ଶୁକ୍ରବାର ରହୁଛି ସାପ୍ତାହିକ ଛୁଟି: ରବିବାର ଉପାସ ରହୁଛନ୍ତି ୪୦୦ ଛାତ୍ରଛାତ୍ରୀ

କିଶନନଗର : କଟକ ସଦର ବ୍ଲକ୍‌ ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ନାରଦା କ୍ଲଷ୍ଟର୍‌ ଅଧୀନ ୩ଟି ବିଦ୍ୟାଳୟ ଓ ୨ଟି ମଦ୍ରାସାର ୪୧୫ଜଣ ଛାତ୍ରଛାତ୍ରୀ ରବିବାର ଉପାସ ରହୁଥିବା ଜଣାପଡ଼ିଛି। ଏହି ସ୍କୁଲ୍‌ ଓ ମଦ୍ରାସାଗୁଡ଼ିକର ସାପ୍ତାହିକ ଛୁଟି ଶୁକ୍ରବାର ହେଉଥିଲାବେଳେ ରବିବାର ଖୋଲା ରହୁଛି। ଗତ ଏପ୍ରିଲ ୨ ତାରିଖରୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ଏଠାକାର ମଧ୍ୟାହ୍ନଭୋଜନ ଦାୟିତ୍ଵ ନେବା ପରଠାରୁ ଏହି ପରିସ୍ଥିତି ଲାଗିରହିଛି।

ନାରଦା କ୍ଲଷ୍ଟର୍‌ ଅଧୀନ ନାରଦା ଉର୍ଦ୍ଦୁ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୨୪୦ଜଣ, ତରଡ଼ାପଡ଼ା ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ୬୦ ଜଣ, ମଦ୍ରାସା ଇସ୍‌ଲାମିଆ ହନିଫିଆରେ ୫୦ଜଣ, କେଶପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ୩୫ଜଣ ଓ ମଦ୍ରାସା ଅନ୍‌ୱର୍‌-ଉଲ୍‌-ଓଲୁମ୍‌ରେ ୩୦ଜଣ ପିଲା ପାଠ ପଢ଼ୁଛନ୍ତି। ଏହି ସ୍କୁଲ୍‌ ଓ ମଦ୍ରାସାଗୁଡ଼ିକର ସାପ୍ତାହିକ ଛୁଟି ଶୁକ୍ରବାର ରହୁଛି। ରବିବାର ସ୍କୁଲ୍‌ ଓ ମଦ୍ରାସା ଖୋଲା ରହୁଥିଲେ ମଧ୍ୟ ମଧ୍ୟାହ୍ନଭୋଜନ ଆସୁ ନ ଥିବା ଜଣାପଡ଼ିଛି। ସେହିପରି ଫକିରପଡ଼ା କ୍ଲଷ୍ଟର୍‌ରେ ଥିବା ଦାମୋଦରପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ, ନିମେଇଶାପୁର କ୍ଲଷ୍ଟର୍‌ ଅଧୀନ ଦେଓପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ସମେତ ସଦର ବ୍ଲକ୍‌ର ବିଭିନ୍ନ କ୍ଲଷ୍ଟର୍‌ରେ ଥିବା ଉର୍ଦ୍ଦୁ ସ୍କୁଲ୍‌ ଓ ମଦ୍ରାସାଗୁଡ଼ିକ ସମଦଶା ଭୋଗୁଥିବା ଜଣାପଡ଼ିଛି।

ଏହିଭଳି ପରିସ୍ଥିତିକୁ ସ୍ବୀକାର କରିଛନ୍ତି ନାରଦା ଉର୍ଦ୍ଦୁ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସାରଳା ଦେଈ। ସେ କହିଛନ୍ତି, ରବିବାର ମଧ୍ୟାହ୍ନଭୋଜନ ଆସୁ ନ ଥିବାରୁ ପିଲାଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବପର ହେଉନାହିଁ। ଏ ସମ୍ପର୍କରେ ସଦର ବ୍ଲକ୍‌ ଶିକ୍ଷାଧିକାରୀ ସରସ୍ୱତୀ କାନୁନ୍‌ଗୋଙ୍କୁ ଅବଗତ କରିଛନ୍ତି ବୋଲି ନାରଦା କ୍ଲଷ୍ଟର୍‌ ସିଆର୍‌ସିସି ଶେଖ ସିରାଜ୍‌ ଉଲ୍ଲା ସୂଚନା ଦେଇଛନ୍ତି। ଏହାସତ୍ତ୍ବେ କୌଣସି ସୁଫଳ ମିଳି ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଏ ବିଷୟରେ କିଛି ଜାଣି ନାହାନ୍ତି ବୋଲି କଟକ ଶିକ୍ଷାଜିଲ୍ଲା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି କଟକ ଜିଲ୍ଲାପାଳ ଦୃଷ୍ଟି ଦେଇ ଛାତ୍ରଛାତ୍ରୀଙ୍କୁ ରବିବାର ମଧ୍ୟାହ୍ନଭୋଜନ ପ୍ରଦାନର ବ୍ୟବସ୍ଥା କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର