ହିମା ଇସ୍ପାତ କାରଖାନାରେ ବିସ୍ଫୋରଣ ଘଟଣା: ବନ୍ଦ ହେଲା ସମସ୍ତ ଇଣ୍ଡକ୍‌ସନ୍‌ ଫର୍ଣ୍ଣେସ

ଆଖିବୁଜି‌ଲେ ଆଉ ଜଣେ ଶ୍ରମିକ, ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ଗୁଆଲି ପଞ୍ଚାୟତର କାଟେସାହିସ୍ଥିତ କେଜେଏସ୍ ଆଲୁୱାଲିଆ କମ୍ପାନିର ହିମା ଇସ୍ପାତ କାରଖାନାରେ ଗତ ୨ ତାରିଖରେ ଭୟଙ୍କର ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ‌ଆସାମର ଦେବେନ ବାକ୍‌ଲାରିଆ (୨୨)ଙ୍କ ମୃତ୍ୟୁ ଘଟିଥିଲା। ଆଜି ଆସାମ ନୂଆଗାଁର ବବୁଲ ଦାସ (୩୧)ଙ୍କ ମୃତ୍ୟୁ ଘଟିଛି। ଛବିରାଣୀ ମୁଣ୍ଡା ଓ ରାଜୁ ଦାସଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହି ଘଟଣା ପରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ ପକ୍ଷରୁ କାରଖାନାର ସମସ୍ତ ୪ଟି ଇଣ୍ଡକ୍‌ସନ୍‌ ଫର୍ଣ୍ଣେସକୁ ବନ୍ଦ କରିଦିଆଯାଇଛି।

ଗତ ୨ ତାରିଖ ଅପରାହ୍ନ ୪ଟା ୪୫ରେ କାରଖାନାର ୧ନମ୍ବର ଇଣ୍ଡକସନ ଫର୍ଣ୍ଣେସରେ ବିସ୍ଫୋରଣ ହୋଇଥିଲା। ସେଠାରେ କାମ କରୁଥିବା ଶ୍ରମିକଙ୍କ ଉପରେ ତରଳ ଲୁହା ପଡ଼ିଥିଲା। ୧୦ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଦୁଇଦିନରେ ୨ଜଣ ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଫାକ୍ଟ୍ରି ଆଣ୍ଡ ବଏଲର ବିଭାଗର ଉପନିର୍ଦ୍ଦେଶକ ଉମେଶ ଚନ୍ଦ୍ର ସୂତାର, ସହକାରୀ ନିର୍ଦ୍ଦେଶକ କେଦାରନାଥ ହାଁସଦା, ଜିଲ୍ଲା ଶ୍ରମ ଅଧିକାରୀ ସୂର୍ଯ୍ୟନାରାୟଣ ମାଳୀ ଓ ରୁଗୁଡ଼ି ଥାନା ପୁଲିସ ଗତକାଲି କାରଖାନାକୁ ଯାଇ ତଦନ୍ତ କରିଥିଲେ। ଫାକ୍ଟ୍ରି ଆଣ୍ଡ ବଏଲର ବିଭାଗ ପକ୍ଷରୁ ତଦନ୍ତ ସରିବା ପର୍ଯ୍ୟନ୍ତ ସମସ୍ତ ୪ଟି ଇଣ୍ଡକସନ ଫର୍ଣ୍ଣେସକୁ ବନ୍ଦ କରିଦିଆଯାଇଛି। ଏହି କାରଖାନାରେ ଅଣକୁଶଳୀ ଶ୍ରମିକମାନଙ୍କୁ ବିପଦପୂର୍ଣ୍ଣ କାମରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି।

୨୦୨୪ ଜାନୁଆରି ୪ରେ ଏହି କାରଖାନାର ଫର୍ଣ୍ଣେସ-୨ରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣା‌ ପରେ ଫାକ୍ଟ୍ରି ଆଣ୍ଡ ବଏଲର ବିଭାଗ ପକ୍ଷରୁ ଉକ୍ତ ୟୁନିଟ୍‌କୁ ସିଲ୍‌ କରାଯାଇଥିଲା। ୨୦୧୩ରେ କାରଖାନାରେ ବଏଲର ଫାଟି ୩ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ ଅଗଷ୍ଟ ୧୦ରେ କନ୍‌ଭେୟର ବେଲ୍ଟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହାର ମାତ୍ର ଦୁଇମାସ ପରେ ୨୦୧୭ ଅକ୍ଟୋବର ୧୩ରେ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ଫାଟି ୧୨ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର