ୟୁଏସ୍‌ ଓପନ୍‌: ଆହତ ସତ୍ତ୍ବେ ଦ୍ବିତୀୟ ରାଉଣ୍ଡ ଜିତିଲେ ନାଦାଲ

ନ୍ୟୁୟର୍କ : ଆହତ ସତ୍ତ୍ବେ ୨୨ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ରାଫେଲ ନାଦାଲ ଚଳିତ ବର୍ଷର ୟୁଏସ୍‌ ଓପନ୍‌ ପୁରୁଷ ଏକକ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ଏହି ସ୍ପେନ୍‌ ତାରକା ୨-୬, ୬-୪, ୬-୨, ୬-୧ ସେଟ୍‌ରେ ଇଟାଲିର ଫାବିଓ ଫୋଗନିନିଙ୍କୁ ମାତ୍ ଦେଇଥିଲେ। ଚତୁର୍ଥ ସେଟ୍‌ରେ ୩-୦ରେ ଅଗୁଆ ଥିଲା ବେଳେ ଏଠାରେ ୪ ଥରର ବିଜେତା ନାଦାଲଙ୍କ ନାକରେ ନିଜ ରାକେଟ ବାଜିଯାଇଥିଲା ଏବଂ ରକ୍ତ ବାହାରିଥିଲା। ନାକରେ ପଟି ପଡ଼ିବା ପରେ ସେ ପୁଣି ଥରେ ଖେଳିଥିଲେ। ତୃତୀୟ ରାଉଣ୍ଡରେ ନାଦାଲ ଫ୍ରାନ୍ସର ରିଚାର୍ଡ ଗାସକ୍ବେଟଙ୍କୁ ଭେଟିବେ। ଗାସକ୍ବେଟ ୬-୨, ୬-୪, ୪-୬, ୬-୪ ସେଟ୍‌ରେ ସର୍ବିୟାର ମିଓମିର କେଚମାନୋଭିକଙ୍କୁ ପରାସ୍ତ କରିଥିଲେ। ସେହିପରି ‌ସ୍ପେନ୍‌ ଯୁବକ ତଥା ତୃତୀୟ ମାନ୍ୟତାପ୍ରାପ୍ତ କାର୍ଲସ ଅଲ୍‌କାରାଜ ମଧ୍ୟ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ୬-୨, ୬-୧, ୭-୫ ସେଟ୍‌ରେ ଭେଟେରାନ ଆର୍ଜେଣ୍ଟିନା ଖେଳାଳି ଫେଡେରିକୋ କୋରିଆକୁ ହରାଇଥିଲେ। ପରବର୍ତୀ ରାଉଣ୍ଡରେ ସେ ଆମେରିକାର ଜିନସନ ବ୍ରୁକ୍ସବାଏଙ୍କୁ ଭେଟିବେ। ବ୍ରୁକ୍ସବାଏ ୬-୪, ୭-୬, ୬-୧ ସେଟ୍‌ରେ ସିନ୍‌ସିନାଟି ଓପନ୍‌ ବିଜେତା ବ୍ରୋନା କୋରିକ୍‌ଙ୍କୁ ହରାଇଥିଲେ।

ମହିଳା ଏକକରେ ବିଶ୍ବର ଏକ ନମ୍ବର ଈଗା ସ୍ବିତେକ ପୂର୍ବତନ ବିଜୟିନୀ ସ୍ଲୋଆନେ ଷ୍ଟିପେନ୍ସଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଗୁରୁବାର ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ପୋଲାଣ୍ଡ ମହିଳା ସ୍ବିତେକ ସିଧାସଳଖ ୬-୩, ୬-୨ ସେଟ୍‌ରେ ଆମେରିକାର ‌ଷ୍ଟିଫେନ୍ସଙ୍କୁ ହରାଇଥିଲେ। ୨୧ ବର୍ଷୀୟା ସ୍ବିତେକ ତୃତୀୟ ରାଉଣ୍ଡରେ ଆଉ ଜଣେ ଆମେରିକୀୟ ଲଉରେନ ଡେଭିସଙ୍କୁ ଭେଟିବେ। ଡେଭିସ ୦-୬, ୬-୪, ୭-୬ ସେଟ୍‌ରେ ଏକ୍‌ଟାରିନା ଆଲେଜାଣ୍ଡ୍ରୋଭାଙ୍କୁ ପରାସ୍ତ କରିଥିଲେ। ‌ସେହିପରି ଷଷ୍ଠ ମାନ୍ୟତାପ୍ରାପ୍ତ ଆରିନା ସାବଲେଙ୍କା ଓ ନବମ ମାନ୍ୟତାପ୍ରାପ୍ତ ଗାର୍ବିନେ ମୁଗୁରୁଜା ଦ୍ବିତୀୟ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ବେଲାରୁଷର ସାବଲେଙ୍କା ୨-୬, ୭-୬, ୬-୪ ସେଟ୍‌ରେ ଇସ୍ତୋନିଆର କାଇଆ କାନୋପିଙ୍କୁ ଏବଂ ସ୍ପେନ୍‌ର ମୁଗୁରୁଜା ୬-୦, ୬-୪ ସେଟ୍‌ରେ ଚେକ୍‌ ଗଣରାଜ୍ୟର ଲିଣ୍ଡା ଫ୍ରୁଭିର୍ତୋଭାଙ୍କୁ ପରାସ୍ତ କରିଥିଲେ।

ଆରମ୍ଭରୁ ବୋପାନ୍ନା ବିଦା
ଭାରତୀୟ ତାରକା ରୋହନ ବୋପାନ୍ନାଙ୍କ ୟୁଏସ୍‌ ଓପନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ଅଭିଯାନ ଆରମ୍ଭରୁ ଶେଷ ହୋଇଯାଇଛି। ନେଦରଲାଣ୍ଡ୍‌ସର ମାତ୍‌ୱେ ମିଡଲକୁପ୍‌ଙ୍କୁ ସାଥୀ କରି ପୁରୁଷ ଯୁଗଳ ଖେଳୁଥିବା ବୋପାନ୍ନା ପ୍ରଥମ ରାଉଣ୍ଡରେ ସିଧାସଳଖ ସେଟ୍‌ରେ ପରାଜୟ ବରଣ କରିଛନ୍ତି। ଏହି ଭାରତ-ନେଦରଲାଣ୍ଡ୍‌ସ ଯୋଡ଼ି ପ୍ରଥମ ରାଉଣ୍ଡ୍‌ରେ ଇଟାଲି ଯୋଡ଼ି ଆନ୍ଦ୍ରିଆ ଭାଭାସୋରି ଓ ଲରେଞ୍ଜା ସୋନେଗୋଙ୍କଠାରୁ ୬-୭ ଓ ୨-୬ ସେଟ୍‌ରେ ହାରି ବିଦାୟ ନେଇଛନ୍ତି।

ୱିଲିୟମ୍‌ସ ଭଉଣୀଙ୍କ ଅଭିଯାନ ଶେଷ
ଆମେରିକୀୟ ୱିଲିୟମ୍‌ସ ଭଉଣୀ ଯୋଡ଼ି ସେରେନା ଓ ଭେନସ୍‌ଙ୍କ ଅଭିଯାନ ମଧ୍ୟ ଚଳିତ ୟୁଏସ୍‌ ଓପନ୍‌ ମହିଳା ଯୁଗଳରେ ଶେ‌ଷ ହୋଇଯାଇଛି। ଦୁଇ ଥର ୟୁଏସ୍‌ ଓପନ୍‌ ଟ୍ରଫି ସହ ମୋଟ ୧୪ ଗ୍ରାଣ୍ଡ୍‌ ସ୍ଲାମ୍‌ ଯୁଗଳ ବିଜୟିନୀ ଏହି ଯୋଡ଼ି ପ୍ରାୟ ୪ ବର୍ଷ ପରେ ପ୍ରଥମ ଥର ଲାଗି ଏକାଠି ଖେଳିଥିଲା ବେଳେ ଗୁରୁବାର ପ୍ରଥମ ରାଉଣ୍ଡ ମୁକାବିଲାରେ ଚେକ୍‌ ଗଣରାଜ୍ୟ ଯୋଡ଼ି ଲିଣ୍ଡା ପ୍ରୁବରୋତୋଭା ଓ ଲୁସି ହ୍ରାଦେକ୍କାଙ୍କ ନିକଟରୁ ୬-୭ ଓ ୪-୬ ସିଧାସଳଖ ସେଟ୍‌ରେ ପରାଜୟ ବରଣ କରି ପ୍ରାରମ୍ଭିକ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର