ମହାନଦୀ ପଠାରେ ବିରଳ ପାଣିଚିରି ପକ୍ଷୀ: ସମଗ୍ର ବିଶ୍ବରେ ୪ହଜାର, କଖଡ଼ିରେ ୧୬୫

୮୨ ଅଣ୍ଡାଦାନ କରିଛନ୍ତି, ୩୫ରୁ ଛୁଆ ଫୁଟିଛି, ସୁରକ୍ଷା ପାଇଁ ବନବିଭାଗ ଗଠନ କଲା ୧୧ଜଣିଆ ଟିମ୍‌

କଟକ: ବିରଳ ପାଣିଚିରି ପକ୍ଷୀ (ଇଣ୍ଡିଆନ୍‌ ସ୍କିମର୍‌)ଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି କଟକ ଜିଲ୍ଲା କଖଡ଼ିର ମହାନଦୀ ଶଯ୍ୟା ବାଲିକୁଦ। ଏଠାରେ ସେମାନେ ସୁରକ୍ଷିତ ଭାବେ ଅଣ୍ଡାଦାନ କରି ବଂଶବିସ୍ତାର କରୁଛନ୍ତି। ସାରା ବିଶ୍ବରେ ଏହି ପକ୍ଷୀଙ୍କ ସଂଖ୍ୟା ମାତ୍ର ୪ହଜାର ଥିବାବେଳେ ଓଡ଼ିଶାର କେବଳ ମହାନଦୀର କଖଡି ବାଲିକୁଦରେ ୧୬୫ ପାଣିଚିରି ପକ୍ଷୀ ରହିଥିବା ବନବିଭାଗ ସର୍ଭେରୁ ଜଣାପଡିଛି। ଏବେ ମାର୍ଚ୍ଚ ଶେ‌ଷ ସପ୍ତାହରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ସେମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ଚାଲିବ। ଏହାପରେ ସେମାନେ ଫେରିଯାଇ ପୁଣି ଡି‌ସେମ୍ବର ବେଳକୁ ପୁରୁଣା ସ୍ଥାନକୁ ଫେରିବେ। ତେବେ, କିଛି ପକ୍ଷୀ ଏହାକୁ ସୁବୁଦିନିଆ ବାସସ୍ଥାନ ଭାବେ ଗ୍ରହଣ କରିବା ଆରମ୍ଭ କଲେଣି। ତେଣୁ, ଏହାର ସୁରକ୍ଷା ନେଇ ଆଠଗଡ଼ ବନଖଣ୍ଡ ଅଣ୍ଟା ଭିଡିଛି। ଏଥିପାଇଁ ସ୍ଥାନୀୟ ଗ୍ରାମବାସୀ, ଯୁବବର୍ଗ ଓ ବନବିଭାଗ କର୍ମଚାରୀଙ୍କୁ ନେଇ ୧୧ଜଣିଆ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ସେମାନଙ୍କ ସୁରକ୍ଷା ପାଇଁ କାମ କରିବା ସହ ୨୪ଘଣ୍ଟିଆ ପାଟ୍ରୋଲିଂ କରିବେ।

ନଦୀ ଅବବାହିକାରେ ଥିବା ବାଲିଚର ପାଣିଚିରି ପକ୍ଷୀଙ୍କ ବିଚରଣ ଓ ପ୍ରଜନନ ପାଇଁ ଉପଯୁକ୍ତ ସ୍ଥାନ। ଏଣୁ କଖଡ଼ି ବାଲିକୁଦକୁ ଅଣ୍ଡା ଦେବାପାଇଁ ଉପଯୁକ୍ତ ମନେ କରି ପାଣିଚିରି ପକ୍ଷୀ ଆସୁଛନ୍ତି। ଚଳିତବର୍ଷ ଏଯାବତ୍‌ ସେମାନେ ୮୨ଟି ଅଣ୍ଡା ଦେଇଥିବା ବେଳେ ଅଣ୍ଡାଦାନ ପ୍ରକ୍ରିୟା ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ଅଣ୍ଡାରୁ ୩୫ଟି ଛୁଆ ଫୁଟିଛନ୍ତି ଓ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି। ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ ହୋଇଥିବା ବେଳେ ବର୍ତ୍ତମାନ ଏହାର ସଂରକ୍ଷଣ ସ୍ଥିତି ସଙ୍କଟାପନ୍ନ ଅବସ୍ଥାରେ ରହିଛି। ତେଣୁ, ସେମାନଙ୍କ ସୁରକ୍ଷା ପାଇଁ ବନବିଭାଗ କର୍ମଚାରୀଙ୍କ ସହ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ବନବିଭାଗ ତରଫରୁ ବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ଥାନୀୟ ଗ୍ରାମବାସୀ ଏବଂ ବିଶେଷତଃ ମତ୍ସ୍ୟଜୀବୀ ସମୁଦାୟଙ୍କୁ ନେଇ ସଚେତନତା କାର୍ଯକ୍ରମ କରାଯାଉଛି।

ସମସ୍ତଙ୍କ ସହଯୋଗରେ ପାଣିଚିରି ପକ୍ଷୀକୁ ସୁରକ୍ଷା ଦିଆଯାଇ ଏହାର ବଂଶ ବୃଦ୍ଧି ଘଟିଲେ, ଏହି ବିଲୁପ୍ତପ୍ରାୟ ପକ୍ଷୀର ସଂରକ୍ଷଣ ଓ ବଂଶ ବୃଦ୍ଧି ହୋଇପାରିବ ବୋଲି ଆଠଗଡ଼ ବନଖଣ୍ଡ ଅଧିକାରୀ ଡକ୍ଟର ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। ଏହି ପକ୍ଷୀ ଯେଉଁ ସ୍ଥାନରେ ରହିବେ ସେଠାରେ କୁମ୍ଭୀର ମଧ୍ୟ ରହିଥାନ୍ତି ବୋଲି କୁହାଯାଏ। ମହାନଦୀ‌ର କଖଡି ଅଞ୍ଚଳରେ ଗୋଟିଏ ଥଣ୍ଟିଆ କୁମ୍ଭୀର ମଧ୍ୟ ରହିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର