ନିଯୁକ୍ତି ହେଉନି ସ୍ଥାପତ୍ୟ ପରାମର୍ଶଦାତା : ଅଟକି ରହିଛି ୨ଶହ କୋଟିର ଡିଏମ୍‌ଏଫ୍‌ ପ୍ରକଳ୍ପ

ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସୁକିନ୍ଦା ବିଧାୟକ

ଯାଜପୁର/ଦାନଗଦୀ : ସ୍ଥାପତ୍ୟ ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯାଉ ନଥିବାରୁ ଜିଲ୍ଲା ଖଣିଜନ୍ୟାସ ପାଣ୍ଠି (ଡିଏମ୍‌ଏଫ୍‌)ରେ ହେବାକୁ ଥିବା ପ୍ରକଳ୍ପ ସବୁ ଅଟକି ରହିଛି। ଡିଏମ୍‌ଏଫ୍‌ର ୨୦୦ କୋଟି ବ୍ୟୟରେ ୮ଟି ପ୍ରକଳ୍ପ ପାଇଁ ତୁରନ୍ତ ସ୍ଥାପତ୍ୟ ପରାମର୍ଶଦାତା (ଆର୍କିଟେକ୍ କନସଲଷ୍ଟାଣ୍ଟ) ନିଯୁକ୍ତ କରିବାକୁ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ୮ଟି ପ୍ରକଳ୍ପ ପାଇଁ ଯଥାଶୀଘ୍ର ପରାମର୍ଶଦାତା (ଆର୍କିଟେକ୍ କନସଲଷ୍ଟାଣ୍ଟ)ଙ୍କୁ ଚିହ୍ନଟ କରି ସେମାନଙ୍କୁ କାର୍ଯ୍ୟ ଆବଣ୍ଟନ କରିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି।

ଆର୍କିଟେକ୍ କନସଲଷ୍ଟାଣ୍ଟଙ୍କ ବିନା ନିଯୁକ୍ତିରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ଓ ପ୍ରକଳ୍ପର ନକ୍ସା(ଡିଜାଇନ୍) ପ୍ରସ୍ତୁତ ହୋଇପାରିବ ନାହିଁ। ଏହି କାରଣରୁ କଲରଙ୍ଗିଅତ୍ତାରେ ଡିଏମଏଫ୍ ଗୃହ, ବଙ୍ଗଳା ଛକ ଯାତ୍ରୀ ବିଶ୍ରାମଗାର, ଡୁବୁରୀ ବସ୍‌ ଟର୍ମିନାଲ, ସୁକିନ୍ଦା ଷ୍ଟାଡିୟମ୍, କଲରଙ୍ଗିଅତ୍ତାରେ ଔଷଧୀୟ ଉଦ୍ୟାନ, ବଙ୍ଗଳା ଛକ କନଫରେନ୍ସ ହଲ୍, ଟମକା-ସୁକିନ୍ଦା-ଡୁବୁରୀ ଆଇବି ପୁନରୁଦ୍ଧାର, ଡୁବୁରୀ-କାମାକ୍ଷାନଗର ରାସ୍ତା ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟ କେବଳ ଘୋଷଣାରେ ସୀମିତ ରହିଛି। ଯାଜପୁର ଡିଏମଏଫ୍ ଟ୍ରଷ୍ଟ ବୋର୍ଡର ମୁଖ୍ୟ ଭାବେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ପଦକ୍ଷେପ ନେବାକୁ ସୁକିନ୍ଦା ବିଧାୟକ ଶ୍ରୀ ଘଡ଼ାଇ ଚିଠିରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଗତ ଜାନୁଆରି ୧୨ରେ ମଧ୍ୟ ଜିଲ୍ଲାପାଳଙ୍କୁ ବିଧାୟକ ଶ୍ରୀ ଘଡ଼ାଇ ଚିଠି ଲେଖିଥିଲେ। ହେଲେ ଏଯାଏଁ ସ୍ଥାପତ୍ୟ ପରାମର୍ଶଦାତା ନିଯୁକ୍ତ କରାଯାଇନି। ଆଜି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଶ୍ରୀ ଘଡ଼ାଇ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିକାରୀଙ୍କ ସହ ନିଜ ଭୁବନେଶ୍ୱରସ୍ଥିତ ବାସଭବନରେ ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ଯାଜପୁର ଡିଭିଜନର ଆର. ଆଣ୍ଡ ବି ନିର୍ବାହୀ ଯନ୍ତ୍ରୀ,ଏସ୍‌ଡିଓ ଉପସ୍ଥିତ ଥିଲେ। ପରାମର୍ଶଦାତା ନିଯୁକ୍ତି ନହେବାରୁ ୨ଶହ କୋଟିର ୮ଟି ପ୍ରକଳ୍ପ ଅଟକି ରହିଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଫଳରେ ସୁକିନ୍ଦା ବିଧାୟକ, ସ୍ଥାପତ୍ୟ ପରାମର୍ଶଦାତାଙ୍କୁ ତାଲିକାଭୁକ୍ତ କରିବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ଦ୍ୱିତୀୟ ଥର ଚିଠି ଲେଖିଛନ୍ତି।

ଅପରପକ୍ଷରେ ଯାଜପୁର ଜିଲ୍ଲାରେ ଡିଏମଏଫର ବୈଠକ ମଧ୍ୟ ନିୟମିତ ହେଉନାହିଁ । କରୋନା ସମୟରେ ମଧ୍ୟ ଝାରସୁଗୁଡା ଜିଲ୍ଲାର ଡିଏମଏଫ ବୈଠକ ଗତ ୨୪ତାରିଖରେ ବସିଥିଲା। ଡିଏମଏଫ୍ ରାଶି ଆଦାୟରେ ଝାରସୁଗୁଡା ଠାରୁ ଆଗରେ ରହିଥିବା ଯାଜପୁର ଜିଲ୍ଲାରେ ଗତ ଆର୍ଥିକ ବର୍ଷରେ ଡିଏମଏଫ୍ ବୈଠକ ଆଦୌ ବସିନାହିଁ। ଭାରତ ସରକାରଙ୍କ ଖଣି ବିଭାଗର ତଥ୍ୟ ଆଧାରରେ ଗତ ଫେବ୍ରୁଆରି ଶେଷ ସୁଦ୍ଧା ୩୭,୮୬୧.୩୧ କୋଟି ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିକୁ ଆସିଛି।ଏହା ମଧ୍ୟରୁ ସର୍ବାଧିକ ଓଡ଼ିଶାରୁ ୯,୯୮୪.୭୭ କୋଟି ସଂଗ୍ରହ ହୋଇଛି। ସେଥିରେ ଯାଜପୁର ଜିଲ୍ଲାରୁ ୬୨୬.୩୧ କୋଟି ଟଙ୍କା ସଂଗ୍ରହ ହୋଇଛି। ଦେଶର ଖଣି ପ୍ରଭାବିତ ଅଞ୍ଚଳର ବିକାଶରେ ଡିଏମଏଫ ପାଣ୍ଠିର ପ୍ରମୁଖ ଭୂମିକା ରହିଛି। ଡିଏମଏଫ ଅର୍ଥରୁ ଖଣି ପ୍ରଭାବିତ ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଶିକ୍ଷା,ସ୍ୱାସ୍ଥ୍ୟ,ରାସ୍ତା,ପାନୀୟ ଜଳ ଯୋଗାଣ,ଜଳସେଚନ ପରି ମୌଳିକ ସେବାରେ ଉନ୍ନତି ପରିଲକ୍ଷିତ ହୋଇଛି। ଯାଥାଶୀଘ୍ର ସ୍ଥାପତ୍ୟ ପରାମର୍ଶଦାତା ନିଯୁକ୍ତ ହେଲେ ସୁକିନ୍ଦା ନିର୍ବାଚନମଣ୍ଡଳୀର ବିକାଶ ଆଗେଇବା ସହ କରୋନା ପାଇଁ କାମଧନ୍ଦା ପାଉନଥିବା ଲୋକଙ୍କୁ କାମ ମିଳିପାରନ୍ତା ବୋଲି ବିଧାୟକ ଶ୍ରୀ ଘଡ଼ାଇ କହିଛନ୍ତି।

ସମ୍ବନ୍ଧିତ ଖବର