ସ୍ପେନ୍‌ରେ ତାଲିମ ‌‌ନେବେ ଓଡ଼ିଶାର ଦୁଇ ଫୁଟ୍‌ବଲ୍‌ ପ୍ରତିଭା

ଭୁବନେଶ୍ବର : ରାଜଧାନୀର ଆର୍ଡୋର ଫୁଟ୍‌ବଲ୍ ଏକାଡେମି ପାଇଁ ସ୍ବପ୍ନ କ୍ରମେ ସାକାର ହେବାର ଦିଶା ନେଇଛି। ଫୁଟ୍‌ବଲ୍ ପାଇଁ ବିଶେଷ ଭାବେ ପରିଚିତ ସ୍ପେନ୍‌ର ପ୍ରତିଷ୍ଠିତ କ୍ଲବ‌୍‌ରେ ତାଲିମ ଏବଂ ସ୍ଥାୟୀ ତାଲିମ ପାଇଁ ଟ୍ରାଏଲ୍ସ ଦେବା ପାଇଁ ମନୋନୀତ ହୋଇଛନ୍ତି ଏକାଡେମିର ଦୁଇ ଉଦୀୟମାନ ପ୍ରତିଭା। ସୁନ୍ଦରଗଡ଼ ବାଳକ ଶ୍ରୀଜଳ କିସ୍କୁ (୧୨ ବର୍ଷ) ଏବଂ ଭୁବନେଶ୍ବର ବାଳିକା ସୁଲେଖା କହଁର (୧୬ ବର୍ଷ) ମ୍ୟାକ୍ସ ସ୍ପୋର୍ଟସ ଫାଉଣ୍ଡେସନ୍‌ (ଏମ୍‌ଏସ୍‌ଏଫ୍‌) ବୃତ୍ତି ସହିତ ଏକମାସ ଲାଗି ସ୍ପେନ୍ ଗସ୍ତ କରିବେ। ୟୁରୋପୀୟ ଲିଗ୍‌ରେ ଭାରତର ପ୍ରତିନିଧିତ୍ବ ପାଇଁ ମଧ୍ୟ ବାଟ ପାଇବେ। ବର୍ଷକ ତଳେ ଏମ୍‌ଏସ୍‌ଏଫ୍‌ ସହିତ ଆର୍ଡୋର ଫୁଟ୍‌ବଲ୍ ଏକାଡେମି ସହ ଚୁକ୍ତି କରିଥିବା ବେଳେ ଓଡ଼ିଶାରେ ୧୮୦ ଜଣ ଖେଳାଳିଙ୍କ ମଧ୍ୟରୁ ଶ୍ରୀଜଳ ଓ ସୁଲେଖାଙ୍କୁ ମନୋନୀତ ‌ହୋଇଛନ୍ତି। ଏସ୍‌ପିଏଫ୍‌ ରସ୍ ଏକାଡେମି ଓ ସିଲା ସିଏଫର ପ୍ରମୁଖ ୟୁରୋପୀୟ ପ୍ରଶିକ୍ଷକମାନେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଏହି ଚୟନ କରିଛନ୍ତି। ମ୍ୟାକ୍ସ ସ୍ପୋର୍ଟସ ଫାଉଣ୍ଡେସନ୍‌ର ସମର୍ଥନ ପାଇଁ ଦୁଇ ବଂଧୁ ଆଶିଷ କୁମାର ଓ ଆଶିଷ ଖାନ୍ନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଆର୍ଡୋର ଫୁଟ୍‌ବଲ୍ ଏକାଡେମିର ମୁଖ୍ୟ ତଥା ପ୍ରଶିକ୍ଷକ ଜୟଦେବ ମହାପାତ୍ର। ଅନେକ ପ୍ରତିବଂଧକ ଦୂର କରି ଏହି ଲକ୍ଷ୍ୟରେ ପହଞ୍ଚିଥିବାରୁ ନିରଂତର ସମର୍ଥନ କରୁଥିବା ଶୁ‌ଭେଚ୍ଛୁ ଓ ପରିବାର ବର୍ଗଙ୍କୁ ମଧ୍ୟ ଶ୍ରୀ ମହାପାତ୍ର ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର