତ ଏହାର ସୁଫଳ ପାଇଥିଲା। ରିଭର୍ସ ଫ୍ଲିକରେ ରୁଷିଆ ଗୋଲ୍‌ ରକ୍ଷକ ଇଭାନ ଓଝେରେଲେଭଙ୍କୁ ଚକ୍‌ମା ଦେଇ ସେ ହିଁ ଭାରତକୁ ୨-୧ରେ ଆଗୁଆ କରି ଦେଇଥିଲେ। ପରବର୍ତୀ ୬ ମିନିଟ୍‌ ଖେଳରେ ଦୁଇ ଦଳ କେହି କାହାରିକୁ ଗୋଲ୍‌ ଦେଇ ନପାରିବା ପରେ ପ୍ରଥମ ୩୦ ମିନିଟ୍‌ର ଖେଳ ୨-୧ରେ ଭାରତ ସପକ୍ଷରେ ଯାଇଥିଲା। ତୃତୀୟ କ୍ବାର୍ଟରରେ ରୁଷିଆ କିନ୍ତୁ ଭାରତକୁ ବାନ୍ଧି ରଖିଥିଲା। ଭାରତ ବହୁ ଚେଷ୍ଟା ପରେ ମଧୢ ଏହି କ୍ବାର୍ଟରର ୧୫ ମିନିଟ୍‌ ଖେଳରେ ଗୋଲ୍‌ କରି ପାରି ନଥିଲା।
ଶେଷ ୧୫ ମିନିଟ୍‌ ଖେଳରେ କିନ୍ତୁ ଭାରତ ପୁଣି ଗୋଲ୍‌ ଧାରାକୁ ଫେରିଥିଲା। ଶେଷ କ୍ବାର୍ଟରରେ ଏସ୍‌ଭି ସୁନୀଲ ୪୮ ମିନିଟରେ ବ୍ୟକ୍ତିଗତ ଭାବେ ପ୍ରଥମ ଗୋଲ୍‌ ଦେଇ ସ୍ଥିତି ୩-୧ କରି ଦେଇଥିଲେ। ୫୩ ମିନିଟରେ ମନଦୀପ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଏବ˚ ମ୍ୟାଚର ପଞ୍ଚମ ଗୋଲ୍‌ କରି ଭାରତକୁ ୪-୧ରେ ଆଗୁଆ କରିଥିଲେ। ତେବେ ଶେଷ ମିନିଟରେ ରୁଷିଆ ଶିଥିଳ ପଡ଼ି ଯାଇଥିବା ଭାରତୀୟ ରକ୍ଷଣଭାଗକୁ ଚକମା ଦେଇ ଆଉ ଏକ ଗୋଲ୍‌ କରିବା ସହ ପରାଜୟ ବ୍ୟବଧାନକୁ ୨-୪ କରି ଦେଇଥିଲା। ରୁଷିଆର ଦ୍ବିତୀୟ ଗୋଲ୍‌ ସିମେନ ମାତକୋଭକ୍ସି ଦେଇଥିଲେ। ଦୁଇ ଓଡ଼ିଆ ତାରକା ଅମିତ ରୋହି ଦାସ ଏବ˚ ବୀରେନ୍ଦ୍ର ଲାକ୍ରା କଳିଙ୍ଗ ଷ୍ଟାଡିୟମରେ ଖେଳିବାର ପୂର୍ବ ଅଭିଜ୍ଞତାକୁ ପାଥେୟ କରି ନିଜ ନିଜ ଦାୟିତ୍ବ ଭଲ ଭାବରେ ତୁଲାଇଥିଲେ। ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍‌ ସିରିଜ୍‌ ଫାଇନାଲ୍ସରେ ଭାରତ ୧୦-୦ରେ ରୁଷିଆକୁ ପରାସ୍ତ କରିଥିଲା। ଏଥର ଭାରତର ବିଜୟ ବ୍ୟବଧାନ ଟିକିଏ କମି ଯାଇଥିଲା। ମନଦୀପ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିଲେ।

ସମ୍ବନ୍ଧିତ ଖବର