ଗୋଟିଏ ଆମ୍ବୁଲାନ୍ସରେ ୧୯  ରୋଗୀ; ଚକ୍ଷୁ ଚିକିତ୍ସା ପାଇଁ ନିଆଯିବାବେଳେ ଜଣେ ଗୁରୁତର

ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା, ପୁଲିସ୍‌ ହସ୍ତକ୍ଷେପ

ବଲାଙ୍ଗୀର: ବସ୍ତା ଲଦିବା ଭଳି ଗୋଟିଏ ଆମ୍ବୁଲାନ୍ସରେ ୧୯ ଜଣ ରୋଗୀଙ୍କୁ ଚକ୍ଷୁ ଚିକିତ୍ସା ପାଇଁ ନିଆଯାଉଥିଲା। ଆମ୍ବୁଲାନ୍ସ ଭିତରେ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ ରୋଗୀ। ରୋଗୀଙ୍କ ମଧ୍ୟରେ ସମସ୍ତେ ବରିଷ୍ଠ ନାଗରିକ ଶ୍ରେଣୀର ଥିଲେ। ରାସ୍ତାରେ ଜଣେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର କଦମପଡ଼ାରେ ଆମ୍ବୁଲାନ୍ସ ଅଟକିଥିଲା। ସେଠାରେ ଗୋଟିଏ ଆମ୍ବୁଲାନ୍ସରୁ ଏତେ ସଂଖ୍ୟକ ରୋଗୀ ବାହାରିବା ଦେଖି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକଟ କରିବା ସହ ଆମ୍ବୁଲାନ୍ସ ଚାଳକ ଓ ସେଥିରେ ଥିବା ପରିଚାଳକଙ୍କୁ ଏହାର ପ୍ରତିବାଦ କରିଥିଲେ। ପରିଚାଳକ ଜଣକ ଲୋକଙ୍କ କଥାକୁ ଗୁରୁତ୍ବ ନଦେଇ ତାଙ୍କ ସହ ଯୁକ୍ତି କରିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ରୋଗୀଙ୍କୁ ସମ୍ବଲପୁର ସ୍ଥିତ ତ୍ରିଲୋଚନ ନେତ୍ରାଳୟକୁ ଆମ୍ବୁଲାନ୍ସ (ଓଡି ୧୫ଟି ୦୪୧୭) ଯୋଗେ ନିଆଯାଉଥିବା ଜଣାପଡ଼ିଛି। ସମସ୍ତ ରୋଗୀ ପୁଇଁନ୍ତଳା ଓ ଦେଓଗାଁ ବ୍ଲକ ଅଞ୍ଚଳର ବୋଲି ସୂଚନା ମିଳିଛି।

ପ୍ରକାଶ ଯେ, ସମ୍ବଲପୁର ସ୍ଥିତ ତ୍ରିଲୋଚନ ନେତ୍ରାଳୟର ଚିକିତ୍ସକମାନେ ଦୁଇ ଦିନ ତଳେ ଦେଓଗାଁ ଓ ପୁଇଁନ୍ତଳା ବ୍ଲକର ବିଭିନ୍ନ ଗାଁ ବୁଲି ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ଚିହ୍ନଟ ରୋଗୀଙ୍କୁ ସମ୍ବଲପୁର ନେଇ ସେଠାରେ ଅସ୍ତ୍ରୋପଚାର କରାଯିବା ପାଇଁ ଆମ୍ବୁଲାନ୍ସ ପଠାଯାଇଥିଲା। ଆମ୍ବୁଲାନ୍ସ କର୍ମଚାରୀମାନେ ଅଂଚଳର ସମସ୍ତ ରୋଗୀଙ୍କୁ ଥରକୁ ନେଇ ସମ୍ବଲପୁର ଯିବା ପାଇଁ ଚେଷ୍ଟା କରିଥିଲେ। ରୋଗୀଙ୍କ ବାରଣ ପରେ ମଧ୍ୟ ସେମାନେ ଗୋଟିଏ ଆମ୍ବୁଲାନ୍ସରେ ନେଇ ଯାଉଥିଲେ। ବଲାଙ୍ଗୀର କଦମପଡ଼ାଠାରେ ଆମ୍ବୁଲାନ୍ସ ବାଧ୍ୟ ହୋଇ ଅଟକିଥିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିଲା। ଶ୍ୱାସରୁଦ୍ଧ ହୋଇ ଯାଉଥିବା ରୋଗୀମୋନ ସମ୍ବଲପୁର ଚିକିତ୍ସା ପାଇଁ ଯିବାକୁ ଅମଙ୍ଗ ହେବା ସହ ନିଜ ଗାଁକୁ ଫେରାଇ ନେବାକୁ ପରିଚାଳକଙ୍କୁ ଅନୁରୋଧ କରିଥିଲେ। ହେଲେ ପରିଚାଳକ ରୋଗୀଙ୍କୁ ନେଇ ଯିବାକୁ ଜିଦ୍‌ ଧରିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ସ୍ଥିତି ସମ୍ଭାଳିବା ସହ ଆମ୍ବୁଲାନ୍ସରେ ରୋଗୀଙ୍କୁ ତାଙ୍କ ଗ୍ରାମକୁ ପଠାଇ ଦେଇଥିଲା।

ସମ୍ବନ୍ଧିତ ଖବର