ପୋଖରୀରୁ ମୃତଦେହ ଉଦ୍ଧାର ଘଟଣା : ସାମାନ୍ୟ ବଚସାକୁ ନେଇ ସାଙ୍ଗକୁ ହତ୍ୟା କରିଥିଲା ଯୁବକ, ଭୁବନେଶ୍ବରରୁ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଖୁଣ୍ଟା/କୁଆମରା : ସାଙ୍ଗ ସାଙ୍ଗ ମଧ୍ୟରେ ହୋଇଥିଲା ବଚସା। ଆଉ ବଚସାରୁ ହତ୍ୟାକାଣ୍ଡ। ୨୦ ଦିନ ତଳେ ଘଟିଥିବା ଏମିତି ଏକ ହତ୍ୟା ଘଟଣାର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖୁଣ୍ଟା ପୁଲିସ।

ସୂଚନା ମୁତାବକ ଗତ ମେ ମାସ ୧୫ ତାରିଖ ଦିନ ଖୁଣ୍ଟା ଥାନା ଗଡସାହି ଗ୍ରାମର ଶରଣେଶ୍ବର ପାତ୍ର(୩୫) ନିଜ ଘରୁ ଏକ ସାଇକେଲ ଯୋଗେ ବ୍ୟାଙ୍କ ଯାଉଥିବା କହି ଘରୁ ବାହାରି ଯାଇ ଆଉ ଫେରି ନଥିଲେ। ଏହାର ତିନି ଦିନ ପରେ ଅର୍ଥାତ ୧୭ ତାରିଖ ମହୁଲଡିହି ଗ୍ରାମ ରାସ୍ତାପାର୍ଶ୍ବ ଏକ ପୋଖରୀରେ ତାଙ୍କର ମୃତଦେହ ପଡିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ଖୁଣ୍ଟା ଥାନାକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହ‌ି ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ପୋଖରୀ ନିକଟରେ ରକ୍ତ ପଡିଥିବା ଏବଂ ପାରିପାର୍ଶ୍ବିକ ସ୍ଥିତିରୁ ଶରଣେଶ୍ବରଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ତ୍ବରାନ୍ବିତ କରିଥିଲା। ତଦନ୍ତ ବେଳେ ମୃତକଙ୍କ ସାଙ୍ଗ ମହୁଲଡିହି ଗ୍ରାମର ବିଶ୍ବନାଥ ମୁର୍ମୁ ଓରଫ ପପୁ(୨୨)ଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏ ନେଇ ପୁଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ତାକୁ ଭୁବନେଶ୍ବରରେ ଠାବ କରିଥିଲା। ପରେ କ୍ୟାପିଟାଲ ଥାନା ପୁଲିସର ସହଯୋଗରେ ଖୁଣ୍ଟା ପୁଲିସ ମଙ୍ଗଳବାର ଦିନ ଅଭିଯୁକ୍ତ ପପୁକୁ ଧରିବାରେ ସକ୍ଷମ ହୋଇଥିଲା। ପପୁର କହିବା ଅନୁଯାୟୀ ୧୫ ତାରିଖ ଦିନ ତଳେ ନିଶାଶକ୍ତ ଅବସ୍ଥାରେ ଥାଇ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପପୁ ଶରଣେଶ୍ବରକୁ ମାଡ ମାରିବା ସଙ୍ଗେ ତଣ୍ଟି ଚିପି ଏବଂ ସାଇକେଲରେ ଛେଚି ହତ୍ୟାକରିବା ପରେ ପଖୋରୀରେ ଫିଙ୍ଗି ଫେରାର ହୋଇଯାଇଥିଲା। ପୁଲିସ ଆଜି ଅଭିଯୁକ୍ତ ବିଶ୍ବନାଥ(ପପୁ)କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର