ଗେହଲଟ୍‌ଙ୍କ ବି‌ରୋଧରେ ଅସନ୍ତୋଷ ତେଜିଲା

ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କଂଗ୍ରେସ ବିଧାୟକଙ୍କ ଦାବି

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଏବେ ଦଳୀୟ ବିଧାୟକମାନେ ଯୁଦ୍ଧ ଘୋଷଣା କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ରାଜସ୍ଥାନର ୨୫ ଆସନରୁ କଂଗ୍ରେସ ଗୋଟିଏ ହେଲେ ଆସନ ଜିତିପାରିନାହିଁ। କିଛି ମାସ ତଳେ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ସଫଳତା ହାସଲ କରି ସରକାର ଗଢ଼ିବାରେ ସକ୍ଷମ ହୋଇଥିଲେ ସୁଦ୍ଧା ଲୋକସଭା ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏବେ ଗେହଲଟଙ୍କ ବିରୋଧରେ ଅନେକ କଂଗ୍ରେସ ବିଧାୟକ ମୁହଁ ଖୋଲିବା ପରେ ତାଙ୍କର ଅଡ଼ୁଆ ବଢ଼ିଛି। ରାଜସ୍ଥାନ ନିର୍ବାଚନରେ ପରାଜୟ ପାଇଁ ଗେହଲଟ୍‌ ହିଁ ଦାୟୀ ରହିବା ଉଚିତ ବୋଲି କେତେକ ବିଧାୟକ କଂଗ୍ରେସ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗେହଲଟ୍‌ଙ୍କ ସ୍ଥାନରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ୍‌ ବୋଲି ବିଧାୟକମାନେ ମତ ରଖିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଦଳର ଏଭଳି ଶୋଚନୀୟ ପରାଜୟ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିକଟରେ ଖୁବ୍‌ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଦଳର ପରାଜୟ ପାଇଁ ରାହୁଲ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଦୋଷ ଦେଇଥିଲେ। ଏହି ଦୁଇ ନେତା ପୁଅମାନଙ୍କ ପାଇଁ ବ୍ୟସ୍ତ ରହି ଦଳକୁ ଅଣଦେଖା କରିଛନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର