ଖେଳରତ୍ନ ଚାନୁଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ

ନୂଆଦିଲ୍ଲୀ : ଭାରୋତ୍ତୋଳିକା ମୀରାବାଇ ଚାନୁଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳରତ୍ନ ପାଇସାରିଥିବା ଏହି ପୂର୍ବତନ ବିଜୟିନୀଙ୍କ ନାମ ଜାତୀୟ ଭାରୋତ୍ତୋଳନ ସଂଘ ଏକ ଅସାଧାରଣ ପଦକ୍ଷେପ ସ୍ବରୂପ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିବା ସମସ୍ତଙ୍କୁ ବିସ୍ମିତ କରିଛି। ଭାରତୀୟ ଭାରୋତ୍ତୋଳନ ସଂଘ (ଆଇଡବ୍ଲୁଏଲ୍‌ଏଫ୍‌) ଚାନୁଙ୍କ ସମେତ ରାଗଲା ଭ୍କେଟ ରାହୁଲ ଏବ ପୁନମ୍‌ ଯାଦବଙ୍କ ନାମ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି।

ଏଠାରେ ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହିତ ମିଳିତ ଭାବେ ୨୦୧୮ରେ ଚାନୁ ଖେଳରତ୍ନ ପୁରସ୍କାର ପାଇଥିଲେ। ସେ ମଧ୍ୟ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ସେହି ବର୍ଷ ପାଇଥିଲେ। ୨୦୧୭ ଆମେରିକା ଭାରୋତ୍ତୋଳନ ବିଶ୍ବ ପ୍ରତିଯୋଗିତା ବିଜୟିନୀ ହେବା ପରେ ଦୁଇ ଦୁଇଟି ପ୍ରମୁ୍‌ଖ ସମ୍ମାନ ହାତେଇ ସାରିଥିବା ୨୫ ବର୍ଷ ବୟସ୍କ ଚାନୁ କହିଛନ୍ତି ଆଉ ଏକ ସମ୍ମାନ ଅର୍ଜୁନ ଯୋଡ଼ି ହୋଇଯିବ। ଖେଳରତ୍ନ ପାଇବା ପରେ ଅର୍ଜୁନ ପୁରସ୍କାର ପାଇବାରେ ତାଙ୍କର କିଛି ଅନୁଶୋଚନା ନାହିଁ। ମୁଁ ଜାଣେ ଖେଳରତ୍ନ ହେଉଛି ସର୍ବୋଚ୍ଚ, କିନ୍ତୁ ପୂର୍ବରୁ ମୁଁ ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହୋଇଥିଲି। ତେଣୁ ଏହାକୁ ପାଇବାକୁ ମଧ୍ୟ ଚାହେଁ। ବେଳେବେଳେ ତୁମେ ଏସବୁ ପାଇବା‌କୁ ଇଛା କରିଥାଅ ବୋଲି ଚାନୁ କହିଛନ୍ତି। ୨୦୧୮ରେ ବି ମୁଁ ଅର୍ଜୁନ ପୁରସ୍କାର ପାଇଁ ଆବେଦନ କରିଥିଲି। ସେତେବେଳେ ଅବଶ୍ୟ ଉଭୟ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ପାଇଁ ଆବେଦକ ଥିଲି। ସୌଭାଗ୍ୟବଶତଃ ପ୍ରଥମେ ଖେଳରତ୍ନ ମିଳିଗଲା। କିନ୍ତୁ ଏହାର ମାନେ ନୁହେଁ ଯେ ଖେଳରତ୍ନ ପରେ ଅର୍ଜୁନ ପୁରସ୍କାର ପାଇବା ଉଚିତ ନୁହେଁ। ଅନ୍ୟପକ୍ଷରେ ଖେଳରତ୍ନ ପାଇସାରିଥିବା ଜଣେ ଆଥ୍‌ଲେଟ୍‌ଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇପାରିବ ବୋଲି ଜାତୀୟ ସଂଘର ମହାସଚିବ ସହଦେବ ଯାଦବ କହିଛନ୍ତି।

ସମ୍ବନ୍ଧିତ ଖବର