ଥାଇଲାଣ୍ଡ୍‌ ପାରା ବ୍ୟାଡ୍‌ମିଣ୍ଟନ: ପ୍ରମୋଦଙ୍କୁ ଯୁଗଳ ସ୍ବର୍ଣ୍ଣ ସହ ୩ ପଦକ

ଭୁବନେଶ୍ବର: ଅଲିମ୍ପିକ୍‌ ବିଜେତା ପ୍ରମୋଦ ଭଗତ ଶନିବାର ଉଦ୍‌ଯାପିତ ହୋଇଯାଇଥିବା ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ୩ ପଦକ କରାୟତ୍ତ କରିଛନ୍ତି। ପୁରୁଷ ଯୁଗଳରେ ସ୍ବର୍ଣ୍ଣିମ ସଫଳତା ହାତେଇଥିବା ପ୍ରମୋଦ ଏକକରେ ରୌପ୍ୟ ଏବଂ ମିଶ୍ରିତ ଯୁଗଳରେ କାଂସ୍ୟ ପଦକ ହାସଲ କରିଛନ୍ତି। ଶୁକ୍ରବାର ପୁରୁଷ ଯୁଗଳ ସେମିଫାଇନାଲ୍‌ରେ ଅନ୍ୟତମ ଭାରତୀୟ ଯୋଡ଼ି ମହମ୍ମଦ ଅର୍ବାଜ ଅନ୍‌ସାରୀ ଓ ଦୀପ ରଂଜନ ‌ବିଶୋୟୀଙ୍କୁ ହରାଇଥିବା ପ୍ରମୋଦ ଓ ତାଙ୍କ ସାଥୀ ସୁକାନ୍ତ କଦମ ଶନିବାର ଏସ୍‌ଏଲ୍‌୩-ଏସ୍‌ଏଲ୍‌୪ ବର୍ଗର ଫାଇନାଲ୍‌ରେ ଇଣ୍ଡୋନେସିଆ ଯୋଡ଼ି ଦ୍ବିୟୋକୋ ଓ ଫ୍ରେଡି‌ ସେତିଆୱାନଙ୍କୁ ୨୧-୧୮ ଓ ୨୧-୧୩ ସିଧାସଳଖ ଗେମ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ କବ୍‌ଜା କରିନେଇଥିଲେ।

ଅନ୍ୟପକ୍ଷରେ ପୁରୁଷ ଏକକ ସେମିଫାଇନାଲ୍‌ରେ ନିଜ ଦେଶର ନୀତେଶ କୁମାରଙ୍କୁ ପରାସ୍ତ କରିଥିବା ପ୍ରମୋଦ ଶନିବାର ଫାଇନାଲ୍‌ରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କ ନିକଟରୁ ୧୩-୨୧ ଓ ୧୯-୨୧ ସିଧାସଳଖ ଗେମ୍‌ରେ ହାରିଯାଇ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ଏହା ପୂର୍ବରୁ ମିଶ୍ରିତ ଯୁଗଳରେ ପ୍ରମୋଦ ଓ ତାଙ୍କ ସାଥୀ ମନୀଷା ରାମଦାସ ୧୩-୨୧, ୯-୨୧ରେ ଫ୍ରାନ୍ସର ଲୁକାସ ମଜୁର ଓ ଫୌଷ୍ଟିନ୍‌ ନୋଏଲଙ୍କଠୁ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା‌ ଅନ୍ୟତମ ଓଡ଼ିଆ ତାରକା ଦୀପରଞ୍ଜନ ବିଶୋଇ ଯୁଗଳ ସେମିଫାଇନାଲ୍‌ରେ ପ୍ରମୋଦ-ସୁକାନ୍ତ ଯୋଡ଼ିଙ୍କ ନିକଟରୁ ହାରି କାଂସ୍ୟ ପଦକ ରେ ସନ୍ତୁଷ୍ଟ ରହିଥିଲେ।

ସମ୍ବନ୍ଧିତ ଖବର