୧୦ଲକ୍ଷ କୁଇଣ୍ଟାଲ ବେପାରୀଙ୍କୁ ବିକ୍ରି: ମଣ୍ଡିକୁ ଆସିଲେନି ୨୨ହଜାର ଚାଷୀ

ରଦ୍ଦ ହେଉଛି ଚାଷୀଙ୍କ ଟୋକନ୍‌

ନବରଙ୍ଗପୁର: ଯାହା ପୂର୍ବାନୁମାନ କରାଯାଉଥିଲା ତାହା ହିଁ ହେଲା। ମଣ୍ଡିକୁ ଆସୁନି ଧାନ, ରଦ୍ଦ ହେଉଛି ଟୋକନ୍‌। କାରଣ ଖରିଫ ମଣ୍ଡି ଖୋଲିବା ପୂର୍ବରୁ ହିଁ ଜିଲ୍ଲାର ଅଧିକାଂଶ ଚାଷୀ ଛତିଶଗଡ଼ ବେପାରୀଙ୍କୁ ଧାନ ବିକ୍ରି କରିସାରିଥିଲେ। ତେଣୁ ମଣ୍ଡି ଖୋଲିବାର ୨ମାସରୁ ଅଧିକ ସମୟ ବିତିବା ସତ୍ତ୍ବେ ୨୨ ହଜାର ଚାଷୀ ଚଳିତ ଖରିଫ ମଣ୍ଡିକୁ ଆସିନାହାନ୍ତି। ପ୍ରାୟ ୧୦ଲକ୍ଷ କୁଇଣ୍ଟାଲ ଧାନ ବାହାର ବେପାରୀ କିଣି ନେଇଥିବା ଅନୁମାନ କରାଯାଉଛି। ଯାହାଫଳରେ ଚଳିତବର୍ଷ ମଣ୍ଡିରୁ ଧାନ କିଣିବାକୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ ଧାନ ବିକ୍ରି ପାଇଁ ୪୫,୮୦୯ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ଡିସେମ୍ବର ୧୦ତାରିଖ ମଣ୍ଡି ଖୋଲିବା ପରେ ପ୍ରଥମ ପର୍ଯ୍ୟାୟରେ ୨୦ଲକ୍ଷ ୮୨ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ରଖିଥିଲା ପ୍ରଶାସନ। ଯଦି ଆବଶ୍ୟକ ପଡ଼ିବ ତେବେ ଏହି ‌ଟାର୍ଗେଟକୁ ବୃଦ୍ଧି କରାଯିବ ବୋଲି ପ୍ରଶାସନ କହିଥିଲା। କିନ୍ତୁ ଆଜି ସୁଦ୍ଧା ୫୮,୪୬୩ ଟୋକନ୍‌ ବ୍ୟବହାର କରି ୨୩ହଜାର ୫୭ଜଣ ଚାଷୀ ବିକ୍ରି କରିଛନ୍ତି ଏବଂ ୧୨ଲକ୍ଷ ୩୩ହଜାର ୯୨୦ କୁଇଣ୍ଟାଲ ଧାନ କିଣାଯାଇଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୫୯ପ୍ରତିଶତ। ଅନ୍ୟପକ୍ଷରେ ଗତବର୍ଷ ଜାନୁଆରି ସୁଦ୍ଧା ଜିଲ୍ଲାରେ ପ୍ରାୟ ୨୧ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଥିଲା।

ଏଭଳି ଧାନ ବିକ୍ରି କମିବା ପଛରେ କାରଣ ଖୋଜିବାରୁ ଚକିତ କଲା ଭଳି ତଥ୍ୟ ମିଳିଥିଲା। ଜଳସେଚିତ ଜମିରେ ଏକର ପିଛା ୧୯କୁଇଣ୍ଟାଲ ଓ ଅଣ ଜଳସେଚିତ ଜମିରେ ୧୩ କୁଇଣ୍ଟାଲ ଧାନ କିଣିବାକୁ ସରକାର ନିର୍ଦ୍ଧାରଣ କରିଛନ୍ତି। କିନ୍ତୁ ଜିଲ୍ଲାରେ ଏକର ପିଛା ୨୫ରୁ ୩୦ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ଉତ୍ପାଦନ ହେଉଛି। ଓଡ଼ିଶାରେ ମଣ୍ଡି ଖୋଲିବାର ଯଥେଷ୍ଟ ପୂର୍ବରୁ ଛତିଶଗଡ଼ରେ ମଣ୍ଡି ଖୋଲି ସାରିଥିଲା। ସେହିପରି ବିଜେପି କ୍ଷମତାକୁ ଆସିବା ପରେ ‌ବୋନସ୍‌ ଦେବାରୁ ଚାଷୀ କିଇଣ୍ଟାଲ ପିଛା ୩୧୦୦ ଟଙ୍କା ପାଇଲେ। ତେଣୁ ଓଡ଼ିଶାରେ ଚାଷୀଙ୍କୁ ମିଳୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ ପାଖାପାଖି ଦରରେ ହିଁ ଛତିଶଗଡ଼ର ବେପାରୀ ଏଠାରୁ ଧାନ କିଣିଲେ। ଏହାପରେ କୌଣସି କଟକଣା ନଥିବାରୁ ବେଧଡ଼କ ସୀମା ଅତିକ୍ରମ କଲେ। ପରବର୍ତ୍ତୀ ସମୟରେ ଛତିଶଗଡ଼ ସରକାର ବାହାର ଧାନ ଜଗିବାରୁ ଗଳା ବାଟରେ ଚାଲାଣ ହେଲା। ଓଡ଼ିଶାରେ ମିଲର୍ସଙ୍କ ମନମାନି ଏବଂ ବିଳମ୍ବ ପ୍ରକ୍ରିୟା ମଧ୍ୟ ବେପାରୀଙ୍କୁ ସୁହାଇଥିଲା। ଜିଲ୍ଲାର ଧାନ କିଣା ରିପୋର୍ଟ ମଧ୍ୟ ଏହାକୁ ପ୍ରମାଣିତ କରୁଛି। ଛତିଶଗଡ଼ ସୀମାନ୍ତ ଉମରକୋଟ ବ୍ଲକରେ ଆଜି ସୁଦ୍ଧା ମାତ୍ର ୩୨ପ୍ରତିଶତ ଧାନ ସ୍ଥାନୀୟ ମଣ୍ଡିରେ ବିକ୍ରି ହୋଇଛି। ସେହିପରି ରାଇଘର ବ୍ଲକରେ ୨୩ପ୍ରତିଶତ, ଚନ୍ଦାହାଣ୍ଡି ବ୍ଲକରେ ୪୪ପ୍ରତିଶତ, ଡାବୁଗାଁ ବ୍ଲକରେ ୫୦ପ୍ରତିଶତ, ଝରିଗାଁ ବ୍ଲକରେ ୪୦ପ୍ରତିଶତ ଓ କୋଷାଗୁମୁଡ଼ା ବ୍ଲକରେ ୫୬ପ୍ରତିଶତ ଧାନ ମଣ୍ଡିରେ ବିକ୍ରି ହୋଇଛି। ନବରଙ୍ଗପୁର, ପାପଡ଼ାହାଣ୍ଡି ଭଳି ଛତିଶଗଡ଼ ସୀମାରେ ନଥିବା ଅନ୍ୟ ବ୍ଲକ୍‌ଗୁଡ଼ିକରେ ୭୦ରୁ ୭୮ ପ୍ରତିଶତ ପର୍ଯ୍ୟନ୍ତ ଧାନ ମଣ୍ଡିରେ କିଣାଯାଇଛି। ଏହି ପରିସଂଖ୍ୟାନ ଧାନ ବିକ୍ରିର ଅସଲ ଚିତ୍ରକୁ ପଦାରେ ପକାଇଥିବା ବେଳେ ଯୋଗାଣ ବିଭାଗ ମଧ୍ୟ ଏହାକୁ ପରୋକ୍ଷରେ ସ୍ବୀକାର କରିଛି। ମଣ୍ଡିକୁ ଧାନ ଆସୁନଥିବା ନେଇ କହିଛି। ତଥାପି ଧାନ ବିକ୍ରି ପ୍ରତିଶତ ବଢ଼ିବ ବୋଲି ପ୍ରଶାସନ ଆଶା କରୁଛି। ମାର୍ଚ୍ଚ ପର୍ଯ୍ୟନ୍ତ ଅବଧି ରହିଥିବାରୁ ମଣ୍ଡିକୁ ଧାନ ଆସିବ ବୋଲି ସଫେଇ ଦେଇଛି।

ସମ୍ବନ୍ଧିତ ଖବର