ଭିନ୍ନମତ ହଟାଇବାର ସରକାରୀ ବ୍ୟବସ୍ଥା

ଅରୁଣ ସିହ୍ନା

ଇଣ୍ଡିଆନ୍‌ ନ୍ୟୁଜପେପର ସୋସାଇଟି, ଦି ଏଡିଟର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆ, ଦି ନ୍ୟୁଜ୍‌ ବ୍ରୋଡକାଷ୍ଟର ଆଣ୍ଡ୍‌ ଡିଜିଟାଲ ଆସୋସିଏସନ୍‌ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ସଂଗଠନଗୁଡ଼ିକର ପ୍ରତିରୋଧକୁ ଅଣଦେଖା କରି କେନ୍ଦ୍ର ସରକାର ଡିଜିଟାଲ ଗଣମାଧ୍ୟମରେ କୌଣସି ବ୍ୟବସାୟ ସମ୍ବନ୍ଧୀୟ ମିଥ୍ୟା କିମ୍ବା ବିଭ୍ରାନ୍ତିକର ସୂଚନାକୁ ଚିହ୍ନଟ କରିବା ଲାଗି ଏକ ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ (ଏଫ୍‌ସିୟୁ) ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କର ଏହି ନିଷ୍ପତ୍ତି ଡିଜିଟାଲ ଗଣମାଧ୍ୟମରେ ସୂଚନା ସମ୍ପର୍କିତ ହୋଇଥିଲେ ବି, ଏହା ଛପା ଓ ଟେଲିଭିଜନ ଗଣମାଧ୍ୟମରେ ମଧ୍ୟ ସୂଚନାକୁ ବିପଦରେ ପକାଇବାକୁ ଯାଉଛି, କାରଣ ତିନିଟି ବିଭାଗରେ ବିଷୟବସ୍ତୁ ଅବାଧରେ ପ୍ରବାହିତ ହୋଇଥାଏ। ତେଣୁ ଏଫ୍‌ସିୟୁ ସମଗ୍ର ଗଣମାଧ୍ୟମ ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ।
ପ୍ରଥମ ପ୍ରଶ୍ନ ହେଉଛି: ସରକାରୀ କାର୍ଯ୍ୟକଳାପ ସମ୍ପର୍କରେ ମିଥ୍ୟା ସୂଚନା ଚିହ୍ନଟ କରିବା ପାଇଁ ଏଫ୍‌ସିୟୁର ଆବଶ୍ୟକତା ରହିଛି କି? ସେହିପରି ଦ୍ବିତୀୟ ପ୍ରଶ୍ନଟି ହେଉଛି: ଛପା, ଟେଲିଭିଜନ ଓ ଡିଜିଟାଲ ଗଣମାଧ୍ୟମର ପ୍ରତିଟି ବିଭାଗରେ ଏଭଳି ସୂଚନାକୁ ଚିହ୍ନଟ କରିବା ଓ ସଂଶୋଧନ କରିବା ପାଇଁ ପୂର୍ବରୁ ଏକ ବ୍ୟବସ୍ଥା ନାହିଁ କି? ଏହି ବ୍ୟବସ୍ଥା ଦୁଇ ମହଲା ବିଶିଷ୍ଟ। ତଳ ମହଲାରେ ଖବରକାଗଜ ପାଇଁ ସମ୍ପାଦକ, ଟେଲିଭିଜନ ଚ୍ୟାନେଲ ପାଇଁ ପ୍ରସାରଣକାରୀ ଓ ଡିଜିଟାଲ ଗଣମାଧ୍ୟମ ପାଇଁ ଉପସ୍ଥାପକ ବସିଥା’ନ୍ତି। ସେହିପରି ଉପର ମହଲାରେ ଖବରକାଗଜ ପାଇଁ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ, ଖବର ପ୍ରସାରଣକାରୀଙ୍କ ପାଇଁ ଦି ନ୍ୟୁଜ୍‌ ବ୍ରୋଡକାଷ୍ଟିଂ ଆଣ୍ଡ୍‌ ଡିଜିଟାଲ ଷ୍ଟାଣ୍ଡାର୍ଡ ଅଥରିଟି (ଏନ୍‌ବିଡିଏସ୍‌ଏ) ଏବଂ ଡିଜିଟାଲ ପ୍ରକାଶକଙ୍କ ପାଇଁ ଦି ନ୍ୟୁଜ୍‌ ପବ୍ଲିସର୍ସ ଆସୋସିଏସନ୍‌ ବା ଅନୁରୂପ ସଂସ୍ଥା ବସିଥା’ନ୍ତି।
ଭାରତରେ ଗଣମାଧ୍ୟମ ସ୍ବୟଂ ନିୟନ୍ତ୍ରିତ ହୋଇଥିବାରୁ ଏହି ଦୁଇ ମହଲା ବିଶିଷ୍ଟ ବ୍ୟବସ୍ଥା ହିଁ ପେସାଦାର ନୈତିକତାକୁ କାର୍ଯ୍ୟକାରୀ କରିଥାଏ, କିନ୍ତୁ ସରକାର ନୁହେଁ। ବୃତ୍ତିଗତ ନୀତିଶାସ୍ତ୍ରର ପ୍ରଥମ ନୀତି ହେଉଛି, ସୂଚନାଟି ସାମ୍ବାଦିକର ଶ୍ରେଷ୍ଠ ଜ୍ଞାନ ଅନୁସାରେ ସତ୍ୟ ହେବା ଆବଶ୍ୟକ। ସାମ୍ବାଦିକ ମଧ୍ୟ ସୂଚନାକୁ ନିଶ୍ଚିତ ଯାଞ୍ଚ କରିବା ଆବଶ୍ୟକ ଏବଂ ତାହା ସତ୍ୟ ଓ ନିର୍ଭୁଲ ବୋଲି ସନ୍ତୁଷ୍ଟ ହେଲା ପରେ ହିଁ ତାହାକୁ ସର୍ବସାଧାରଣ ମଞ୍ଚରେ ରଖିବେ। ଅବଶ୍ୟ ଦୁଇଟି ପରିସ୍ଥିତି ଯୋଗୁଁ ସୂଚନା ବେଳେ ବେଳେ ମିଛ ହୋଇଥାଏ। ପ୍ରଥମରେ ହୁଏ ତ ସାମ୍ବାଦିକ ଜଣକ ସୂଚନାକୁ ପୁଙ୍ଖାନୁପୁଙ୍ଖ ତନଖି ନାହାନ୍ତି ଅଥବା ଦ୍ବିତୀୟଟି ହେଲା, କାହାର ସମ୍ମାନ ହାନି କରିବା ପାଇଁ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଛନ୍ତି। ପ୍ରଥମ ମାମଲାଟି ହେଉଛି ପେସାଗତ ତ୍ରୁଟି ଓ ଦ୍ବିତୀୟଟି ଅଣପେସାଗତ। ଉଭୟ ତ୍ରୁଟି କିନ୍ତୁ ପେସାଦାର ନୈତିକତାର ଉଲ୍ଲଂଘନ।
ଉଭୟ ପ୍ରକାର ଉଲ୍ଲଂଘନର ପ୍ରତିକାର ତଳ ମହଲାରୁ ଆରମ୍ଭ ହୋଇଥାଏ। ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଦ୍ବାରା ନିର୍ଦ୍ଧାରିତ ସାମ୍ବାଦିକତା ଆଚରଣ ସଂହିତା କହୁଛି, ଯେତେବେଳେ କୌଣସି ତଥ୍ୟଗତ ତ୍ରୁଟିକୁ ଚିହ୍ନଟ କରାଯାଏ ବା ନିଶ୍ଚିତ କରାଯାଏ, ସଂପୃକ୍ତ ଖବରକାଗଜ ତୁରନ୍ତ ଉପଯୁକ୍ତ ପ୍ରାଧାନ୍ୟର ସହିତ ଆପଣା ଛାଏଁ କ୍ଷମା ପ୍ରାର୍ଥନା ବା ଗୁରୁତର ତ୍ରୁଟି କ୍ଷେତ୍ରରେ ଦୁଃଖ ପ୍ରକାଶ ସହିତ ତାହାର ସଂଶୋଧନ ପ୍ରକାଶ କରିବା ଉଚିତ। ଯଦି ଖବରକାଗଜ ତ୍ରୁଟି ସଂଶୋଧନ କରିବାକୁ ମନା କରେ, ତେବେ ପ୍ରତିକାର ଉପର ମହଲାକୁ ଉଠିଯାଏ, ଯେଉଁଠାରେ ପ୍ରେସ କାଉନ୍‌ସିଲ୍‌ ତାହା କରିଥାଏ। ଗୁରୁତର କିମ୍ବା ବାରମ୍ବାର ଉଲ୍ଲଂଘନ ପାଇଁ ଖବରକାଗଜକୁ ସରକାରୀ ବିଜ୍ଞାପନ ସ୍ଥଗିତ ରଖିବାକୁ ସୁପାରିସ କରିବାର କ୍ଷମତା ମଧ୍ୟ ପ୍ରେସ କାଉନ୍‌ସିଲ୍‌ ପାଖରେ ରହିଛି।
ସେହିପରି ଟିଭି ଚ୍ୟାନେଲ କ୍ଷେତ୍ରରେ ଭୁଲ୍‌କୁ ଠିକ୍‌ କରିବା କାର୍ଯ୍ୟ ପ୍ରସାରଣକାରୀଙ୍କ ଠାରୁ ଆରମ୍ଭ ହୋଇଥାଏ। ଏକ ତଥ୍ୟଗତ ତ୍ରୁଟି ଚିହ୍ନଟ କିମ୍ବା ସୁନିଶ୍ଚିତ ହେବା ପରେ ସେମାନେ ଏକ ସଂଶୋଧନ ପ୍ରସାରଣ କରିବେ, ପରଦାରେ ଏକ କ୍ଷମାପ୍ରାର୍ଥନା ଚଲାଇବେ ଏବଂ ଏହାକୁ ସେମାନଙ୍କ ଡିଜିଟାଲ ଅଭିଲେଖାଗାରରୁ ହଟାଇବେ ବୋଲି ଆଶା କରାଯାଏ। ଯଦି ସେମାନେ ତାହା ନ କରନ୍ତି, ତେବେ ଏହି ମାମଲା ଉପର ମହଲାରେ ଥିବା ଏନ୍‌ବିଡିଏସ୍‌ଏକୁ ଯାଇଥାଏ, ଯିଏ ପ୍ରସାରଣକାରୀଙ୍କ ଉପରେ ଜରିମାନା ସମେତ ଦଣ୍ଡ ବିଧାନ କରିଥା’ନ୍ତି। ଡିଜିଟାଲ ଗଣମାଧ୍ୟମ ପାଇଁ ପ୍ରେସ କାଉନ୍‌ସିଲ୍‌ ବା ଏନ୍‌ବିଡିଏସ୍‌ଏ ପରି ଏ ପର୍ଯ୍ୟନ୍ତ କୌଣସି ଏକକ ସ୍ବ-ନିୟନ୍ତ୍ରଣ ପ୍ରାଧିକରଣ ନାହିଁ। ପ୍ରତ୍ୟେକ ଡିଜିଟାଲ ପ୍ରକାଶକଙ୍କୁ ପେସାଦାର ନୈତିକତା ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗର ଉତ୍ତର ରଖିବା ଲାଗି ଅଭିଯୋଗ ଅଧିକାରୀ ଆକାରରେ ଏକ ସ୍ବୟଂ-ନିୟନ୍ତ୍ରକ ବ୍ୟବସ୍ଥା ସ୍ଥାପନର ଆବଶ୍ୟକତା ରହିଛି। ସେମାନଙ୍କ ଉପରେ ଡିଜିଟାଲ ନ୍ୟୁଜ୍‌ ପବ୍ଳିସର୍ସ ଆସୋସିଏସନ ଭଳି ସ୍ବୟଂଶାସିତ ସଂସ୍ଥା ରହିଛି।
ଯଦି ଭୁଲ୍‌ ତଥ୍ୟର ମୁକାବିଲା ପାଇଁ ପୂର୍ବରୁ ଛପା, ଟେଲିଭିଜନ ଓ ଡିଜିଟାଲ ଗଣମାଧ୍ୟମରେ ଆନୁଷ୍ଠାନିକ ସ୍ବନିୟନ୍ତ୍ରକ ରହିଛି, ତେବେ ସରକାର କାହିଁକି ଏକ ଏଫ୍‌ୟୁସି ପ୍ରତିଷ୍ଠା କରିବାକୁ ଲାଗିପଡ଼ିଛନ୍ତି? ଭୁଲ୍‌ ତଥ୍ୟର ମୁକାବିଲା ପାଇଁ ସରକାର ସବୁବେଳେ ଉପରୋକ୍ତ ସଂସ୍ଥାଗୁଡ଼ିକର ଦ୍ବାରସ୍ଥ ହୋଇପାରିବ। ପ୍ରତ୍ୟେକ ବିଭାଗରେ ପ୍ରେସ୍‌ ଇନଫର୍ମେସନ ବ୍ୟୁରୋର ଜଣେ ଅଧିକାରୀ ଅଛନ୍ତି। ଯଦି ଗଣମାଧ୍ୟମ ସେମାନଙ୍କ ବିଭାଗ ବିଷୟରେ କିଛି ଭୁଲ୍‌ ଦର୍ଶାଏ, ତେବେ ସେମାନେ ତୁରନ୍ତ ତାହାକୁ ଖଣ୍ଡନ କରିପାରିବେ। ଏ ସବୁ ସତ୍ତ୍ବେ ଯଦି ସରକାର ଏକ ସର୍ବୋଚ୍ଚ ନିୟନ୍ତ୍ରକ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଉଛନ୍ତି, ଏହା ସ୍ବାଭାବିକ ଭାବେ ସନ୍ଦେହ ସୃଷ୍ଟି କରୁଛି। ଆଉ ଏଫ୍‌ସିୟୁକୁ ଦିଆଯାଇଥିବା ବିଶାଳ ପରିସର ଓ ତାହାର ପ୍ରଶ୍ନାତୀତ କ୍ଷମତାକୁ ଦେଖିଲେ ସନ୍ଦେହ ଆହୁରି ଘନୀଭୂତ ହେଉଛି।
ପରିସର କଥା ଉଠିଲେ, ଅନ୍‌ଲାଇନ୍‌ ମଞ୍ଚରେ ସରକାରଙ୍କ ଯେ କୌଣସି କାର୍ଯ୍ୟକଳାପ ବାବଦରେ ଭୁଲ୍‌ ସୂଚନାକୁ ଏଫ୍‌ସିୟୁ ଚିହ୍ନଟ କରିବାକୁ ଯାଉଛି। ‘ଯେ କୌଣସି କାର୍ଯ୍ୟକଳାପ’ ଏକ ବ୍ୟାପକ ଶବ୍ଦ ଏବଂ ଏଥିରେ ସରକାରଙ୍କ ସମସ୍ତ ନୀତି, କାର୍ଯ୍ୟକ୍ରମ ଓ କ୍ରିୟାକଳାପ ଅନ୍ତର୍ଭୁକ୍ତ। ସମସ୍ତ ସରକାରୀ ନୀତି, କାର୍ଯ୍ୟକ୍ରମ ଓ କ୍ରିୟାକଳାପକୁ ତର୍ଜମା ପରିସରକୁ ଆଣିବା ହେଉଛି ଗଣମାଧ୍ୟମର ସ୍ବଭାବ। ଆଉ ଗଣମାଧ୍ୟମରେ ପ୍ରତିକୂଳ ଖବରକୁ ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ବିବେଚନା କରିବା ହେଉଛି ସରକାରଙ୍କ ସ୍ବଭାବ।
କୋଭିଡ୍‌ ସମୟରେ ତାହା ଘଟିଥିବା ଆମେ ଦେଖିଛୁ। ମହାମାରୀର ପରିଚାଳନା ଓ ଲୋକଙ୍କୁ ସେବା ଯୋଗାଇବାରେ ସରକାରଙ୍କ ବିଫଳତାକୁ ଗଣମାଧ୍ୟମ ଯେତେବେଳେ ଉଜାଗର କରିଥିଲା, ସେତେବେଳେ ସରକାର ଉକ୍ତ ଖବରକୁ ମିଥ୍ୟା ଓ ବିଭ୍ରାନ୍ତିକର ଦର୍ଶାଇ ତାହାକୁ ଖଣ୍ଡନ କରିବା ସହ ଅନେକ ସାମ୍ବାଦିକଙ୍କୁ ଜେଲ୍‌ ପଠାଇବା ପାଇଁ ବିପର୍ଯ୍ୟୟ ପରିଚାଳନା ଆଇନ ଭଳି କଠୋର ପ୍ରାବଧାନ ଲାଗୁ କରିଥିଲେ। ଏ ପରିପ୍ରେକ୍ଷୀରେ ଇଣ୍ଡିଆନ୍‌ ନ୍ୟୁଜ୍‌ପେପର ସୋସାଇଟି ଯଥାର୍ଥତାର ସହ ଉଲ୍ଲେଖ କରିଛି ଯେ ନିଜ ସ୍ବାର୍ଥରେ ଜଣେ ବିଚାରକ ହେବା ଦ୍ବାରା ସରକାର ସମାଲୋଚନା ତଥା ନ୍ୟାୟପୂର୍ଣ୍ଣ ମନ୍ତବ୍ୟକୁ ପ୍ରଭାବୀ ଢଙ୍ଗରେ ଦମନ କରିବାର ପଦକ୍ଷେପ ନେଉଛନ୍ତି।
ପ୍ରାଧିକରଣ ରୂପରେ ଏଫ୍‌ସିୟୁ ସରକାରଙ୍କର, ସରକାରଙ୍କ ଦ୍ବାରା ଏବଂ ସରକାରଙ୍କ ପାଇଁ ଏକ ସଂସ୍ଥା ହେବ। ଏହାର କୌଣସି ସଂସଦୀୟ କିମ୍ବା ଆଇନଗତ ତତ୍ତ୍ବାବଧାରକ ରହିବେ ନାହିଁ। ପ୍ରେସ କାଉନ୍‌ସିଲ୍‌ ଏବଂ ଏନ୍‌ବିଡିଏସ୍‌ଏ ଭଳି ଏଥିରେ ପ୍ରତିନିଧିତ୍ବର କୌଣସି ବିବିଧତା ରହିବନି। ମନ୍ତ୍ରୀ ବା ରାଜନେତାମାନେ ଏହାର ନିର୍ଣ୍ଣୟକର୍ତ୍ତା ସାଜିବେ। ସେମାନଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଭାବରେ ସେମାନଙ୍କ ବିଚାର ଉପରେ ଆଧାରିତ ହେବ। ଏଫ୍‌ସିୟୁ ଥରେ କୌଣସି ସୂଚନାକୁ ମିଥ୍ୟା ବୋଲି ଚିହ୍ନଟ କରିବା ପରେ ସେମାନେ ୩୬ ଘଣ୍ଟା ଭିତରେ ସେହି ସୂଚନାକୁ ହଟାଇ ନେବା ପାଇଁ ଅଥବା ତାହାର ଉପଲବ୍ଧତାକୁ ଅକ୍ଷମ କରିଦେବା ପାଇଁ ପ୍ରକାଶକଙ୍କୁ କହିବେ। ବିଷୟବସ୍ତୁ ପ୍ରବର୍ତ୍ତକଙ୍କର କୌଣସି ଶୁଣାଣି ହେବ ନାହିଁ। ବିବିସି ବୃତ୍ତଚିତ୍ର ‘ଇଣ୍ଡିଆ: ଦି ମୋଦୀ କ୍ବେଶ୍ଚିନ’ ମାମଲାରେ ଏହା ଘଟିଥିଲା। ହଜାର ହଜାର ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ ସହ ଏହା ଦେଖିବାକୁ ମିଳିଛି। ଖବରକାଗଜମାନଙ୍କର ଡିଜିଟାଲ ସଂସ୍କରଣରେ ପ୍ରକାଶିତ ପ୍ରତିକୂଳ ରିପୋର୍ଟ କ୍ଷେତ୍ରରେ ମଧ୍ୟ ଏହା ଘଟିଛି। ସେମାନଙ୍କର ବିଷୟବସ୍ତୁକୁ ସୁରକ୍ଷା ଦେବା ଲାଗି ପ୍ରବର୍ତ୍ତକଙ୍କୁ ସୁଯୋଗ ନଦେଇ ତାହାକୁ ହଟାଇ ଦେବା ଲାଗି ନିର୍ଦ୍ଦେଶ ଦିଆଯାଉଛି। ସ୍ବାଭାବିକ ନ୍ୟାୟର ନୀତିକୁ କବର ଦିଆଯାଉଛି।
ଏଥିରୁ ସ୍ପଷ୍ଟ ଯେ ଏଫ୍‌ସିୟୁ ପଛର ଉଦ୍ଦେଶ୍ୟ ସରକାରୀ କାର୍ଯ୍ୟକଳାପ ବାବଦରେ ମିଥ୍ୟା ତଥ୍ୟକୁ ଦୂର କରିବା ନୁହେଁ, ବରଂ ସେମାନଙ୍କ ବିଷୟରେ ପ୍ରତିକୂଳ ତଥ୍ୟକୁ ଦୂର କରିବାକୁ ଉଦ୍ଦିଷ୍ଟ ବୋଲି ମନେ ହୁଏ। ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସରକାରୀ ପକ୍ଷକୁ ଏକମାତ୍ର ସତ୍ୟ ଭାବେ ଉପସ୍ଥାପନ କରିବା ଲାଗି ଗଣମାଧ୍ୟମକୁ ବାଧ୍ୟ କରିବା। ଅଧିକରୁ ଅଧିକ ଜନସାଧାରଣ ଅନ୍‌ଲାଇନ୍‌ରେ ଖବର ପଢୁଥିବାରୁ ସରକାର ଡିଜିଟାଲ ଗଣମାଧ୍ୟମର ଶକ୍ତିକୁ ହୃଦୟଙ୍ଗମ କରୁଛନ୍ତି। ସୁତରାଂ ଡିଜିଟାଲ ଗଣମାଧ୍ୟମର ଗୁଇନ୍ଦା ସଂସ୍ଥା ଭାବରେ ଏଫ୍‌ସିୟୁ ସରକାରଙ୍କୁ ସେବା ଦେବାକୁ ଯାଉଛି। ଏହାର କାମ ହେବ, ଭୁଲ୍‌ ସୂଚନା ହଟାଇବା ଆଳରେ ଭିନ୍ନମତ ହଟାଇବା ଲାଗି ଅନ୍‌ଲାଇନ୍‌ ପରିସରରେ ତଲାସି କରିବା। ଏପରିକି ଏହା ନିଜର କାମକୁ ସହଜ କରିବା ଲାଗି କୃତ୍ରିମ ବୁଦ୍ଧିମତାକୁ ମଧ୍ୟ ବ୍ୟବହାର କରିପାରେ। ବ୍ରିଟେନ୍‌ ସରକାର ଦୁଇ ବର୍ଷ ତଳେ ରାପିଡ୍‌ ରେସ୍‌ପନ୍‌ସ ୟୁନିଟ୍‌ (ଆର୍‌ଆର୍‌ୟୁ) ନାମରେ ଏକ ଏଫ୍‌ସିୟୁ ପ୍ରତିଷ୍ଠା କରିଥିଲେ। ସ୍ବାଧୀନ ଅନୁସନ୍ଧାନରୁ ଜଣାପଡ଼ିଛି କି, ଆର୍‌ଆର୍‌ୟୁ ଭୁଲ୍‌ ସୂଚନାକୁ ପ୍ରତିହତ କରିବା ନାଁରେ ରାଜନେତା, ଶିକ୍ଷାବିତ୍‌, କାର୍ଯ୍ୟକର୍ତ୍ତା, ସାମ୍ବାଦିକ ଏବଂ ଏପରିକି ଜନସାଧାରଣଙ୍କ ବାବଦରେ ବିଷୟବସ୍ତୁର ବ୍ୟାପକ ଅନୁଧ୍ୟାନ କରିଆସୁଛି।

ସମ୍ବନ୍ଧିତ ଖବର