ଭାରତମାଳା ରାସ୍ତାରେ ଟିପର ଲାଗି ୧୧ କେଭି ତାର ଛିଣ୍ଡିଲା; ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତା କାମକୁ ବିରୋଧ

ଡାଇଭର୍ସନ୍‌ ମରାମତି କରିବାକୁ ଦାବି, କାମରେ ଲାଗିଥିବା ସମସ୍ତ ଗାଡ଼ି ମଟରକୁ ଅଟକ ରଖିଲେ

ରାଇଘର: ଏକ ଟିପର ଦ୍ବାରା ୧୧ କେଭି ତାର ଛିଣ୍ଡିବା ଫଳରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରୁବେଲା ଅନ୍ତର୍ଗତ ସଡ଼କପାରା ଗ୍ରାମବାସୀ ଆଜି ଭାରତ ମାଳା ଯୋଜନାରେ ହେଉଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବା ସହିତ କାମରେ ବ୍ୟବହାର ହେଉଥିବା ଗାଡ଼ି ମଟର ଗୁଡ଼ିକକୁ ଅଟକ ରଖିଥିବା ଜଣାପଡ଼ିଛି। ବିଦ୍ୟୁତ ତାରର ତୁରନ୍ତ ମରାମତି କରିବା ସହିତ ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ଡାଇଭର୍ସନ୍‌ କୁ ମଧ୍ୟ ତୁରନ୍ତ ମରାମତି କରିବାକୁ ଦାବୀ କରିଛନ୍ତି | ଏହି ଅବସରରେ ଆଜି ଭାରତ ମାଳା ରାସ୍ତା ଉପରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ପ୍ରତିବାଦ ଜଣାଇବା ସହିତ କାମରେ ଲାଗିଥିବା ଗାଡ଼ି ମଟର ସବୁ ଅଟକାଇ ରଖିଥିବା ଦେଖିବାକୁ ମିଳିଥିଲା। ସମସ୍ତ ସମସ୍ୟାର ସମାଧାନ ନ ହେବା ଯାଏଁ ଏଭଳି ଧର୍ମଘଟ ଜାରି ରହିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ ଛତିଶଗଡ଼ରୁ ଓଡ଼ିଶା ଦେଇ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ଭାରତ ମାଳା ରାସ୍ତା ନିର୍ମାଣ ସମୟରେ ଆଜି ଦିନ ଦ୍ବିପହାର‌ରେ ଏକ ଟିପର ଯୋଗୁଁ ସଡ଼କପାରା ଗ୍ରାମକୁ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ଫଳରେ ଉକ୍ତ ଗ୍ରାମରେ ବିଦ୍ୟୁତ ବ୍ୟାଘାତ ଘଟିଥିଲା। ବାରମ୍ବାର ଏଭଳି ତାର ଛିଣ୍ଡି ଯାଉଥିବା ଯୋଗୁଁ ସେଠାକାର ଗ୍ରାମବାସୀ ଅତିଷ୍ଠ ହୋଇ ଆଜି ଭାରତ ମାଳା ରାସ୍ତା ଉପରେ ଏକତ୍ରିତ ହୋଇ ରାସ୍ତାରେ ବ୍ୟବହାର ହେଉଥିବା ଗାଡ଼ି ମଟର ସବୁ ଅଟକାଇ ରଖିଥିଲେ। ଏଥିସହିତ ସଡ଼କପାରା ଗ୍ରାମକୁ ଓଭର ବ୍ରିଜ ନିର୍ମାଣ ଚାଲିଥିବା ବେଳେ ପାର୍ଶ୍ବରେ ଡାଇଭର୍ସନ୍‌ ସିଧାସଳଖ ଉଚ୍ଚ ରହିବା ଫଳରେ ଯେକୌଣସି ଗାଡ଼ି ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିଲେ। ଡାଇଭର୍ସନ୍‌ ରାସ୍ତା ମାଟି ରେ ହୋଇଥିବାରୁ ସେହି ରାସ୍ତା ଦେଇ ବାଇକ, ଅଟୋ ରିକ୍ସା ଆଦି ଛୋଟବଡ଼ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି। ତୁରନ୍ତ ଡାଇଭର୍ସନ୍‌ ରାସ୍ତା କୁ ମରାମତି କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ୧୧ କେଭି ବିଦ୍ୟୁତ ତାର ତୁରନ୍ତ ମରାମତି କରିବା ସହିତ ଡାଇଭର୍ସନ୍‌ ରାସ୍ତାର ମଧ୍ୟ ତୁରନ୍ତ ମରାମତି କରିବାକୁ ଦାବୀ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧର୍ମଘଟ ଚାଲୁ ରହିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର